ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷକ ତଳେ ଦାନ ମାଝିର ଯେଉଁ ଅବସ୍ଥା ଥିଲା ତାହା ଆଉ ଏବେ ସମ୍ଭବତଃ ନାହିଁ। ଗାଡ଼ି ଭଡ଼ା କରି ସ୍ତ୍ରୀର ଶବକୁ ଘରକୁ ଆଣିବା ପାଇଁ ଯେଉଁ ଦାନ ପାଖରେ ଟଙ୍କାଟିଏ ନ ଥିଲା ସେ ଆଜି ୩୭ ଲକ୍ଷ ଟଙ୍କାର ମାଲିକ ହୋଇଛି। ଅମାଙ୍ଗ ଦେଈ ଆରପାରିକୁ ଚାଲିଯିବା ପରେ ଗରିବ ଆଦିବାସୀ ଦାନ ଧନୀ ପାଲଟିଥିବା କୁହାଯାଉଛି।

୨୦୧୬ ଅଗଷ୍ଟ ୨୪। ଏହି ତାରିଖରେ କଳାହାଣ୍ଡି ଜିଲ୍ଲାର ଏକ ଅଭାବନୀୟ ଚିତ୍ର ସମଗ୍ର ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଥୁଆମୂଳ-ରାମପୁର ବ୍ଲକର ମେଲଘର ଗ୍ରାମର ଦାନ ମାଝି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସ୍ତ୍ରୀ ଅମାଙ୍ଗ ଦେଈର ଶବ କାନ୍ଧରେ ବୋହି ୧୦ କି.ମି ଚାଲିବାର ଚିତ୍ର ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା। ଏହି ଚିତ୍ରକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବିଭିନ୍ନ ମହଲରୁ ସମ୍ବେଦନାର ସୁଅ ଛୁଟିଥିଲା।

ହେଲେ, ଏବେ ସମୟ ସ୍ରୋତରେ ସବୁକିଛି ବଦଳି ଯାଇଛି। ବର୍ଷକ ପରେ ଏବେ ଦାନ ମାଝି ଭାଗ୍ୟରେ ପରିବର୍ତ୍ତନ ଆସିଛି। ବର୍ଷକ ତଳେ ଦାନର ଯେଉଁ ଅବସ୍ଥା ଥିଲା ତାହା ଆଉ ଏବେ ସମ୍ଭବତଃ ନାହିଁ। ଗାଡ଼ି ଭଡ଼ା କରି ନିଜ ସ୍ତ୍ରୀର ଶବକୁ ଘରକୁ ଆଣିବା ପାଇଁ ଯେଉଁ ଦାନ ମାଝି ପାଖରେ ଟଙ୍କାଟିଏ ନ ଥିଲା, ସେ ଆଜି ୩୭ ଲକ୍ଷ ଟଙ୍କାର ମାଲିକ ହୋଇଛି। ମୋଟାମୋଟି ଭାବେ ଅମାଙ୍ଗ ଦେଈ ହିଁ ଦାନର ଭାଗ୍ୟକୁ ବଦଳାଇ ଦେଇ ଚାଲିଗଲା ବୋଲି ସ୍ୱୀକାର କରିବାକୁ ପଡିବ।

ଧନୀ ପାଲଟିଲା କଳାହାଣ୍ଡିର ଗରିବ ଦାନ

ଅମାଙ୍ଗ ଦେଈ ଆର ପାରିକୁ ଚାଲିଯିବା ପରେ ୩ ଝିଅଙ୍କୁ କେମିତି ମଣିଷ କରିବ ତାକୁ ନେଇ ଦାନ ବର୍ଷକ ତଳେ ଚିନ୍ତାରେ ପଡିଥିଲା। ଅର୍ଥ ଅଭାବ ଯୋଗୁ ଦାନ ନିଜ ଚାଳ ଛପର ଘର ବି ମରାମତି କରିପାରୁ ନ ଥିଲା। ଗଣମାଧ୍ୟମରେ ଦାନର ଏହି ଶୋଚନୀୟ ଅବସ୍ଥାର ଚିତ୍ର ପ୍ରକାଶ ପାଇବା ପରେ ୩ ଝିଅଙ୍କୁ ପାଠ ପଢ଼ାର ସୁଯୋଗ ମିଳିଥିଲା।

ଗତ ବର୍ଷ ସେପ୍ଟେମ୍ବର ମାସରୁ ଚାନ୍ଦିନୀ, ପ୍ରମିଳା ଏବଂ ସୋନେଇଙ୍କୁ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କ ଅନୁଷ୍ଠାନରେ ଶିକ୍ଷାଦାନର ସୁଯୋଗ ଦେଇଥିଲେ। ମୁଣ୍ଡ ଗୁଞ୍ଜିବା ପାଇଁ ରାଜ୍ୟ ସରକାର ଇନ୍ଦିରା ଆବାସ ଯୋଜନାରେ ଦାନକୁ ଘର ଦେଇଛନ୍ତି। ଖାଲି ସେତିକି ନୁହେଁ, ବାହାରିନ୍‍ ପ୍ରଧାନମନ୍ତ୍ରୀ ଖଲିଫା ବିନ୍‍ ସଲମନ୍‍ ଅଲ୍‍ ଖଲିଫା ୯ ଲକ୍ଷ ଟଙ୍କାର ଚେକ୍‍ ଦେଇଥିଲେ। ସେହିପରି ସୁଲଭ ଇଣ୍ଟରନ୍ୟାସନାଲ ସଂସ୍ଥା ତରଫରୁ ଦାନ ନାଁରେ ୫ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‍ ବ୍ୟାଙ୍କରେ ଜମା କରାଯାଇଥିଲା। ଏହାସହ ଅନ୍ୟ ସଂସ୍ଥା ମଧ୍ୟ ଦାନକୁ ଆର୍ଥିକ ସହାୟତା କରିଥିଲେ।

ଅମାଙ୍ଗକୁ ଭୁଲି ଦାନ ରାୟଗଡାର ୩୪ ବର୍ଷିୟା ଅଲମତି ଦେଈଙ୍କୁ ବିବାହ କରିଛି। ଫଳରେ ସେଦିନର ଗରିବ ଦାନ ଆଜି ଧନୀ ଆଦିବାସୀ ପାଲଟି ଯାଇଛି।  ଆଉ ବିଳାସ ବ୍ୟସନରେ ଦିନ କାଟୁଛି।

କ’ଣ ଥିଲା ଘଟଣା

ଦାନ ମାଝିର ପତ୍ନୀ ଅମାଙ୍ଗ ଦେଈର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ରହୁଥିଲା। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଦାନ ଡାକ୍ତରଙ୍କୁ ଦେଖାଇ ଔଷଧ କିଣିପାରୁ ନ ଥିଲା। ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ଅମାଙ୍ଗଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା ଦାନ।

କିଛିଦିନ ଚିକିତ୍ସିତ ହେବା ପରେ ଅମାଙ୍ଗ ୨୦୧୬ ଅଗଷ୍ଟ ୨୪ ତାରିଖ ରାତିରେ ଆଖିବୁଜି ଦେଇଥିଲା। ପାଖରେ ଥିବା ୧୨ ବର୍ଷର ଝିଅ ଚାନ୍ଦିନୀ ମା’ ମା’ଡାକି ଚିକ୍ରାର କରିଥିଲେ ହେଁ ଅମାଙ୍ଗ ଉଠି ନଥିଲା। ଶେଷରେ ଦାନ ଡାକ୍ତରଙ୍କୁ ଖୋଜିଥିଲା ଏବଂ ଶବ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ କହିଥିଲା। ହେଲେ ଅନ୍ଧାର ରାତିରେ ଦାନର ଗୁହାରି କେହି ଶୁଣି ନ ଥିଲେ। ଫଳରେ ଭବାନୀପାଟଣାରୁ ନିଜ ଘର ୬୦ କିମି ଦୂର ମେଲଘରକୁ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବା ପାଇଁ ଦାନ ଦୁଃସାହସ କରିଥିଲା।

ଅଣ୍ଟାରେ ଲୁଙ୍ଗି, ଦେହରେ ଖଣ୍ଡେ ସାର୍ଟ ଏବଂ ଗାମୁଛା ପକାଇ ଅମାଙ୍ଗର ଶବକୁ କାନ୍ଧରେ ରଖି ଆଗକୁ ବଢ଼ିଥିଲା ଦାନ। ଝିଅ ଚାନ୍ଦିନୀ ମଧ୍ୟ ଆଖିରେ ଆଖିଏ ଲୁହ ଧରି ବାପାଙ୍କୁ ସାଥ୍‍ ଦେଇଥିଲା। ୧୦ କିମି ବାଟ ଆସିବା ପରେ ଜନୈକ ଗଣମାଧ୍ୟମ ପ୍ରତିନିଧି ଏହି ଦୃଶ୍ୟ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଫଳରେ ପ୍ରଶାସନ ତରଫରୁ ଶବ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଏହି ଅଭାବନୀୟ ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶିତ ପରେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ନିଦ ଭାଙ୍ଗିଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଓଡିଶାର ଛବି ଏହି ଘଟଣା ପାଇଁ ମଳିନ ପଡ଼ିଥିଲା। ଆଉ ଦାନ ପ୍ରତି ସମ୍ବେଦନାର ସୁଅ ଛୁଟିବା ଆରମ୍ଭ କରିଥିଲା।

Tags: Dana Majhi, Odisha Tribal, KISS, Dr. Achyuta Samanta, Bahrain Prime Minister, Prince Khalifa bin Salman Al Khalifa, Amanga Dei, Majhi, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment