ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଟରନେଟ୍ ଏବଂ ମୋବାଇଲ୍ ଗେମ୍‌ ଆଜିସବୁଠାରୁ  ଅଧିକ ଲୋକପ୍ରିୟ ହୋଇଛି। ହେଲେ ଏହା ଯେ ଲୋକଙ୍କ ମରଣର କାରଣ ହୋଇପାରେ ବହୁଚର୍ଚ୍ଚିତ ସୁଇସାଇଡ୍ ଗେମ୍‌ ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍ ତା’ର ଏକ ଉଦାହରଣ।

ଇଣ୍ଟରନେଟ୍‌ରେ ଚାଲିଥିବା ବହୁଚର୍ଚ୍ଚିତ ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ ବା ନୀଳ ତିମି ଗେମ୍‌କୁ ନେଇ ମାମଲା ଏବେ କୋର୍ଟରେ। ଫେସ୍‌ବୁକ୍, ଗୁଗୁଲ୍ ଏବଂ ୟାହୁ ଭଳି ଇଣ୍ଟରନେଟ୍‌ ସଂସ୍ଥା ଏହି ଗେମ୍‌ର ଲିଙ୍କକୁ ସେମାନଙ୍କ ସାଇଟ୍‌ରୁ ହଟାଇବା ପାଇଁ ହୋଇଥିବା ଆବେଦନର ବିଚାରକରି ଏ ବାବଦରେ ନିଜର ପକ୍ଷ ରଖିବାକୁ ସମ୍ପୃକ୍ତ କମ୍ପାନିଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବ୍ଲୁ ହ୍ୱେଲ୍ ହେଉଛି ଏକ ଇଣ୍ଟରନେଟ୍‌ ଗେମ୍‌। ଏହି ଗେମ୍‌ ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିବାର ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ ଏହା ଯୋଗୁଁ ପୃଥିବୀର ବିଭିନ୍ନ ସ୍ଥାନରେ କେତେକ ଶିଶୁ ଓ କିଶୋର ଆତ୍ମହତ୍ୟା କରିଥିବା ପ୍ରକାଶ ପାଇବା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାପରତି ଜଷ୍ଟିସ୍ ଗୀତା ମିତଲ୍ ଏବଂ ଜଷ୍ଟିସ୍ ସି. ହରିଶଙ୍କରକୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏ ବାବଦରେ କ’ଣ ପଦକ୍ଷେପ ନିଆଯାଇଛି କୋର୍ଟକୁ ଜଣାଇବାକୁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି।

ଆଗ ଧାଡ଼ିର ଇଣ୍ଟରନେଟ୍ କମ୍ପାନି ଗୁଗୁଲ୍, ଫେସବୁକ୍ ଏବଂ ୟାହୁର ଭାରତ ସ୍ଥିତ ଅଫିସକୁ ନିଜର ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିପଦଜନକ ଇଣ୍ଟରନେଟ୍‌କୁ ବ୍ୟାନ୍ କରିବା ପାଇଁ କେନ୍ଦ୍ର ଦେଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ କମ୍ପାନି ପକ୍ଷରୁ କି ପଦକ୍ଷେପ ନିଆଯାଇଛି ତାହା ଦର୍ଶାଇବାକୁ କୋର୍ଟ କହିଛନ୍ତି। ଆଗାମୀ ୨୮ ତାରିଖ ସୁଦ୍ଧା ଏ ବାବଦରେ ଉତ୍ତର ଦେବାକୁ କୋର୍ଟ ସମୟ ଦେଇଛନ୍ତି।

ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ ଗେମ୍ ସମ୍ପର୍କିତ କୌଣସି ପ୍ରକାର ଅପଲୋଡ୍‌ରୁ ଇଣ୍ଟରନେଟ୍‌ କମ୍ପାନିମାନେ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ଗୁର୍‌ମିତ୍‌ ସିଂହ ହାଇକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି। ମାମଲାର ହସ୍ତକ୍ଷେପ କରିବାକୁ ନିବେଦନ କରିବା ବେଳେ ସେ ଉଲ୍ଲେଖ କରିଛନ୍ତି ଯେ ଏହି ଗେମ୍ ଭାରତ ଏବଂ ବିଦେଶରେ ଅନେକ ଶିଶୁର ମୃତ୍ୟୁର କାରଣ ହୋଇଛି।

ଅଗଷ୍ଟ ୧୫ ତାରିଖ ଦିନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଘାତକ ଗେମ୍‌କୁ ଇଣ୍ଟରନେଟ୍‌ରୁ ତୁରନ୍ତ ହଟାଇବା ପାଇଁ ଗୁଗୁଲ୍, ଫେସବୁକ୍, ଇନଷ୍ଟାଗ୍ରାମ୍, ମାଇକ୍ରୋସଫ୍ଟ, ୟାହୁ ଏବଂ ହ୍ୱାଟ୍‌ସପ୍ ଆଦି ଇଣ୍ଟରନେଟ୍ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍ ଗେମ୍‌ଟି ଗତ କିଛି ମଧ୍ୟରେ ଇଣ୍ଟରନେଟ୍‌ରେ ବେଶ୍‌ ଲୋକପ୍ରିୟ ହୋଇଉଠିଛି। ଆଇଟି ବିଶେଷଜ୍ଞଙ୍କ କହିବା କଥା ଯେ ଏହା ସୁଇସାଇଡ୍‍ ଗେମ୍‌ ଯାହାକି ଏହାକୁ ଖେଳୁଥିବା ବ୍ୟକ୍ତିଙ୍କୁ ସେ ଶେଷରେ ମରଣମୁହଁକୁ ଟାଣି ନିଏ। ଭାରତରେ ଗତ କିଛି ସପ୍ତାହ ମଧ୍ୟରେ ୧୨ରୁ ୧୯ ବର୍ଷ ବୟସ ମଧ୍ୟରେ ୬ରୁ ଅଧିକ ଶିଶୁ ଓ କିଶୋର ଏହି ଗେମ୍ ଖେଳି ଆତ୍ମହତ୍ୟା କରିଥିବା ଜଣାଯାଇଛି। ସେହିପରି ଅନ୍ୟ ଦେଶ ମଧ୍ୟରେ ଋଷ, ଚାଇନା, ସାଉଦି ଆରବିୟା, ବ୍ରାଜିଲ୍, ଆର୍ଜେଣ୍ଟିନା, ଚିଲି ଓ ଇଟାଲି ଆଦି ସ୍ଥାନରେ ମଧ୍ୟ ଏଭଳି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି।

Tags: Blue Whale, Blue Whale game,  Human Psychology, Internet Game, Online Game, Social Media, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here