ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଅଟୋ ରାଜା’। ଏହା କୌଣସି ଦକ୍ଷିଣ ଭାରତୀୟ ସିନେମାର ଶୀର୍ଷକ ନୁହେଁ। କିନ୍ତୁ ସିନେମା ପରି ମନେ ହୋଇପାରେ ଜଣେ ବ୍ୟକ୍ତିଙ୍କ ଏହି କାହାଣୀ।

ପିଲାଦିନେ କୁସଙ୍ଗରେ ପଡ଼ିଯାଇଥିଲେ ରାଜା। ଚୋରିଠାରୁ ଆରମ୍ଭ କରି ଲୁଟ୍, ମାଡ଼ପିଟ୍ – ସବୁଥିରେ ସେ ବଦନାମ ଥିଲେ। ଗୋଟିଏ ମାମଲାରେ ତାଙ୍କୁ ଜେଲଦଣ୍ଡ ହେଲା। ଜେଲଖାନାରେ ସଜା କାଟୁଥିବା ବେଳେ ସେଇ ଅନ୍ଧାର କୋଠରିର ଚାରିକାନ୍ଥ ଭିତରେ ତାଙ୍କର ମନ ପରିବର୍ତ୍ତନ ହୋ‍ଇଥିଲା। ସେଠାରୁ ମୁକୁଳି ଅଟୋ ଚାଳକ ପାଲଟିଗଲେ ସେ।

ଦିନେ ରାଜପଥ ଉପରେ ଜଣେ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ମନରେ ଭାବାନ୍ତର ହେଲା। ସେଇ ବୃଦ୍ଧାଙ୍କୁ ଉଦ୍ଧାର କରି ସେ ଯେଉଁ ସମ୍ବେଦନାର ଆରମ୍ଭ କଲେ, ତାହା ତାଙ୍କୁ ସାଧାରଣ ଦାଗୀରୁ ଜଣେ ଅସାଧାରଣ ବାପାରେ ପରିଣତ କରିଦେଲା। 

‘ଅଟୋ ରାଜା’ ଗତ ୨୦ ବର୍ଷ ଭିତରେ ୧୦ ହଜାର ଅସହାୟଙ୍କୁ ସହାୟ ହୋଇଛନ୍ତି। ସେମାନଙ୍କ ପାଇଁ ସେ ହିଁ ‘ବାପା’।

ଜେଲ୍ ଚାରିକାନ୍ଥ ଭିତରେ ହେଲା ଭାବାନ୍ତର

ଉତ୍ତର ତାମିଲନାଡୁର ବାନିୟମବାଡ଼ିର ବାସିନ୍ଦା। ରାଜା ଏକ ଆଶ୍ରମ ଚଲାନ୍ତି ଯାହାର ନାଁ ‘ନ୍ୟୁ ଆର୍କ ମିଶନ’ ବା ‘ହୋମ୍ ଫର ହୋପ୍’। ବାଙ୍ଗାଲୋରରେ ତାଙ୍କର ଜନ୍ମ। 

କୁସଙ୍ଗରେ ପଡ଼ି ସେ ଚୋରି, ରାହାଜାନି, ମାଡ଼ପିଟ୍ ଭଳି ଅପରାଧରେ ଜଡ଼ିତ ହୋଇଯାଇଥିଲେ ଅତି କମ୍ ବୟସରୁ। ମାଆଙ୍କ ମଙ୍ଗଳସୂତ୍ର ଚୋରି କରିନେଇଥିଲେ।

ଘରୁ ତଡ଼ା ଖାଇବା ପରେ ସେ ସେଇ ଲୁଟ୍ ଚୋରି କାମ କରି ଚଳୁଥିଲେ। ଦିନେ ପୋଲିସ ହାତରେ ଧରାପଡ଼ିଲେ। ଜେଲ୍ ହେଲା। ଚେନ୍ନାଇର ସେଣ୍ଟ୍ରାଲ ଜେଲର କୋଠରି ଭିତରେ ତାଙ୍କ ମନରେ ଭାବାନ୍ତର ଆସିଲା। 

ବାପା ମାଆ ନୂଆକରି ବଞ୍ଚିବା ପାଇଁ ପୁଣି ଏକ ସୁଯୋଗ ଦେଲେ ତାଙ୍କୁ। ବାପା ଲାଇସେନ୍ସ କରାଇଦେବା ପରେ ଅଟୋ ଚଳାଇବା ଆରମ୍ଭ କଲେ ରାଜା। ଏଇଠୁ ଆରମ୍ଭ ହେଲା ଦାଗୀରୁ ଜଣେ ସାମାରିଟାନ୍ (ସନ୍ଥ) ପାଲଟିବାର ଯାତ୍ରା।

୭୦୦ ନିରାଶ୍ରୟଙ୍କ ମୁହଁରେ ଆହାର ଦେଉଛନ୍ତି ରାଜା

ଅଟୋ ନେଇ ଯାଉଥିବା ବେଳେ ରାସ୍ତାରେ ଦିନେ ଦେଖିଲେ, ଜଣେ ବୃଦ୍ଧା ପଡ଼ିରହିଛନ୍ତି। ଦେହରେ ପୋଷାକ ନାହିଁ। ମୃତ୍ୟୁର ଅନ୍ତିମ ମୁହୂର୍ତ୍ତ ଗଣୁଥିଲେ ସେହି ଅସହାୟଜଣକ। ଘର ଛାଡ଼ିବା ପରେ ଅନେକ ସମୟ ଫୁଟଫାଥରେ କାଟିଥିବା ‘ଅଟୋ ରାଜା’ ଏ ଦୃଶ୍ୟ ଦେଖି ତାଙ୍କ ହୃଦୟ ତରଳିଗଲା। ସେ କାନ୍ଦିବାକୁ ଲାଗିଲେ। ଅସହାୟ ଲୋକଜଣକ ଭଗବାନ ଥିଲେ କି ଦେବଦୂତ, ତାହା ରାଜା ଜାଣିନଥିଲେ। କିନ୍ତୁ ତାଙ୍କୁ ନିଜ ଆଖିରେ ଏପରି ଦେଖିବା ପରେ ସେ ଏକ ନିଷ୍ପତ୍ତି ନେଲେ- ଏପରି ଅସହାୟ ଲୋକମାନଙ୍କୁ ସେ ଉଦ୍ଧାର କରିବେ ଆଉ ନୂଆ ଜୀବନ ଦେବେ।  ଅଭିଯାନ ଆରମ୍ଭ ହେଲା। ଲୋକେ ଭାବିଲେ- ଯିଏ ନିଜ ସ୍ତ୍ରୀ ପିଲାଙ୍କୁ ଭଲରେ ଖାଇବା ପିନ୍ଧିବା ଦେଇପାରୁନାହିଁ, ସେ ଅନ୍ୟମାନଙ୍କୁ କିପରି ଚଳାଇବ। କେହି ବିଶ୍ୱାସ କରନ୍ତୁ କି ନକରନ୍ତୁ ଏହା ସତ ଯେ ‘ଅଟୋ ରାଜା’ ୭୦୦ ନିରାଶ୍ରୟଙ୍କୁ ପ୍ରତ୍ୟେକ ଦିନ ୩ ଥର ଖାଦ୍ୟ ଖୁଆଉଛନ୍ତି। ପ୍ରତି ମାସରେ ହଣ୍ଡାରେ ରନ୍ଧା ହେଉଛି ୩୮୦୦ କେଜି ଚାଉଳ। ମାସକୁ ସେମାନଙ୍କ ପିଛା ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।

୧୦ ହଜାର ନିରାଶ୍ରୟଙ୍କ ପାଇଁ ‘ହୋମ୍ ଫର ହୋପ୍’

ଏବେ ଲୋକଙ୍କ ପାଖରୁ ଖବର ପାଉଛନ୍ତି ଅଟୋ ରାଜା। ସହରର ଯେକୌଣସି ରାସ୍ତା କି ଗଳିରେ ନିଜ ଟିମ୍ ସହ ପହଞ୍ଚି ଅସହାୟଙ୍କୁ ଉଦ୍ଧାର କରି ନିଜ ଠିକଣାକୁ ନେଇଆସୁଛନ୍ତି। ସେ ଠିକଣାର ନାଁ ‘ନ୍ୟୁ ଆର୍କ ମିଶନ ଅଫ୍ ଇଣ୍ଡିଆ, ହୋମ୍ ଫର ହୋପ୍’। ପୋଲିସ ହୁଅନ୍ତୁ କି ହସପିଟାଲ। ଏନ୍‌‍ଜିଓ ହୁଅନ୍ତୁ କି ଆମ୍ବୁଲାନ୍ସ। ସେମାନେ ନିରାଶ୍ରୟଙ୍କୁ ପାଇଲେ ‘ଅଟୋ ରାଜା’ଙ୍କ ବେଙ୍ଗାଲୁର ସହର ନିକଟସ୍ଥ ଡୋଡ଼ାଗୁଡ଼ି ଗାଁରେ ଥିବା ଏଇ ଠିକଣାରେ ଆଣି ଛାଡ଼ିଦେଇ ଯାଉଛନ୍ତି। ଆମେ ଏଭଳି ସମୟରେ ବଞ୍ଚିଛେ, ଯେଉଁଠି ଆମ ପାଖରେ ନିଜ ପରିବାର ଲୋକଙ୍କ ପାଇଁ ସମୟ ନାହିଁ। କିନ୍ତୁ ଗତ ୨୦ ବର୍ଷ ଭିତରେ ରାଜା ୧୦ ହଜାରରୁ ଅଧିକ ନିରାଶ୍ରୟଙ୍କ ଯତ୍ନ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ମାନସିକ ଭିନ୍ନକ୍ଷମ।

ସମସ୍ତଙ୍କ ପାଇଁ ସେ ଜଣେ ଅସାଧାରଣ ବାପା

ତାଙ୍କୁ ପୃଥିବୀର ସବୁଠୁ ବେଶୀ ଖୁସି ଲାଗେ, ଯେତେବେଳେ ୮୦ ବର୍ଷର ବୁଢ଼ୀ ମହିଳାଜଣକ ତାଙ୍କୁ ‘ବାପା’ ବୋଲି ଡାକନ୍ତି। ରାଜା ହେଉଛନ୍ତି ମିଶନରେ ଥିବା ସମସ୍ତ ଅନ୍ତେବାସୀଙ୍କ ପାଇଁ ‘ବାପା’। ସମସ୍ତେ ତାଙ୍କୁ ‘ଡାଡି’ ବୋଲି ଡାକନ୍ତି। ରାଜାଙ୍କ ଧାରଣା ହେଉଛି- ‘ବାପା ହେବା ପାଇଁ କେବଳ ରକ୍ତର ସମ୍ପର୍କ ନୁହେଁ; ଗୋଟିଏ ସମ୍ବେଦନା ଭର୍ତ୍ତି ହୃଦୟଟିଏ ଦରକାର।’ ୧୩ ଜଣ ଅନ୍ତେବାସୀଙ୍କୁ ନେଇ ଆରମ୍ଭ ହୋଇଥିବା ତାଙ୍କର ଏହି ଆଶ୍ରୟସ୍ଥଳୀ ପାଇଁ କର୍ଣ୍ଣାଟକ ସରକାର ୧ ଏକର ଜମି ଦେଇଛନ୍ତି। କେବଳ ସେତିକି ନୁହେଁ, ଏଯାବତ୍ ସେ ୪ ହଜାର ମୃତଦେହର ଶବସଂସ୍କାର ମଧ୍ୟ କରାଇଛନ୍ତି ।

(ପ୍ରସ୍ତୁତି : ସନ୍ତୋଷ)

Tags: Social Work, Auto Raja, Home for Hope, New Arc Mission of India, Social Worker,Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories, Santosh

Comment