ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାରାତ୍ମକ ବ୍ଲୁ ହ୍ୱେଲ ମାୟାଜାଲରେ ଏବେ ସିଲଭର ସିଟି କଟକ।
ସିଡିଏ ସେକ୍ଟର-୬ରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଏହି ଶ୍ୱା ଖେଳ ଜାଲରେ ପଡି ୧୦ଟି ପର୍ଯ୍ୟାୟ ଅତିକ୍ରମ କରିଥିଲେ। ତେବେ ଖବରପାଇ କମିଶନରେଟ୍ ପୋଲିସ ଛାତ୍ରଙ୍କୁ ମରଣ ମୁହଁରୁ ଉଦ୍ଧାର କରିଛି। ଫଳରେ ମୃତ୍ୟୁର ଖେଳ ଅଧାରେ ଅଟକି ଯାଇଛି।
ସମ୍ପୃକ୍ତ ଛାତ୍ର ଜଣକ ବ୍ଲୁ ହ୍ଲେଲ ଗେମ୍ ସମ୍ପର୍କରେ ତାଙ୍କ ବନ୍ଧୁ ବିଶାଲ ଶ୍ରୀବାସ୍ତବଙ୍କୁ ପ୍ରଥମେ ସୂଚନା ଦେଇଥିଲେ। ତେବେ ବିଶାଲ ଏହି ଖେଳର ଭୟାବହତାକୁ ଉପଲବ୍ଧି କରି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଟ୍ୱିଟ କରି ସହାୟତା ମାଗିଥିଲେ ବିଶାଲ।
ସିଆଇଡି କ୍ରାଇମବ୍ରାଞ୍ଚ ସେଲକୁ ଏ ବିଷୟରେ ଜଣାଇବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରାମର୍ଶ ଦେଇଥିଲା। ଏହାପରେ ବିଶାଲ କମିଶନରେଟ୍ ପୋଲିସ ଓ ଅନ୍ୟ ଫୋରମରେ ଟ୍ୱିଟ୍ କରି ତାଙ୍କ ବନ୍ଧୁଙ୍କୁ ବ୍ଲୁ ହ୍ୱେଲ ଗେମରୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ଏହାପରେ କମିଶନରେଟ୍ ପୋଲିସ ତତ୍ପର ହୋଇ ଉଠିଥିଲା।  କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ନିର୍ଦ୍ଦଶେରେ ମର୍କତନଗର ଥାନା ଆଇଆଇସି ଡି ବିଶ୍ୱାଳ ଏବଂ ଏସପି ପ୍ରମୋଦ ରଥ ସମ୍ପୃକ୍ତ ଛାତ୍ରଙ୍କ ହଷ୍ଟେଲରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।
ଗେମ୍‌ର ୧୦ମ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଛାତ୍ରଙ୍କ କାଉନସେଲିଂ କରି ପରିବାର ଜିମା ଦେଇଛି ପୋଲିସ।
ଏହା ପୂର୍ବରୁ ସମ୍ବଲପୁରର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଏହି ମୃତ୍ୟୁ ଖେଳ ମାୟାଜାଲରେ ପଡି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। କାରଣ ସେ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିବା ପରିବାର ସୂତ୍ରରୁ ଜଣାପଡିଛି।
ଏହି ଘଟଣା ପରେ ବ୍ଲୁ ହ୍ୱେଲ ଗେମ ଉପରେ ଅଙ୍କୁଶ ଲଗାଇଥିଲା ରାଜ୍ୟ ପ୍ରଶାସନ। ବ୍ଲୁ ହ୍ୱେଲ ଏବଂ ସମସ୍ତ ପ୍ରକାରର ମାରାତ୍ମକ ଖେଳକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ ରାଜ୍ୟର ସବୁ ଏସପି, ଡିଏସପିଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ପୋଲିସ ଡିଜି।

Tags: Blue Whale, Blue Whale game,  Human Psychology, Internet Game, Online Game, Social Media, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment