ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋଲିବ ଯାଜପୁରରୁ ଗିରଫ ହୋଇଥିବା କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ଈଶାନ ବୁଖାରୀର ରହସ୍ୟ। କ୍ରାଇମବ୍ରାଞ୍ଚ ଏସଟିଏଫ ମଙ୍ଗଳବାରଠାରୁ ଈଶାନ ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିବ।

ସୋମବାର ଦିନ ସନ୍ଦିଗ୍ଧ କଶ୍ମୀର ଆତଙ୍କୀ ଈଶାନ ବୁଖାରୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଏସଟିଏଫ ଆବେଦନ କରିଥିଲା। କିନ୍ତୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି।

କ୍ରାଇମବ୍ରାଞ୍ଚର ୩ଟି ଟିମ୍ ଈଶାନ ବୁଖାରୀଙ୍କୁ ମାରାଥନ ଜେରା କରିବେ। ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ପର୍କକୁ ନେଇ ଖୋଳତାଡ଼ କରିବ ଏସଟିଏଫ।

ପାକିସ୍ତାନର ଆଇଏସଆଇ ଏଜେଣ୍ଟଙ୍କ ସହ ଈଶାନଙ୍କର ସମ୍ପର୍କ ରହିଥିବା ମୋବାଇଲ ଫୋନରେ ହୋଇଥିବା ଚାଟିଂରୁ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଈଶାନଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଜମ୍ମୁ କଶ୍ମୀର ଏବଂ ପଞ୍ଜାବ ପୋଲିସ ସହ କଥା ହୋଇଛନ୍ତି ଏସଟିଏଫ ଅଧିକାରୀ। ଈଶାନଙ୍କୁ ପଚରାଉଚରା କରିବା ପାଇଁ ଜମ୍ମୁ କଶ୍ମୀର ଓ ପଞ୍ଜାବ ପୋଲିସ ଓଡ଼ିଶା ଆସିବାର ସମ୍ଭାବନା ରହିଛି।

ଡିସେମ୍ବର ୧୬ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଥିବା ଭଡ଼ାଘରୁ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ।

୨୦୧୮ରୁ ଯାଜପୁର ଥିଲା ଈଶାନଙ୍କ ନୂଆ ଠିକଣା

୨୦୧୮ ମସିହାରୁ ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ଯାଜପୁରର ଧର୍ମଶାଳା ଅଞ୍ଚଳରେ ଭଡ଼ାଘର ନେଇ ରହିଆସୁଥିଲେ ଈଶାନ ବୁଖାରୀ। ଈଶାନଙ୍କ ଘର କଶ୍ମୀରର କୁପଓ୍ଵାଡାରେ। ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ କଶ୍ମୀର ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ଈଶାନର ନାଁ ରହିଛି। ପାକିସ୍ତାନ ଆତଙ୍କବାଦୀଙ୍କ ସହ ଈଶାନଙ୍କର ସମ୍ପର୍କ ରହିଥିବା କୁହାଯାଉଛି।

କଶ୍ମୀର ପୋଲିସଠାରୁ ନିକୁ ବଞ୍ଚାଇବା ପାଇଁ ଈଶାନ କଶ୍ମୀର ଛାଡ଼ି କେରଳ ପଳାଇଥିଲେ। ପରେ ନିଜର ପରିଚୟ ବଦଳାଇ ଭିନ୍ନ ସ୍ଥାନରେ ରହୁଥିଲେ। ୨୦୧୮ ମସିହାରୁ ସଇଦ ଈଶାନ ବୁଖାରୀ ଧର୍ମଶାଳାଠାରେ ଘର ଭଡ଼ା କରି ରହିଆସୁଥିଲେ। ଏଠାରେ ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ଝିଅ ମଧ୍ୟ ଅଛି। 

ଧର୍ମଶାଳାଠାରେ କାଶ୍ମୀରର ଯୁବକ ଈସାନ ଭଡ଼ାଘରେ ରହୁଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। କିଛି ମାସ ପୂର୍ବରୁ ଈଶାନଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ପୋଲିସ ଈଶାନଙ୍କ ଉପରେ ତୀକ୍ଷ୍ନ ନଜର ରଖିଥିଲା। ନିଜକୁ ଡାକ୍ତର ଭାବେ ପରିଚୟ ଦେଉଥିବା ଈଶାନ ପ୍ରକୃତରେ ଡାକ୍ତର ହୋଇନଥିବା ଜଣାପଡ଼ିବା ପରେ ଈଶାନଙ୍କ ଭଡ଼ାଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବହୁ ନକଲି ଡାକ୍ତରୀ ସାର୍ଟିଫିକେଟ, ପରିଚୟପତ୍ର, ଏଟିଏମ କାର୍ଡ, ସିମ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଥିଲା। ତାଙ୍କର ମୋବାଇଲ ମଧ୍ୟ ଜବତ ହୋଇଥିଲା।

କ୍ରାଇମବ୍ରାଞ୍ଚ ଆଇଜିଙ୍କ କହିବା ଅନୁସାରେ ଈଶାନ ୭ରୁ ଅଧିକ ଯୁବତୀଙ୍କୁ ବିବାହ କରିଛନ୍ତି। ଏପରିକି ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଥିବା ଈଶାନଙ୍କ ସୋସିଆଲ ମିଡିଆରୁ ଜଣାପଡ଼ିଛି। ସୋସିଆଲ ମିଡିଆ ଜରିଆରେ ସୁନ୍ଦରୀ ଯୁବତୀମାନଙ୍କୁ ସହ ସମ୍ପର୍କ ଯୋଡ଼ିବା ପରେ ସେ ବିବାହ କରୁଥିଲେ।

ପୂର୍ବରୁ ଈଶାନ ବୁଖାରୀଙ୍କର ଆଇଏସଆଇ ସହ ସମ୍ପର୍କ ରହିଥିଲା। ବର୍ତ୍ତମାନ ମଧ୍ୟ ଆଇଏସଆଇ ଏଜେଣ୍ଟଙ୍କ ସହ ଈଶାନଙ୍କର ସମ୍ପର୍କ ରହିଥିବା ଜବତ ମୋବାଇଲରେ ରହିଥିବା ଚାଟିଂରୁ ଜଣାପଡ଼ିଛି।

Tags: #MostWanted #IshanBukhari #MostWantedofKashmir #STFCrimebanch #Jajpur #Odiasha #Remand

Comment