ନୀଳାମ୍ବର ରଥ

କୌଣସି ସମସ୍ୟାକୁ ଆହ୍ୱାନ ବା ନୂଆ କଥା ଶିଖିବାର ଏକ ସୁଯୋଗ ବୋଲି ବିଚାରକରି ଯେଉଁମାନେ ତା’ ସମାଧାନର ରାସ୍ତା ଖୋଜିବାରେ ଲାଗିପଡ଼ନ୍ତି କର୍ପୋରେଟ୍ ଫ୍ଲୋର୍ରେ ସେମାନଙ୍କର ଆଦର ବେଶୀ।

ସାଧାରଣ ଜୀବନରେ ଭୁଲ୍ ଭଟ୍‌କା ବା ସମସ୍ୟା କିଛି ନୂଆ କଥା ନୁହେଁ। କିନ୍ତୁ ଅନେକ ସମୟରେ ଛୋଟ ଛୋଟ ସମସ୍ୟା ଦିନେ ବିରାଟ ଆକାର ଧାରଣ କରିଥାଏ। ଯେଉଁ ସମସ୍ୟାକୁ ଛୁଞ୍ଚିରେ ସମାଧାନ କରାଯାଇପାରିଥାନ୍ତି ତାକୁ କଟୁରୀ ଲଗାଇଲେ ମଧ୍ୟ ବେଳେ ବେଳେ ସମ୍ଭାଳିବା ସହଜ ହୁଏ ନାହିଁ। ବିଶେଷକରି ଚାକିରି ଜୀବନ ବା କର୍ପୋରେଟ୍ ଫ୍ଲୋର୍‌ରେ ବିଭିନ୍ନ ସମସ୍ୟାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ଅନେକ ସମୟରେ ତା’ର ଗୁରୁତର ପରିଣାମ ଭୋଗିବାକୁ ପଡ଼ିଥାଏ।

ଦୈନନ୍ଦିନର ଅଫିସ୍ କାର୍ଯ୍ୟକଳାପ ଭିତରେ ହେଉ ବା କୌଣସି ସ୍ପେସିଆଲ୍ ପ୍ରୋଜେକ୍ଟ, ଆପଣଙ୍କ ସାମ୍‌ନାରେ ସମସ୍ୟା ଆସି ଠିଆ ହୋଇପାରେ। ଅନେକ ସମୟରେ ଆପଣଙ୍କ ଭୁଲ୍‌ରୁ ସମସ୍ୟା ସୃଷ୍ଟି ହୁଏ। କିନ୍ତୁ ଏହି ସମସ୍ୟାର ସମାଧାନ କରିନପାରିଲେ ଅନେକ ଲୋକ ତାକୁ ଅନ୍ୟମାନଙ୍କୁ ନ ଜଣାଇ ଘୋଡ଼େଇ ଦେବା ପାଇଁ ଚେଷ୍ଟା କରିଥାନ୍ତି। ଲୁଗା ଭିତରେ ନିଆଁ ହୁଳାକୁ ଲୁଚାଇ ରଖିବାକୁ ଚାହିଁଲେ ତାହା ଲିଭେ ନାହିଁ କି ଲୁଚେ ନାହିଁ, ବରଂ ତାକୁ ଘୋଡ଼ାଇ ରଖିଥିବା ଲୁଗାକୁ ଜାଳି ଦେଇପାରେ। ଠିକ୍ ସେହିପରି କର୍ପୋରେଟ୍ ଜୀବନରେ କୌଣସି ସମସ୍ୟାକୁ ରିପୋର୍ଟ ନ କରି ଘୋଡ଼ାଇବାକୁ ଚାହିଁଲେ ତାହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏପରିକି ଆପଣଙ୍କ ଚାକିରି ପ୍ରତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିପାରେ।

ସମସ୍ୟାକୁ ପ୍ରଥମେ ଚିହ୍ନଟ କରନ୍ତୁ

କୌଣସି ସମସ୍ୟାର ମୁକାବିଲା କରିବା ପୂର୍ବରୁ ପ୍ରଥମେ ତାକୁ ଚିହ୍ନଟ କରିବାକୁ ହୁଏ। ଆମକୁ ଗ୍ରହଣ କରିବାକୁ ହେବ ଯେ ଏହା ଏକ ସମସ୍ୟା। କେବଳ ସେତିକି ନୁହେଁ ସେହି ସମସ୍ୟା ଦ୍ୱାରା କେଉଁମାନେ ବା କେଉଁ ବିଷୟ ପ୍ରଭାବିତ ହୋଇପାରେ ତାହା ମଧ୍ୟ ଆକଳନ କରିବା ଜରୁରୀ। କାମ କଲାବେଳେ ଭୁଲ ହେବା ସ୍ୱାଭାବିକ୍। ହେଲେ ଯଦି କାହାର କୌଣସି ଭୁଲ ପାଇଁ ଅନୁଷ୍ଠାନ ବା କମ୍ପାନିକୁ କ୍ଷତି ସହିବାକୁ ପଡ଼ୁଥାଏ ତାହା ହେଲେ ତାକୁ ସମସ୍ୟା ହିସାବରେ ବିଚାର କରାଯିବ।

ଏହି କ୍ଷତିର ଅର୍ଥ କେବଳ ଆର୍ଥିକ ଲାଭ କ୍ଷତିର କଥା ନୁହେଁ। କୌଣସି ସମସ୍ୟାର ପରିଣାମ ସ୍ୱରୂପ କମ୍ପାନିର ବ୍ରାଣ୍ଡ ବା ସୁନାମ, କର୍ମଚାରୀ ବା ସହଯୋଗୀମାନଙ୍କ ମଧ୍ୟରେ ସମ୍ପର୍କ, କାର୍ଯ୍ୟ କରିବାର ଧାରା ବା ପ୍ରୋସେସ୍, ଏପରିକି ଟିମ୍ ୱାର୍କ ଏବଂ କର୍ମଚାରୀଙ୍କ ମନୋବଳ ବା ମୋରାଲ୍ ଉପରେ ପ୍ରଭାବ ପକାଇପାରେ। ତେଣୁ ଛୋଟ ହେଉ ବା ବଡ଼ ସମସ୍ୟାକୁ ‘ସମସ୍ୟା’ ଆକାରରେ ଦେଖି ବେଳ ଥାଉ ଥାଉ ତା’ର ସମାଧାନ ଖୋଜିବା ଦରକାର।

ଲୁଚାଇଲେ ଦଣ୍ଡ, ଜଣାଇଲେ ପୁରସ୍କାର

କୌଣସି କମ୍ପାନି ବା ଅନୁଷ୍ଠାନରେ ଭୁଲ ଭଟ୍‌କା ବା ସମସ୍ୟାକୁ ଯେଉଁମାନେ ଘୋଡ଼େଇ ରଖିବାକୁ ଚାହୁଁଥାନ୍ତି ପରବର୍ତ୍ତୀ ସମୟରେ ସେମାନେ ନିନ୍ଦିତ ବା ଦଣ୍ଡିତ ହୋଇଥାନ୍ତି। ଠିକ୍ ସେହିପରି ଯେଉଁମାନେ ସମସ୍ୟାକୁ ଚିହ୍ନି ଠିକଣା ସମୟରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି ସେମାନେ ବାହାବାଃର ପାତ୍ର ହୋଇଥାନ୍ତି ଓ ସ୍ଥଳ ବିଶେଷରେ ପୁରସ୍କୃତ ହୁଅନ୍ତି। କର୍ପୋରେଟ୍ ଜଗତର ଏହି ଫଣ୍ଡା ଥରେ ବୁଝିଗଲେ ଆପଣ ନିଜକୁ ଅନ୍ତରୀଣ ରାଜନୀତି ବା ଇଣ୍ଟରନାଲ୍ ପଲିଟିକ୍ସରୁ ମଧ୍ୟ ଅନେକାଂଶରେ ବଞ୍ଚାଇ ରଖିପାରିବେ।

ତେଣୁ କୌଣସି ତ୍ରୁଟି ବା ସମସ୍ୟାର କାରଣ ଆପଣ ହୋଇଥାନ୍ତୁ କି ନା, ଯେତେ ଶୀଘ୍ର ଆପଣ ସେ ସମ୍ପର୍କରେ ଆପଣଙ୍କ ସହଯୋଗୀ ବା ବସ୍‌ଙ୍କୁ ଜଣାଇବେ ସେତେ ଶୀଘ୍ର ତା’ର ସମାଧାନ ବାବଦରେ ହୁଏତ ପଦକ୍ଷେପ ନିଆଯାଇପାରିବ। ଯେପରି କୌଣସି ଦୁର୍ଘଟଣା କ୍ଷେତ୍ରରେ, ବିଶେଷକରି ନିଆଁଲାଗିବା ଘଟଣାରେ, ଯେତେ ଶୀଘ୍ର ଆମେ ଜାଣୁ ଓ ତା’ର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉ, ଦୁର୍ଘଟଣାକୁ ଆୟତ୍ତ କରିବା ଆମ ପାଇଁ ସେତେ ସହଜ ହୋଇପାରେ। ତେଣୁ କର୍ପୋରେଟ୍ ଜୀବନରେ ସମସ୍ୟାକୁ ଲୁଚାନ୍ତୁ ନାହିଁ ବରଂ ସାହସର ସହ ଅନ୍ୟକୁ ଜଣାନ୍ତୁ ଏବଂ ଛୋଟ ହେଉ କି ବଡ଼ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସର୍ବପ୍ରଥମେ ଆପଣ ଆଗେଇ ଆସନ୍ତୁ।

ସମସ୍ୟାକୁ ସୁଯୋଗ ଭାବେ ଗ୍ରହଣ କରନ୍ତୁ

ସମସ୍ୟାକୁ ସିଧାସଳଖ ଦେଖିଲେ ତାହା ଆମକୁ ଅସୁବିଧା ବା ଆହ୍ୱାନ ଭଳି ମନେହୁଏ। ତେବେ ସଫଳ କର୍ପୋରେଟ୍ ଲିଡର୍‌ମାନେ ପ୍ରତିଟି ସମସ୍ୟାକୁ ଏକ ସୁଯୋଗ ବା ଅପର୍ଚୁନିଟି ଭାବେ ଗ୍ରହଣ କରିଥାନ୍ତି। କାରଣ ଥରେ ଗୋଟିଏ ସମସ୍ୟାର ମୁକାବିଲା କରି ତା’ର ସମାଧାନ କରିପାରିଲେ ଆପଣ ବା ଆପଣଙ୍କ ଟିମ୍ ଯେଉଁ ଦକ୍ଷତା ଓ ଅଭିଜ୍ଞତା ହାସଲ କରେ ତାହା ପରବର୍ତ୍ତୀ ସମୟରେ ଆପଣଙ୍କ କାମରେ ଆସେ। ତେଣୁ ସମସ୍ୟାକୁ ସୁଯୋଗରେ ପରିଣତ କରିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ କର୍ପୋରେଟ୍ ସିଡ଼ିରେ ଆପଣ ଉପରକୁ ଯିବାର ଧାରା କେମିତି ସହଜ ହୋଇପାରିବ।

  • ଯଦି ଆପଣ କୌଣସି କମ୍ପାନିରେ ଟିମ୍ ଲିଡର୍ ବା ତା’ଠାରୁ ଉପରସ୍ତରରେ କାମ କରୁଥାନ୍ତି ତେବେ ପ୍ରତିଦିନର କାମବେଳେ ଆସୁଥିବା ବିଭିନ୍ନ ସମସ୍ୟାକୁ ଟିପିବାକୁ ଆପଣଙ୍କ ସହକର୍ମୀମାନଙ୍କୁ ଉତ୍ସାହିତ କରନ୍ତୁ।
  • ତା’ ସହିତ ସେମାନେ କିପରି ସେସବୁ ସମସ୍ୟାର ସମାଧାନ ଦିଗ ବାହାର କରିପାରିବେ ସେ ଦିଗରେ ମଧ୍ୟ ଉତ୍ସାହିତ ଓ ପ୍ରୋତ୍ସାହିତ କରନ୍ତୁ।
  • ଯେଉଁ ସମସ୍ୟାଗୁଡ଼ିକ ବାରମ୍ବାର ଆସୁଛି ବା ଅଲଗା ଅଲଗା ସ୍ଥାନରେ ଏବଂ ଅଲଗା ଅଲଗା ବ୍ୟକ୍ତି କାମ କଲାବେଳେ ଦେଖାଯାଉଛି ସେଗୁଡ଼ିକୁ ଟିପି ଆପଣଙ୍କ ଟିମ୍ ବା କମ୍ପାନିର ପରବର୍ତ୍ତୀ ତାଲିମ୍ କାର୍ଯ୍ୟକ୍ରମ ବେଳେ ତାକୁ ଟ୍ରେନିଂ ଆଜେଣ୍ଡାରେ ଯୋଡ଼ନ୍ତୁ।
  • ମନେରଖନ୍ତୁ, ଆପଣଙ୍କ ବସ୍ ଆପଣଙ୍କୁ ନୂଆ ନୂଆ ଭୁଲ୍ କଲେ କ୍ଷମା କରିପାରନ୍ତି। ହେଲେ ସେହି ଏକା ଭୁଲ୍ ବାରମ୍ବାର କଲେ କେହି ଆପଣଙ୍କୁ କ୍ଷମା ଦେବେ ନାହିଁ।

ଅପମାନିତ ମନେକରନ୍ତୁ ନାହିଁ

ଓଡ଼ିଆରେ ଗୋଟିଏ ଆପ୍ତ ବାକ୍ୟ ରହିଛି – ‘ଭଲ ମଣିଷକୁ ପଦେ, ସୁଧାର ଗାଈକୁ ଛାଟେ’। ଏହା ଅର୍ଥ ହେଲା ଯେଉଁ ମଣିଷ ସଚେତନ ଓ ବିବେକବାନ ସେ ନିଜର ଭୁଲକୁ ଗ୍ରହଣ କରିବାକୁ ପଛାଇନଥାଏ। କେହି ଜଣେ ତାକୁ ତା’ ଆଡ଼କୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ସେ ନିଜେ ନିଜକୁ ସୁଧାରି ନେବାକୁ ଚେଷ୍ଟା କରିଥାଏ।

ସେହିପରି ମଣିଷ ନିଜର ଅଜାଣତରେ ବା ଦୁର୍ଘଟଣାବଶତଃ ଭୁଲ କରି ବସେ। ଏଥିପାଇଁ ଜଣକୁ ବେଳେ ବେଳେ ତିରସ୍କାର ଓ ଦଣ୍ଡ ସହିବାକୁ ପଡ଼ିଥାଏ। କିନ୍ତୁ ବୁଦ୍ଧିମାନ ଲୋକ ହେଉଛି ସେ, ଯେ ଏଭଳି କୌଣସି ପରିସ୍ଥିତିରେ ଭାଙ୍ଗି ନପଡ଼ି ବା ନିଜକୁ ଅପମାନିତ ବା ଲାଞ୍ଛିତ ମନେ ନ କରି ନିଜ ଭୁଲର ସୁଧାରରେ ମନ ଦେଇଥାଏ।

କର୍ପୋରେଟ୍ ଜଗତରେ ମଧ୍ୟ ସାଧାରଣ ଜୀବନର ଏହି ନିୟମ ଚାଲେ। ତେଣୁ କେବେ ନିଜର କୌଣସି ଭୁଲ ପାଇଁ ଅଡ଼ୁଆ ପରିସ୍ଥିତିର ସମ୍ମୁଖିନ ହେଉଥିଲେ ଅତି ସମ୍ବେଦନଶୀଳ ବା ବ୍ୟସ୍ତ ବିବ୍ରତ ହେବା ଉଚିତ୍ ନୁହେଁ। ବରଂ ସେ ଭୁଲରୁ କ’ଣ ଶିଖିବାକୁ ମିଳିଲା ତାହା ବୁଝିବା ଓ ଆଗକୁ କିଭଳି ସେ ଭୁଲର ପୁନରାବୃତ୍ତି ନ ହୁଏ ସେ ଦିଗରେ ଧ୍ୟାନ ଦେବା ସବୁଠୁ ବଡ଼ କଥା।

ତେଣୁ କର୍ପୋରେଟ ଜୀବନର ସରଳ ଫଣ୍ଡା ହେଉଛି: ସମସ୍ୟାକୁ ଘୋଡ଼ାଇଲେ ତାହା ଆପଣଙ୍କୁ ଗୋଡ଼ାଇବ।

Comment