ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ୫ ଦିନିଆ ରିମାଣ୍ଡ ଅବଧି। ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ଵର ସ୍ଥିତ ସିବିଆଇ କୋର୍ଟର ହାଜର କରାଯାଇଛି। ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିବାର ସମ୍ଭାବନା ରହିଛି।

ଗତ ଜୁନ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାଁ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିବା ପରେ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ। ଦୀର୍ଘ ୫ ଦିନ ଧରି ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଗୁଡ଼େଇ ତୁଡ଼େଇ ୩ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥିଲା ସିବିଆଇ। କେତେବେଳେ ସାମ୍ନାସାମ୍ନି ତ କେତେବେଳେ ଏକୁଟିଆ ପ୍ରଶ୍ନ କରାଯାଇଥିଲା ଅଭିଯୁକ୍ତମାନଙ୍କୁ।

ବାହାନଗାରେ ଘଟିଥିବା ସିରିଜ ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ? ଏହି ଦୁର୍ଘଟଣା ପାଇଁ ହୋଇଥିଲା କି ଷଡ଼ଯନ୍ତ୍ର? ଏମିତି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ସିବିଆଇ ଟିମ୍ ଚେଷ୍ଟା କରିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ଅନେକ ତଥ୍ୟ ସିବିଆଇ ହାତରେ ଲାଗି ଥିବା କୁହାଯାଉଛି।

ଏହି ମାମଲାରେ ଆଉ ଦୁଇଜଣ ଅଧିକାରୀଙ୍କୁ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଥିଲା। ଏହି ଦୁଇ ଅଧିକାରୀଙ୍କୁ ପୂର୍ବରୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲା।

Tag: #BahanagaTrainTragedy #Remand #CBICourtProduce

Comment