ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ହାଇକୋର୍ଟ ଏସଆଇଟିକୁ ଚାର୍ଜସିଟ୍ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ମାମଲାର ଶୁଣାଣିରେ ତଦନ୍ତର ଅଗ୍ରଗତି ସଂପର୍କରେ ଏସଆଇଟି ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଇତିମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇ ତାଙ୍କଠାରୁ ଅନେକ ତଥ୍ୟପ୍ରମାଣ ସଂଗ୍ରହ କରାଯାଇଛି ବୋଲି ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଥିଲା। ଏସଆଇଟିର ଏହି ଜବାବକୁ ହାଇକୋର୍ଟ ଗ୍ରହଣ କରିବା ସହ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ଆଡଭୋକେଟ୍ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବି.ଆର. ଷଡଙ୍ଗୀ ଏବଂ ବିଚାରଫତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ। ଏସଆଇଟି ପକ୍ଷରୁ ଆଜି ତଦନ୍ତ ସଂପର୍କରେ ସୂଚନା ଦିଆଯାଇଥିଲାବେଳେ ଆବେଧନକାରିଣୀଙ୍କ ପକ୍ଷରୁ ଏକ ଅତିରିକ୍ତ ସତ୍ୟପାଠ ହାଇକୋର୍ଟରେ ଦାଖଲ କରାଯାଇଥିଲା।

ଏସଆଇଟିର ତଦନ୍ତକୁ ନେଇ ଆବେଦନକାରିଣୀ ତାଙ୍କ ସତ୍ୟପାଠରେ କିଛି ପ୍ରଶ୍ନ ଉଠାଇଛନ୍ତି। ଅତିରିକ୍ତ ସତ୍ୟପାଠରେ ଆବେଦନକାରିଣୀ ପ୍ରଶ୍ନ କରିଛନ୍ତି ଯେ, ପ୍ରଥମେ ପରୀ ହତ୍ୟା ମାମଲା ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଜବାବ ରଖି କହିଥିଲେ କି ପରୀକୁ ଦୁଷ୍କର୍ମ କରାଯାଇନାହିଁ। କିନ୍ତୁ ଏବେ ଏସଆଇଟି କହୁଛି କି’ପରୀକୁ ଦୁଷ୍କର୍ମ କରାଯାଇଛି। ତାହେଲେ ଏଥିରୁ କାହା କଥା ସତ?

ମନ୍ତ୍ରୀ ନା ଏସଆଇଟି? ଦ୍ଵିତୀୟରେ ଗତ ନଭେମ୍ବର ୨୮ ତାରିଖରେ ରାଜ୍ୟ ସରକାର ଏକ ପ୍ରସ୍ତାବ ଗ୍ରହଣ କରିଥିଲେ ଯେ ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ପରୀ ଘଟଣାର ତଦନ୍ତ କରିବ। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ପରେ ହାଇକୋର୍ଟରେ ଦୁଇ ଥର ଗତ ୩ ତାରିଖ ଏବଂ ୧୬ ତାରିଖରେ ଏହି ମାମଲାର ଶୁଣାଣି ହୋଇଛି। କିନ୍ତୁ ଦୁଇଥର ଯାକ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ସମ୍ପର୍କରେ ଥରୁଟିଏ ହେଲେ ବି’ଅଦାଲତଙ୍କୁ ଅବଗତ କରାଯାଇ ନାହିଁ।

ପୂର୍ବ ଶୁଣାଣିରେ ଏସଆଇଟି ଏହି ଘଟଣା ସଂକ୍ରାନ୍ତରେ ବନ୍ଦ ଲଫାପାରେ ହାଇକୋର୍ଟରେ ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଦାଖଲ କଲା। ଏପର୍ଯ୍ୟନ୍ତ ଏହି ବନ୍ଦ ଲଫାପା ଖୋଲା ମଧ୍ୟ ଯାଇନାହିଁ। କିନ୍ତୁ ଏହି ରିପୋର୍ଟରେ କ’ଣ ରହିଛି ତାହା ଗଣମାଧ୍ୟମରେ ପ୍ରକାଶ ପାଇସାରିଲାଣି। ଗଣମାଧ୍ୟମକୁ ଏହି ରିପୋର୍ଟ କେଉଁଠୁ ଆସିଲା ତଦନ୍ତ ହେବା ଆବଶ୍ୟକ ବୋଲି ଆବେଦନକାରିଣୀ ପ୍ରର୍ଥନା କରିଛନ୍ତି। ଏଥିସହ ଏସଆଇଟି ଏବଂ ରାଜ୍ୟ ସରକାରଙ୍କ କଥାରେ କୌଣସି ତାଳମେଳ ରହୁନଥିବାରୁ ଏହି ଘଟଣାର ହାଇକୋର୍ଟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଉ ନଚେତ୍ ସିବିଆଇ ଏହି ଘଟଣାର ତଦନ୍ତ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ପ୍ରାର୍ଥନା କରିଛନ୍ତି।

Comment