ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ନୟାଗଡ଼ ପସ୍କୋ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ପୁଣି ରିମାଣ୍ଡରରେ ନିଆଯିବା ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ସୋମବାର ଅପରାହ୍ନ ସାଢେ ୧୨ ସମୟରେ କଡ଼ା ସୁରକ୍ଷା ମଧ୍ୟରେ ଯଦୁପୁର ଗାଁରୁ ଅଭିଯୁକ୍ତକୁ ନିଆଯାଇ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ସ୍ୱସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଠାରୁ ଏସଆଇଟି ମୁଖ୍ୟ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତକୁ ପୁଣି ଯଦୁପୁର ଗାଁକୁ ନେଇ ପରୀକୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାର ଡେମୋ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଅଭିଯୁକ୍ତ ନୀରବ ରହିଥିଲା। ଏହାପରେ ଅଭିଯୁକ୍ତକୁ ନୟାଗଡ଼ ପସ୍କୋ କୋର୍ଟରେ ହାଜର କରାଯାଇଥିଲା।

ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଅତି ରହସ୍ୟମୂଳକ ଭାବେ ଗାଁ ଦାଣ୍ଡରୁ ୫ବର୍ଷର କୁନି ଝିଅ ପରୀ ନିଖୋଜ ହୋଯାଇଥିଲା। ଏଥିରେ ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ପରେ ୪ମାସ ପରେ ପରୀ ବାପା-ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଘଟଣାକୁ ଚପାଇ ଦେବାକୁ ଶାସକ ଦଳ ଉଦ୍ୟମ କରୁଥିବା ଅଭିଯୋଗ ଜୋର ଧରିବା ପରେ ଘଟଣାରେ ଏସଆଇଟି ତଦନ୍ତ ଅରମ୍ଭ ହେଲା।ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍ଆଇଟି ଦଳ ନୟାଗଡ଼ ଯଦୁପୁରରେ ତଦନ୍ତ ଚଳାଇ ସେହି ଗାଁର ଜଣେ କଲେଜପଢ଼ୁଆ ଯୁବକକୁ ଗିରଫ କରିଥିଲା। ପରୀ ନିଖୋଜ ପୂର୍ବ ଦିନ ସଂପୃକ୍ତ ଯୁବକ ଘରକୁ ପରୀ ଯାଇଥିଲା। ତେଣୁ ସେହି ନାବାଳକ ହିଁ ପରୀକୁ ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ଏସ୍ଆଇଟି ହାତରେ ପ୍ରମାଣ ଲାଗିଥିବା ସୂଚନା ମିଳିଥିଲା। ଏହାପରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରା ଯାଇଥିବା ଏସ୍ଆଇଟି ମୁଖ୍ୟ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି।

ତେବେ ପରୀ ମାମଲାରେ ପୁଅ ନିର୍ଦୋଷ କହି ତାକୁ ଅକାରଣରେ ଫସାଇ ଦିଆଯାଉଥିବା ନାବାଳକ ଅଭିଯୁକ୍ତର ମା’ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେହିପରି ପରୀକୁ ଦୁଷ୍କର୍ମ କରି ନାବାଳକ ଅଭିଯୁକ୍ତ ହିଁ ହତ୍ୟା କରିଥିବା ଏସଆଟି ପାଖରେ ସମସ୍ତ ପ୍ରମାଣ ରହିଛି। ଘଟଣାରେ ଅଉ କାହାର ହାତ ରହିଛି କି ନାହିଁ ତାହା ଜାଣିବାକୁ ତଦନ୍ତ ଜାରି ରହିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସ୍ପଷ୍ଟ କହିଛନ୍ତି।

ଅନ୍ୟପଟେ ପରୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ସହ ସ୍ଥାନୀୟ ନେତାଙ୍କ ସଂପୃକ୍ତି ରହିଥିବା ଆପତ୍ତିରେ ବିଜେପି ପଦଯାତ୍ରା କରିଛି। ସେହିପରି ପରୀକୁ ନ୍ୟାୟ ଦାବିରେ କଂଗ୍ରେସ ମଧ୍ୟ ଆନ୍ଦୋଳନ ଜାରି ରଖିଛି।

Comment