ଓଡ଼ିଶାଲାଇଭ୍‍ ବ୍ୟୁରୋ

ପୁରୁଣା ଗୀତକୁ ନୂଆ ଢଙ୍ଗରେ ପରିବେଷଣ କରିବା ହିନ୍ଦୀ ଚଳଚ୍ଚିତ୍ର  ଜଗତରେ  ନୂଆ କଥା ନୁହେଁ। ପାକିସ୍ତାନର ସୁଫିଆନା କୱାଲି ଗାୟକ ଓସ୍ତାଦ୍ ନୁସରତ୍ ଫତେହ ଅଲ୍ଲୀ ଖାଁଙ୍କ ଲୋକପ୍ରିୟ ଗଜଲ ‘ମେରେ ରଶକେ କମର’ ପୁଣିଥରେ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଚହଳ ପକେଇଛି।

ବଲିଉଡ୍‌ ତାରକା ଅଜୟ ଦେବଗନ ଓ ଇଲିଆନା ଡି କ୍ରୁଜ୍ ଅଭିନୀତ ‘ବାଦ୍‌ଶାହୋ’ ସିନେମାର ଏହି ଗୀତ ରିଲିଜ୍ ହେବା ପରେ ଏହା ନମ୍ବର ୱାନ୍‌ର ସ୍ଥାନ ଅକ୍ତିଆର କରିଛି। ଏହି ଗୀତର ନୂଆ ସଂସ୍କରଣର ରାହତ୍ ଫତେହ ଅଲ୍ଲୀ ଖାନ୍ ମଧ୍ୟ କଣ୍ଠଦାନ କରିଛନ୍ତି।

’ରଶ୍‌କେ କମର୍‌’ର ଅର୍ଥ ହେଉଛି ‘ଜହ୍ନ ବି ତୁମ ସୁନ୍ଦରତାକୁ ଇର୍ଷା କରୁଛି’। ଏହି ଗୀତରେ ଅଜୟ ଦେବଗନଙ୍କ ଭାବୋଦ୍ଦୀପକ ଚାହାଣୀ ଓ ଇଲିଆନାଙ୍କ ସହ ତାଙ୍କ କେମେଷ୍ଟ୍ରି ପ୍ରେମୀଯୁଗଳଙ୍କୁ ବିମୋହିତ କରୁଛି।

କେବଳ ସେତିକି ନୁହେଁ, ଗୀତରେ ହାରମୋନିୟମ୍ ଓ ମାଣ୍ଡୋଲିନ୍‌ର ଧ୍ୱନି ସାଙ୍ଗକୁ ନୂସରତ୍ ଫତେହ ଅଲ୍ଲୀ ଖାନ୍ ଓ ତାଙ୍କ ପୁତୁରା ରାହାତ୍‌ ଫତେହ ଅଲ୍ଲୀ ଖାନ୍‌ଙ୍କ କଣ୍ଠ ସ୍ୱର ଓ ଭାବୋଦ୍ଦୀପକ ଶବ୍ଦ ସଂଯୋଜନା ସଙ୍ଗୀତ ପ୍ରେମୀଙ୍କୁ ମସ୍‌ଗୁଲ୍ ହେବାକୁ ବାଧ୍ୟ କରୁଛି।

ଅନେକଥର ପୁରୁଣା ଗୀତକୁ ନୂଆ ଢଙ୍ଗରେ ପରିବେଷଣ କରିବା ସମୟରେ ଏହାର ମୌଳିକ ଭାବ କ୍ଷୁର୍ଣ୍ଣ ହୋଇଥାଏ। କିନ୍ତୁ ‘ରଶକେ କମର’ ଗୀତରେ ସଙ୍ଗୀତ ସଂଯୋଜକ ତନିସ୍କ ବାଗ୍‌ଚୀ ସମ୍ପୂର୍ଣ୍ଣ ରୂପେ ଏଥିପ୍ରତି ଧ୍ୟାନ ଦେଇଛନ୍ତି। ଯେଉଁଥିପାଇଁ ଆକ୍ସନ ଥ୍ରୀଲର ସିନେମା ‘ବାଦ୍‌ଶାହୋ’ର ରିଲିଜ୍ ପୂର୍ବରୁ ହିଁ ଏହା ହିଟ୍ ବୋଲି କହିଲେ ଅତ୍ୟୁକ୍ତି  ହେବ ନାହିଁ। ଜଣେ ସାଧାରଣ ମଣିଷ ଓ ରାଜସ୍ଥାନର ରାଜକୀୟ ପରିବାରର ଉତ୍ତରାଧିକାରିଣୀଙ୍କ ସମ୍ପର୍କ ଏହି ଗୀତରେ ପ୍ରତିଫଳିତ ହୋଇଛି।

ଏହି ଗୀତର ହୃଦୟସ୍ପର୍ଶୀ ସ୍ୱରକୁ ଆଖି ଆଗରେ ରଖି ଅନେକ ଜଣାଶୁଣା ଗାୟକ/ଗାୟିକା ମଧ୍ୟ ଏହି  ଗୀତକୁ ଗାଇ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ଲୋକପ୍ରିୟତା ଅର୍ଜନ କରୁଛନ୍ତି। ଗାୟକ ରାହୁଲ୍ ବୈଦ୍ୟ ନିଜ ଟିମ୍ ସାଙ୍ଗରେ ଏହି ଗୀତକୁ ଗାଇ ତାଙ୍କର ଫ୍ୟାନ୍‌ମାନଙ୍କୁ ଖୁସି କରିଛନ୍ତି।

ସେହିପରି ନେହା କକ୍କର ମଧ୍ୟ ଏହି ଗୀତକୁ ରିଅଲିଟି ସୋ’ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପସ’ରେ ଗାଇବାର ଦେଖାଯାଇଥିଲା। ବଲିଉଡର ଲୋକପ୍ରିୟ ରୋମାଣ୍ଟିକ୍ ଗାୟକ ଅଭିଜିତ୍ ସିଂ ମଧ୍ୟ ଏହି ଗୀତକୁ ଗାଇଛନ୍ତି। କେବଳ ସେତିକି ନୁହେଁ, ଏହି ଗୀତରେ ଅନେକ ଡାନ୍‌ସ ଭିଡିଓ ମଧ୍ୟ ୟୁଟ୍ୟୁବ୍‌ରେ ଭରିଗଲାଣି।

Tags: Ajay Devgan, Baadshaho, Ileana D’Cruz, Emraan Hashmi, Vidyut Jammwal, Esha Gupta, Sanjay Mishra, Mere Rashke Kamar, Neha Kakkar, Arijit Singh, YouTube Videos, Bollywood, Nusrat Fateh Ali Khan, Rahat Fateh Ali Khan, Bollywood Songs, Hindi Movie Songs, Baadshaho Song, Sufi Song, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment