ଭାସ୍କର ପରିଚ୍ଛା

ଟେଲିଭିଜନ ନ୍ୟୁଜ୍ ଯୁଗ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଭାରତରେ ମୁଦ୍ରିତ ଗଣମାଧ୍ୟମର ଦବଦବା ରହିଥିଲା, ସେହି ସମୟରେ ବାବା ମାତା ତଥା ସେହିଭଳି ପ୍ରଭାବଶାଳି ବ୍ୟକ୍ତିଙ୍କ ବିରୁଦ୍ଧରେ ଷ୍ଟୋରି କରିବା କାଠିକର ପାଠ ଥିଲା।
ରିପୋର୍ଟରମାନେ ଯଦି କିଛି ଅପକର୍ମର ପର୍ଦ୍ଦାଫାସ୍ କରିବାକୁ ଚାହୁଁଥିଲେ ସମ୍ପାଦକଙ୍କ ଆଗୁଆ ଅନୁମତି ତ ନିଶ୍ଚୟ ନେଉଥିଲେ। ତେବେ କେବେ ସେହି ଷ୍ଟୋରି ପ୍ରକାଶ ପାଇବ ତାର କିଛି ଠିକ୍ ଠିକଣା ନଥିଲା।ସମ୍ପାଦକ ଚାହିଁଲେ ସେହି ଅନୁସନ୍ଧାନମୂଳକ ରିପୋର୍ଟକୁ ଚାପି ଦେବାର ଆଶଙ୍କା ବି ରହୁଥିଲା।
ଯଦି ରିପୋର୍ଟର ଦମ୍‌ ରହୁଥିଲା ଓ‍ ସମ୍ପୃକ୍ତ ସାମ୍ବାଦିକଙ୍କ ଉପରେ ବଦନାମର ଛିଟା ଲାଗି ନଥିଲା, ତେବେ ବିଳମ୍ବରେ ହେଲେ ମଧ୍ୟ ସମ୍ପାଦକ ସେହି ରିପୋର୍ଟକୁ ଛାପିବା ପାଇଁ ଅନୁମତି ଦେଉଥିଲେ।
ହେଲେ ନିଷ୍କଳଙ୍କ ରିପୋର୍ଟରଙ୍କ ଆଶଙ୍କା ସେତିକିରେ ଶେଷ ହେଉନଥିଲା। ଏମିତି ବି ହେଉଥିଲା ୫ ହଜାର ଶବ୍ଦର ଅନୁସନ୍ଧାନ ରିପୋର୍ଟକୁ କାଟଛାଣ୍ଟ କରି ୫୦୦ ଶବ୍ଦରେ ସୀମିତ ରଖିବାକୁ ସମ୍ପାଦକ ନିର୍ଦ୍ଦେଶ ଦେଉଥିଲେ।
ଏବେ ଯେମିତି ଟିଭି ଚ୍ୟାନେଲ ମାଲିକଙ୍କ ଉପରେ କ୍ଷମତାରେ ଥିବା ସରକାରଙ୍କ ପ୍ରଭାବ ରହୁଛି ସେତେବେଳେ ବି ସେହିଭଳି ଥିଲା।  କୌଣସି କମ୍ପାନି ବା ବ୍ୟକ୍ତିଙ୍କ ବିରୁଦ୍ଧରେ ଖବର ପ୍ରକାଶ ପାଇବାର ଇଙ୍ଗିତ ମିଳିବା ମାତ୍ରେ ପରିସ୍ଥିତିର ଗୁରୁତ୍ୱକୁ ବୁଝି କମ୍ପାନି ଲୋକେ ଲାଗି ପଡୁଥିଲେ ସେହି ରିପୋର୍ଟ ଯେମିତି ନ ବାହାରୁ ଅଥବା ସେଥିରେ ଥିବା ଅସଲ କଥାଟି ଛାପାରୁ ବାଦ ପଡୁ।
ପ୍ରସଙ୍ଗକୁ ଆସିବା। ମିଡିଆ ପରିଚାଳକମାନେ ବି କିଛି କମ ବାବା ଭକ୍ତ ନୁହଁନ୍ତି। ବ୍ୟକ୍ତିଗତ ବିଶ୍ୱାସ କଥା ଛାଡ଼ନ୍ତୁ, ମିଡିଆ ମାଲିକ ଭାବନ୍ତି ଧାର୍ମିକ ଅନୁଷ୍ଠାନ ଓ ତାହାର ପୀଠାଧୀଶମାନେ ଗଣମାଧ୍ୟମ ପାଇଁ ବହୁତ କିଛି ମାନେ ରଖନ୍ତି।
ଏହି ବାବା ଓ ତାଙ୍କ ଭକ୍ତମାନେ ମିଡିଆ ପାଇଁ ଏକ ବଡ଼ ପାଠକବର୍ଗ ବୋଲି ବିବେଚନା କରାଯାଏ। ଏଣୁ ଏମାନଙ୍କ ବିରୁଦ୍ଧରେ ଖବର ଛାପିବା ପାଇଁ ସମ୍ପାଦକମାନେ କୁଣ୍ଠାବୋଧ କରନ୍ତି। ସେମାନଙ୍କ ଭୟ: କାଳେ ପାଠକ ଖସିଯିବେ।
ଅବଶ୍ୟ ଟିଭି ନ୍ୟୁଜ୍ ଚ୍ୟାନେଲ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ଓଲଟା। ଟିଆରପି ପାଇଁ ଆଜିକାଲି ବାବାଙ୍କ କାରନାମାକୁ ପଦାରେ ପକାଇବା ସକାଶେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବା ଦେଖାଯାଉଛି। ଆମ ଏଠି ସାରଥୀ ବାବାଙ୍କ କେଳେଙ୍କାରୀକୁ ନେଇ ଗୋଟିଏ ଚ୍ୟାନେଲ ଦୀର୍ଘ ୧୦୦ ଘଣ୍ଟା ଧରି ଖବର ପରିବେଷଣ କରିଥିଲା।
କହିବାର କଥା ହେଉଛି ବାବାଙ୍କ ପାଇଁ ଭକ୍ତ ଯାହା, ଖବର କାଗଜ ବା ଗଣମାଧ୍ୟମ ପାଇଁ ପାଠକ ସେୟା।
ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପର ମାଲିକ ସମୀର ଜୈନ ଥରେ କହିଥିଲେ ଖବର କାଗଜରେ ଧର୍ମ ଓ ବାବାଙ୍କ ଉପରେ ବାହାରୁଥିବା ଲେଖା ପର୍ଣ୍ଣୋଗ୍ରାଫି ଭଳି କାମ କରିଥାଏ। ତାକୁ ଲୋକ ପଢିବେ ହିଁ ପଢିବେ।
ଯଦି ଖବରକାଗଜ ପାଇଁ ପାଠକ ଭଗବାନ, ରାଜନୈତିକ ଦଳ ପାଇଁ ମଧ୍ୟ ଭୋଟର ଦେବତା ଭଳି। ପାଠକ ବଢିଲେ ଖବର କାଗଜ ମାଲିକମାନେ ଯେପରି ଦି ପଇସା ରୋଜଗାର କରିଥା’ନ୍ତି, ଭୋଟର ବଢିଲେ ନେତାମାନଙ୍କ କାଟତି ମଧ୍ୟ ସେହି ଅନୁପାତରେ ବଢିଥାଏ।
ଏଥିରେ ଅବଶ୍ୟ କିଛି ଅସୁବିଧା ନାହିଁ। ଅସୁବିଧାଟି ହେଉଛି ଖବରକାଗଜ ଓ ରାଜନୈତିକ ଦଳମାନେ ଯେତେବେଳେ ବାବାଙ୍କ କାରନାମା ପ୍ରତି ଆଖି ବୁଜି ଦିଅନ୍ତି। ରାମ ରହିମ୍ କ୍ଷେତ୍ରରେ ତାହା ହିଁ ହୋଇଥିଲା।
ବାବା ମାନେ ଏଇ ଦେଶରେ ଯେଭଳି ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରି ରଖିଛନ୍ତି ଓ ଯାବତୀୟ କଳଙ୍କିତ କାମରେ ଲିପ୍ତ ରହୁଛନ୍ତି ତାହା ବନ୍ଦ ହୋଇପାରନ୍ତା ଯଦି ଆଇନର ରକ୍ଷକ ଓ ବିବେକର ଜଗୁଆଳିମାନେ ନିଜ ନିଜର କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରନ୍ତେ।
ବାବା ଭଲ କାମ କରୁଛନ୍ତି, ସମାଜ ପାଇଁ ଭଗବାନଙ୍କ ଦୂତ ଭାବରେ ଆସିଛନ୍ତି ଏହି ଭଳି ଧାରଣାର ବଶବର୍ତ୍ତୀ ହୋଇ ଗଣମାଧ୍ୟମ ଯଦି ସେମାନଙ୍କ ଅପରାଧିକ କାର୍ଯ୍ୟ କଳାପକୁ ପଦାରେ ନ ପକାଏ, ଡେରା ସଚ୍ଚା ସୌଦାର ରାମ ରହିମ୍ ଓ  ବରୀମୂଳର ସାରଥୀ ଭଳି ଭଣ୍ଡ ବାବା ତିଆରି ହେଉଥିବେ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ)
Tags: Media, Ram Rahim, Sarathi Baba, Religion, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment