ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାୟିତ୍ୱ ନେଲେ ରାଜ୍ୟର ନୂତନ ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା

କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ଡିଜିପିଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଥଲା। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ପ୍ରଥମେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଶର୍ମା କହିଛନ୍ତି ଯେ ଅପରାଧୀମାନେ ବର୍ତ୍ତମାନ ନୂଆ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପ୍ରତିଦିନ ନୂଆ ନୂଆ ଅପରାଧ ଘଟାଉଛନ୍ତି। ଏସବୁକୁ ନିୟନ୍ତ୍ରଣ କରିବାକୁ ହେଲେ ପୋଲିସକୁ ମଧ୍ୟ ଲାଟେଷ୍ଟ ଜ୍ଞାନକୌଶଳ ବ୍ୟବହାର କରିବାକୁ ପଡିବ। ପୋଲିସ କର୍ମଚାରୀଙ୍କୁ ତାଲିମ୍ ଦିଆଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଅଭ୍ୟସ୍ତ କରିବାକୁ ପଡିବ।
ପୋଲିସ ଓ ଲୋକଙ୍କ ମଧ୍ୟରେ ରହିଥିବା ଦୂରତା ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯିବ। ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପୋଲିସ ବିଗତ ଦିନରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି।
ପୋଲିସକୁ ଯେ କୌଣସି କ୍ଷେତ୍ରରେ କାର୍ଯ୍ୟ କରିବା ବେଳେ ଟିମ୍ ସ୍ପିରିଟ ରଖିବାକୁ ପଡିବ। ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟି ଭିଜନ ଅପରାଧ ଅନୁସନ୍ଧାନ, ଅପରାଧ ରୋକିବା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଆଦି କାର୍ଯ୍ୟରେ ଟିମ୍ ସ୍ପିରିଟ ରହିବା ନିହାତି ଆବଶ୍ୟକ।
ଓଡ଼ିଶା ପୋଲିସରେ ଟାଲେଣ୍ଟର ଅଭାବ ନାହିଁ। ବହୁ ଦକ୍ଷ ଅଫିସର ଆମ ପାଖରେ ଅଛନ୍ତି। ଜିଲ୍ଲାରେ ଥିବା ଏସପି ଏବଂ ଅନ୍ୟ ଅଧିକାରୀମାନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ।ସେମାନେ ଠିକ୍ ଭାବେ ନିଜର ଦାୟିତ୍ୱ ତୁଲାଇଲେ ଲୋକଙ୍କୁ ସେବା ଯୋଗାଇବାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ଡକ୍ଟର ଶର୍ମା କହିଛନ୍ତି।
ମାଓବାଦୀ ଦମନ ଉପରେ ଦୀର୍ଘ ବର୍ଷ ହେଲା ଓଡ଼ିଶା ପୋଲିସ କାର୍ଯ୍ୟ କରି ଆସୁଛି। ଏହି ଅଭିଯାନକୁ ଆଗକୁ ନେବା ପାଇଁ ପୋଲିସକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ମଧ୍ୟ ପୋଲିସ ତୀକ୍ଷ୍ଣ ନଜର ରଖିବ ବୋଲି ଡିଜିପି କହିଛନ୍ତି।
ଶର୍ମାଙ୍କ କ୍ୟାରିଅର
୧୯୮୬ ବ୍ୟାଚ ଆଇପିଏସ୍‍ ଅଫିସର ଶର୍ମା ରାୟଗଡ଼ା, ନବରଙ୍ଗପୁରରେ ଏସଡିପିଓ ଭାବେ କାର୍ଯ୍ୟ କରିଥିଲେ। ଅତିରିକ୍ତ ଏସପି, ଭୁବନେଶ୍ୱର, ଏସ୍ପପି କଳାହାଣ୍ଡି, ଏସପି ବ୍ରହ୍ମପୁର ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏହାସହ ୧୯୯୭ରେ ହାଇତିକୁ ୟୁଏନ୍‍ ସପର୍ଟ ମିଶନରେ ଯାଇଥିଲେ। ଫେରିବା ପରେ ଏସପି ଢେ଼ଙ୍କାନାଳ, ଏସପି ବାଲେଶ୍ୱର, କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ଦାୟିତ୍ୱ ତୁଲାଇ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ନ୍ୟାସନାଲ ସିକୁ୍ୟରିଟି ଗାର୍ଡ ଡିଆଇଜି, ଆଇଜି ଭାବେ ଦାୟିତ୍ୱ ତୁଲାଇବା ପରେ ୨୦୧୩ରେ ଓଡ଼ିଶା ଆସିଥିଲେ। ୨୦୧୩ ଅଗଷ୍ଟ ୧୨ରୁ ୨୦୧୬ ଜାନୁୟାରୀ ୨୭ ଯାଏଁ କଟକ-ଭୁବନେଶ୍ୱର କମିଶନରେଟ୍‍ ପୋଲିସର କମିଶନର ରହିଥିଲେ। ଏହାପରେ ସେ ଭିଜିଲାନ୍ସ ଡିଜି ଭାବେ ଅବସ୍ଥାପିତ ହୋଇଥିଲେ।

Tags: Bhubaneswar News, Breaking News, DGP, KB Singh, Latest News, Odisha Breaking News, Odisha News, Odisha Police, Odisha Stories, Odisha Top Stories, OSRTC, Police, Police Commissionerate, Prakash Mishra, RP Sharma, Sanjeev Marik, Top Stories, ପୋଲିସ ଡିଜି

Comment