ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ନବାଗତା ନାୟିକା ସନ୍‌ମୀରା ନିଜର ନିଚ୍ଛକ ଓ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାକୁ ବେଶ୍ ତତ୍ପର। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ସପନର ପଥେ ପଥେ’ରେ ଷ୍ଟାର କିଡ୍ ଅମ୍ଲାନଙ୍କ ବିପକ୍ଷରେ ନାୟିକା ସାଜି ସେ କରିଥିଲେ ସରଳ, ଶାନ୍ତ ଝିଅର ଅଭିନୟ। ଅମ୍ଲାନଙ୍କଠାରୁ ବୟସରେ ବେଶ୍ ସାନ ହେଲେ ମଧ୍ୟ ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ନାୟିକା ରୋମାଣ୍ଟିକ୍ ଅଭିନୟ କରିବାରେ ନିଜର ଦକ୍ଷତା ପ୍ରମାଣ କରିପାରିଛନ୍ତି।
ସାର୍ଥକ ମ୍ୟୁଜିକ୍‌ର ୨୨ତମ ସିନେମା ’ଲୈଲା ଓ ଲୈଲା’ରେ ସେ ସାଜିଛନ୍ତି ଯୁବ ତାରକା ସ୍ୱରାଜ ବାରିକଙ୍କ ଲେଡି ଲଭ୍। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାର ସଙ୍ଗୀତ ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାଶ ଓ ଗୀତ ଲେଖିଛନ୍ତି ନିର୍ମଳ ନାୟକ।
‘‘ଏହା ଏକ ବାସ୍ତବଧର୍ମୀ ସିନେମା। ଏଥିରେ ଅନେକ ଦୃଶ୍ୟରେ ବିନା ମେକ୍-ଅପ୍ ଓ ସ୍ୱଳ୍ପ ମେକ୍-ଅପ୍‌ରେ କାମ କରିଛି। ପୂର୍ବ ସିନେମାଠାରୁ ଏଥିରେ ମୋର ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମୁଁ ଏକ ବୋଲ୍‌ଡ ଓ ଏବଂ ନିଡର ଝିଅର ଚରିତ୍ରରେ ଅବତୀର୍ଣ୍ଣ ହୋଇଛି। ସ୍ୱରାଜ ଓ ମୋର ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିବ। ଆମ ଦୁଇ ଜଣଙ୍କର ନାଚ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ମୋର ବିଶ୍ୱାସ’’, କହିଛନ୍ତି ଅଭିନେତ୍ରୀ ସନ୍‌ମୀରା।
‘ସପନର ପଥେ ପଥେ’ ସିନେମାର ସୁଟିଂ ସମୟରେ ସନ୍‌ମୀରା ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଏହି ସିନେମାର ସୁଟିଂ ୨୦୧୬ ମସିହାରେ ସରିଯାଇଥିଲେ ମଧ୍ୟ ଏହାର ରିଲିଜ୍ ବିଳମ୍ବରେ ହେଇଥିଲା।
’ଲୈଲା ଓ ଲୈଲା’ର ସୁଟିଂ ମଧ୍ୟ ଶେଷ ହୋଇଯାଇଛି। ଏହାର ପୋଷ୍ଟ ପ୍ରଡକ୍ସନ୍ସ କାମ ଚାଲୁ ରହିଛି। ପ୍ରାୟ ୨୫ ଦିନରେ ସିନେମାର ସୁଟିଂ ସରିସାରିଛି। ତେବେ ଏହାର ରିଲିଜ୍ ତାରିଖ ନେଇ କୌଣସି ଘୋଷଣା କରାଯାଇନାହିଁ।
‘‘ପାଠ ପଢ଼ା ସହିତ ସିନେମାରେ କାମ କରିବା ପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ଏଥିରେ ମୋର ସହପାଠୀ ତଥା ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ବେଶ୍ ସହଯୋଗ କରିଛନ୍ତି। ପାଠ ଓ ଅଭିନୟ ଦୁଇଟି ଯାକରେ ମୁଁ ସଫଳତା ପାଇବାକୁ ଚାହେଁ। ଏଥିପାଇଁ ମୋ ପରିବାର ବର୍ଗ ମଧ୍ୟ ଉତ୍ସାହିତ କରୁଛନ୍ତି’’, କହିଛନ୍ତି ସନ୍‌ମୀରା।

Tags: Sanmeera, Laila o Laila, Odia Cinema, Odia Cine Industry, Swaraj, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment