ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସବାହିନୀକୁ ଅତ୍ୟାଧୁନିକ ଢାଞ୍ଚାରେ ଗଢ଼ିବା ପାଇଁ ରାଜ୍ୟ ଗୃହ ବିଭାଗ ସବୁବେଳେ ଫୋକସ୍‍ ଦେଇ ଆସୁଥିବା କୁହାଯାଉଛି। ହେଲେ ଏହି ଢାଞ୍ଚାରେ ପରିବର୍ତ୍ତନ ଆସିବା ପୂର୍ବରୁ ବାରମ୍ବାର ପୋଲିସ ମୁଖିଆଙ୍କୁ ବଦଳି କରାଯାଉଛି। ଏହାର ପ୍ରମାଣ ଗତ ୫ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି। ଦକ୍ଷ ଆଇପିଏସ୍‍ ଅଫିସର ପ୍ରକାଶ ମିଶ୍ରଙ୍କଠାରୁ କେ.ବି ସିଂହ ଓଡ଼ିଶା ପୋଲିସର ମୁଖିଆ ହୋଇଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପୂର୍ବରୁ ଶେଷ ହୋଇ ଯାଉଛି। ବିବାଦରେ ଛନ୍ଦି ହୋଇ ଏମାନେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରୁ ବିଦା ହୋଇଯାଉଛନ୍ତି। ଫଳରେ ଓଡ଼ିଶା ପୋଲିସ ଅଧିକ କ୍ରିୟାଶୀଳ ହୋଇପାରୁ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ମନମୋହନ ପ୍ରହରାଜ ପୋଲିସ ଡିଜି ପଦରୁ ଅବ୍ୟାହତି ନେବା ପରେ ବରିଷ୍ଠ ଆଇପିଏସ୍‍ ଅଫିସର ପ୍ରକାଶ ମିଶ୍ର ନେଇଥିଲେ ଦାୟିତ୍ୱ। ଜଣେ ଦକ୍ଷ ପୋଲିସ ଅଫିସର ଭାବେ ତାଙ୍କର ସୁନାମ ରହିଥିବାରୁ ଗୃହ ବିଭାଗର ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କୁ ଏହି ପୁରସ୍କାର ଦେଇଥିଲେ। ୨୦୧୨ ଜୁଲାଇ ୭ରେ ସେ ଦାୟିତ୍ୱ ନେଇଥିଲେ। ମାଓବାଦୀ ଦମନ ରଣନୀତିରେ ମିଶ୍ର ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ହେଲେ ୨୦୧୪ ନିର୍ବାଚନ ବେଳେ ବିପୁଳ ଟଙ୍କା ଜବତ କରିବା ତାଙ୍କୁ ମହଙ୍ଗା ପଡିଥିଲା। ଫଳରେ ତାଙ୍କୁ ୨୦୧୪ ଜୁଲାଇ ୫ରେ ବିବାଦୀୟ ଭାବେ ହଟାଇ ଦିଆଯାଇଥିଲା।

ଓଏସ୍‍ଆର୍‍ଟିସି ସିଏମ୍‍ଡି ଭାବେ ତାଙ୍କୁ ବଦଳି କରାଯିବା ସହ ତାଙ୍କ ନାଁରେ ଥିବା ପୁରୁଣା ମାମଲା ଖୋଲା ଯାଇଥିଲା। ପ୍ରକାଶ ମିଶ୍ରଙ୍କ ପରେ ଡିଜି ପଦବୀରେ ଅବସ୍ଥାପିତ ହୋଇଥିଲେ ସଞ୍ଜୀବ ମାରିକ। ହେଲେ ସେ ମାତ୍ର ୧୬ ମାସ ଏହି ପଦବୀରେ ରହିବାକୁ ସମର୍ଥ ହୋଇଥିଲେ। ୨୦୧୪ ଜୁଲାଇ ୫ରୁ ୨୦୧୫ ନଭେମ୍ବର ୭ ପର୍ଯ୍ୟନ୍ତ ମାରିକ ଡିଜି ଭାବେ ରହିଥିଲେ ହେଁ ବିବାଦ ତାଙ୍କ ପିଛା ଛାଡ଼ି ନଥିଲା। ନବକଳେବର ସମୟରେ ସେ ଦଇତାପତିଙ୍କ ପାଦ ଛୁଇଁ ବିବାଦୀୟ ହୋଇ ଯାଇଥିଲେ। ଏହାସହ ୪୭ ଜଣ ପୋଲିସ ଅଧିକାରୀଙ୍କ ବଦଳିକୁ ନେଇ ମାରିକ ବିବାଦରେ ରହିଥିଲେ। ଫଳରେ ସରକାର କାଳବିଳମ୍ବ ନ କରି ମାରିକଙ୍କୁ ଛୁଟିରେ ଯିବା ପାଇଁ ଆଦେଶ ଦେଇଥିଲେ। ପରେ ତାଙ୍କୁ ଓଏସ୍‍ଆରଟିସି ସିଏମ୍‍ଡି ଭାବେ ଅବସ୍ଥାପିତ କରାଯାଇଥିଲା।

ମାରିକଙ୍କ ପରେ ଅନେକ ଅଧିକାରୀଙ୍କ ନା ପୋଲିସ ଡିଜି ପାଇଁ ଚର୍ଚ୍ଚା ହେଉଥିଲା। ହେଲେ କେ.ବି.ସିଂହ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ୨୦୧୫ ନଭେମ୍ବର ୯ରେ ସିଂହ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଏହି ସମୟ ଭିତରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା କୁହାଯାଉଛି। କନ୍ଧମାଳ ଗୁମୁଡୁମାହ ଗୁଳିକାଣ୍ଡଠାରୁ ଆରମ୍ଭ କରି ଧଳ ସାମନ୍ତ ବ୍ରଦର୍ସଙ୍କ ଅପରାଧ ଦୁନିଆର ପର୍ଦ୍ଦାଫାସ ହୋଇଥିଲା। ତେବେ ଗତ ୩୦ ତାରିଖରେ ସିଂହ ସମ୍ବଲପୁରରେ ମାଓ ଦମନ ରଣନୀତି ବୈଠକରେ ଉପସ୍ଥିତ ଥିବା ବେଳେ ହଠାତ୍‍ ତାଙ୍କର ବଦଳି ଆଦେଶ ଆସିଥିଲା। ଏହାକୁ ଅପମାନଜନକ ବିଦାୟ ବୋଲି କୁହାଯାଉଛି।

(ପ୍ରସ୍ତୁତି: ସରୋଜ)

Tags: Odisha Police, OSRTC, KB Singh, Prakash Mishra, RP Sharma, Sanjeev Marik, DGP, Police Commissionerate, Police, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment