ଭାସ୍କର ପରିଚ୍ଛା

ଗତ ବର୍ଷ ନଭେମ୍ବର ମାସ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଏକ ଘୋଷଣା କରି ୫୦୦ ଏବଂ ୧୦୦୦ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ସ୍ୱାଧୀନତା ପରେ ବୋଧହୁଏ ଏହି ଘଟଣା ସବୁଠାରୁ ବେଶୀ ଚର୍ଚ୍ଚିତ ଥିଲା ଏବଂ ଦିନ ମଜୁରିଆଠାରୁ କୋଟିପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିଥିଲା।

ନଅ ମାସ ପରେ ମଧ୍ୟ ଏନେଇ ଚର୍ଚ୍ଚା, ବିବାଦ ଓ ଆଲୋଚନାର ଶେଷ ହୋଇନାହିଁ। ତେବେ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ଏବେ ଏବେ ଯେଉଁ ତଥ୍ୟ ଜାରି କରାଯାଇଛି ତାହା ଗୋଟିଏ କଥାକୁ  ପ୍ରମାଣିତ କରୁଛି ଯେ  ମୋଦିଙ୍କ ନୋଟବନ୍ଦୀ ବା ବିମୁଦ୍ରୀକରଣ ସେଭଳି କିଛି ଫାଇଦା ପହଞ୍ଚାଇ ପାରିନାହିଁ।

ମୋଦି ସରକାରଙ୍କ ନୋଟବନ୍ଦୀ ପଛରେ ଗୋଟିଏ ବଡ଼ କାରଣ ଥିଲା କଳାଧନ ଖୋଜି ବାହାର କରିବା। ଦେଶରେ ଆଟର୍ଣ୍ଣି ଜେନେରାଲ୍ ମୁକୁଲ୍ ରୋହୋତୋଗୀ ସୁପ୍ରିମ୍‌କୋର୍ଟରେ କହିଥିଲେ ଯେ ଯେତେଟଙ୍କା ଅଚଳ ହୋଇଛି ସେଥିମଧ୍ୟରୁ ୪ରୁ ୫ଲକ୍ଷ କୋଟି ଟଙ୍କା ଆଉ ବଜାରକୁ ଆସିବ ନାହିଁ। ଅର୍ଥାତ୍ ସରକାରଙ୍କ ବିବେଚନା ଥିଲା ଯେ ଏଇ ପରିମାଣରେ କଳାଧନ ଅର୍ଥ ବ୍ୟବସ୍ଥା ଭିତରେ ରହିଛି। ସରକାର ଏକଥା ମଧ୍ୟ ଆଶା କରିଥିଲେ ଯେ ଏହି ଅର୍ଥକୁ  ଜବତ କରି ଅନ୍ୟବାଟରେ ତାହାକୁ ବ୍ୟୟ କରିବେ। ତେବେ ଏସବୁ ଉଦ୍ଦେଶ୍ୟ ଫସର ଫାଟିଯାଇଛି ଏବଂ ମାତ୍ର ୧୬ ହଜାର କୋଟି ଟଙ୍କା ହିଁ କଳାଧନ ବୋଲି ଜଣାପଡ଼ିଛି।

ସଦ୍ୟ ପ୍ରକାଶିତ ରିଜର୍ଭ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟରେ ଯାହା କୁହାଯାଇଛି ତାର ସାରମର୍ମ ହେଉଛି ଯେ ଅଚଳ ହୋଇଥିବା ଟଙ୍କାର ୯୯% ନୋଟ୍ ପୁଣି ବଜାରକୁ ଫେରିଆସିଛି। ମନେ ପକେଇ ଦିଆଯାଇପାରେ ଯେ ନଭେମ୍ବର ୮ ସୁଦ୍ଧା ସମଗ୍ର ଦେଶରେ ଯେତେ ନୋଟ୍ ପ୍ରଚଳିତ ଥିଲା ତାହାର ୮୬% ନୋଟ୍‌କୁ ଅଚଳ କରିଦିଆଯାଇଥିଲା। ଏହି ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ନୋଟବନ୍ଦୀ ମୋଦି ସରକାରର ସବୁଠାରୁ ବଡ଼ ବିଫଳତା ଓ ଏକ ଦୁଃସାହସିକ ପଦକ୍ଷେପ ଥିଲା।

ସାଧାରଣ ଲୋକ ବା ଆମ୍ ଆଦମୀ ପାଇଁ ସେହି ୩ ମାସ ଯେଉଁ କଷ୍ଟକର ସମୟ ଥିଲା ତାହା କହିବା ଅନାବଶ୍ୟକ। କେବଳ ଜନସାଧାରଣ ହଇରାଣ ହରକତ ହୋଇଥିଲେ ତାହା ନୁହେଁ ଏଥିରେ ସରକାରଙ୍କର ମଧ୍ୟ ବହୁ କ୍ଷତି ହୋଇଥିଲା। ରୋଜଗାର  ହ୍ରାସ ପାଇଥିଲା ଓ ଶିଳ୍ପ କାରଖାନାରେ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଥିଲା। ଦେଶର ଘରୋଇ ଉତ୍ପାଦନ ମଧ୍ୟ ହ୍ରାସ ପାଇଥିଲା। ଦୁଃଖର ବିଷୟ ଯେ ବ୍ୟାଙ୍କ୍‌ରେ ଟଙ୍କା ବଦଳ କରିବାକୁ ଯାଇ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ନୋଟବନ୍ଦୀ ପଛରେ ଆଉ ଦୁଇଟି କାରଣ ବି ଥିଲା। ପ୍ରଥମଟି ହେଉଛି ଜାଲ୍‌ ନୋଟ୍‌କୁ ରୋକିବା ଏବଂ ଆତଙ୍କବାଦକୁ ଯେଉଁମାନେ ଅର୍ଥ ଜରିଆରେ ପୃଷ୍ଠପୋଷକତା କରୁଛନ୍ତି ତାହାକୁ ଶେଷ କରିବା। ଏଥିରେ ମଧ୍ୟ ବିଶେଷ କିଛି ଫାଇଦା ହୋଇନାହିଁ।

କିଛି ଅର୍ଥନୀତିଜ୍ଞଙ୍କ ମତରେ କେତେ ଟଙ୍କା ଅଚଳ ହେଲା ଓ ନୂଆ ନୋଟ୍ ଜରିଆରେ କେତେ ଟଙ୍କା ପୁଣି ସର୍କୁଲେସନକୁ ଆସିଲା ତାହା ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଦେଶର ଅର୍ଥନୀତିରେ ଯେଉଁସବୁ  ଅଳିଆ ଥିଲା ତାହା ସଜଡ଼ା ହୋଇପାରିଛି, ଯେଉଁମାନେ ବେନାମୀ ଟଙ୍କା ରଖିଥିଲେ ତାହା ପଦାକୁ ଆସିଛି ଏବଂ ଭାରତକୁ ଡିଜିଟାଲ୍ ଅର୍ଥନୀତିରେ ପରିଣତ କରିବା ପାଇଁ ବାଟ ଫିଟିଛି।

ଏହି ପଦକ୍ଷେପକୁ ଅବଶ୍ୟ ଏବେ ବି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ସମର୍ଥନ କରୁଛନ୍ତି ଓ କହୁଛନ୍ତି ଯେ ଏହାର ଦୀର୍ଘସ୍ଥାୟୀ ପ୍ରଭାବ ରହିଛି ଏବଂ ପରବର୍ତ୍ତୀ ସମୟରେ ଏଥିରେ ଫାଇଦା ହେବ। ଜେଟ୍‌ଲୀଙ୍କ କହିବା କଥା ଯେ ନୋଟବନ୍ଦୀ ପରେ ଟଙ୍କାର ଅସଲ ମାଲିକ ଯିଏ ସିଏ ଚିହ୍ନଟ ହୋଇପାରିଛି। ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ କହିବା କଥା ଯେ ନୋଟବନ୍ଦୀ ପାଇଁ  ଯେଉଁ ଅର୍ଥନୀତିଜ୍ଞ ମୋଦି ସରକାରକୁ ପରାମର୍ଶ ଦେଇଥିଲେ ତାଙ୍କୁ ନୋବେଲ୍ ପୁରସ୍କାର ମିଳିବା ଦରକାର। ମୋଟାମୋଟି କଥା ହେଲା ଯେ ନରେନ୍ଦ୍ର ମୋଦି ସରକାର ନୋଟବନ୍ଦୀ ନାଁରେ ଯେଉଁ ଗୋଲକଧନ୍ଦାଟି କଲେ ସେଥିରେ ବିଶେଷ କିଛି ଫଳ ହେଲା ନାହିଁ ଓ ଏହା କେବଳ ଏକ ସୋ’ ବାଜି ଥିଲା।

ଦେଶରେ ଥିବା କଳାଧନକୁ ଖୋଜି ବାହାର କରିବା ପାଇଁ ମୋଦି ସରକାର ଯେଉଁ ପ୍ରୟାସ କଲେ ତାହାକୁ କେହି କେହି  ଆମେରିକାର ଅସ୍ତ୍ର ବ୍ୟବସାୟ ସହିତ ତୁଳନା କରନ୍ତି। ସାମୁହିକ ବିନାଶ ପାଇଁ ଆମେରିକା ଯେଉଁଭଳି  ଅସ୍ତ୍ରଶସ୍ତ୍ର ଠୁଳ କରିଥାଏ ଭାରତର ନୋଟବନ୍ଦୀ ମଧ୍ୟ ଊଣାଅଧିକେ ସେୟା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

Tags: Bhaskar Parichha, Demonitisation, Narendra Modi, Economics, Banking Sector, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment