ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କଳାଧନ ଯାଞ୍ଚ୍ ପାଇଁ ଗଠିତ ଏସ୍ଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି କଟକଠାରେ ଅନୁଷ୍ଠିତ ହୋଇଛି। ଏସ୍ଆଇଟିର ଉପାଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ଏଥିରେ କଳାଧନ କେତେ ରହିଛି, ସୁନା ଗହଣା କେତେ କାରବାର ହେଉଛି ଏବଂ କେତେ ପରିମାଣର ନିଶାଦ୍ରବ୍ୟ ବଣ୍ଟାଯାଉଛି, ସେସବୁର ତଦନ୍ତ ସ୍ପେସାଲ ଇଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ଦେଶର କେଉଁ ରାଜ୍ୟରେ କେଉଁ ଦଳ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି, ଏଥିରୁ କେତେ ଅର୍ଥ କଳାଧନ ରହିଛି, ସେସବୁକୁ କିପରି ରୋକାଯାଇ ପାରିବ ତା’ ଉପରେ ପଦକ୍ଷେପ ନେବାକୁ ଭାରତୀୟ ନିର୍ବାଚନ କମିସନ୍ ଏସ୍ଆଇଟିକୁ ଅନୁରୋଧ କରିଥିଲେ। ଏ ନେଇ ଏସ୍ଆଇଟି ବୈଠକରେ ଭାରତୀୟ ନିର୍ବାଚନ କମିସନଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିବା ଏହାର ନିର୍ଦ୍ଦେଶକ ବିକ୍ରମ ବାତ୍ରା ଏ ସମ୍ପର୍କରେ ସବିଶେଷ ତଥ୍ୟ ଏସ୍ଆଇଟିକୁ ଦେଇଥିବା ଜଷ୍ଟିସ୍ ପଶାୟତ ସୂଚନା ଦେଇଛନ୍ତି।

ଆର୍ଥିକ କାରବାର ଘଟଣାରେ ଯେଉଁସବୁ ମାମଲା ଉପରେ ବିଭିନ୍ନ ଅଦାଲତଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି ସେସବୁ ରହିତାଦେଶ ୬ ମାସ ମଧ୍ୟରେ ଆପଣାଛାଏଁ ହଟିଯିବ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଉଲ୍ଲେଖ କରିଥିଲେ। ତେଣୁ କେଉଁ ବିଭାଗରେ କେତେ ମାମଲା ଏହିଭଳି ରହିଛି ଏବଂ ଯେଉଁଠି ରହିତାଦେଶ ହଟିଯାଇଛି ଏହାପରେ ସମ୍ପୃକ୍ତ ବିଭାଗ କି’ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସଂକ୍ରାନ୍ତରେ ଏସ୍ଆଇଟିକୁ ଅବଗତ କରାଯାଇଥିଲା।

ଆୟକର ବିଭାଗ କେଉଁଠି କେତେ ଚଢଉ କରିଛନ୍ତି, ଏଥିରେ କେତେ ଟଙ୍କା ଜବତ କରାଯାଇଛି ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ପୂର୍ବରୁ ଏସ୍ଆଇଟି ତଦନ୍ତ କରି ଆସୁଥିବା ତଥାକଥିତ ଆତ୍ମଘୋଷିତ ବାବାଙ୍କ ସମ୍ପତ୍ତି, ଚିଟଫଣ୍ଡ ଟଙ୍କା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିର୍ଦ୍ଦେଶକ, ସିବିଆଇ ନିର୍ଦ୍ଦେଶକ, ଓଡିଶା କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Comment