ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିଲାଗି ବୁଧବାର ଦିନ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଜେଏମଏଫସି କୋର୍ଟ। ପୂର୍ବରୁ ଦୁଇ ଦୁଇ ଥର ୪ ଦିନିଆ ରିମାଣ୍ଡରେ ନେଇ ଗୋପାଳ ଦାସଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ରିମାଣ୍ଡ ସମୟ ମଧ୍ୟରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ପାଇ ପାରିନାହିଁ କ୍ରାଇମବ୍ରାଞ୍ଚ।

ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କର ଦ୍ଵିତୀୟ ପାଳି ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗୋପାଳଙ୍କୁ ପୁଣି ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ୫ ଦିନ ପାଇଁ ଅନୁମତି ମିଳିଛି।

ଏହା ସହିତ ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ ଟେଷ୍ଟକୁ କୋର୍ଟ ଅନୁମତି ଦେଇଛନ୍ତି। ଉଭୟ ଟେଷ୍ଟ ସମୟରେ ସହଯୋଗ କରିବେ ବୋଲି କହିଛନ୍ତି ଗୋପାଳ ଦାସ।

ଗତ ଜାନୁଆରି ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା। ପରେ ଗୋପାଳଙ୍କୁ ରିମାଣ୍ଡରେ ନେଇ ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଆଜି ୧୧ ଦିନ। ମଙ୍ଗଳବାର ଦିନ ଗୋପାଳ ଦାସଙ୍କୁ ଘଟଣା ସ୍ଥଳକୁ ନିଆଯାଇ ଘଟଣାର ପୁନରାବୃତି କରାଯାଇଥିଲା। ଆଜି ଏହି ହତ୍ୟାକାଣ୍ଡର ତନାଘନା କରିବାକୁ କ୍ରାଇମ ସ୍ପଟରେ ପହଞ୍ଚିଛନ୍ତି କ୍ରାଇବ୍ରାଞ୍ଚ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେପି ଦାସ ଏବଂ ଡିଜିପି ସୁନିଲ ବଂଶଲ।

Tags: #NabaKishorDasMurderCase #GopalDas #CrimebranchInvestigation #CrimeSceneRecreation #JusticeJPDas #DGPSunilBansal #Remand

Comment