ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ମାଟିରେ ପାକିସ୍ତାନକୁ ଅଡୁଆରେ ପକାଇ ଭାରତ ଏକ ବଡ଼ ହାସଲ କରିଛି। କେବଳ ସେତିକି ନୁହେଁ, ୭୨ ଦିନର ତିକ୍ତ ସଂପର୍କକୁ ପଛ​‌ରେ ପକାଇ ଚୀନ ସହ ସଂପର୍କ ଯୋଡ଼ିଛି ଭାରତ। ଆଶା କରାଯାଉଛି, ସିୟାମେନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ମଧ୍ୟରେ ଆଲୋଚନା ଦୁଇ ଦେଶର ସଂପର୍କକୁ ନୂଆ ରଙ୍ଗରେ ଭରିଦେବ।
ସିଧାକଥା କହିବାକୁ ଗଲେ, ଡୋକଲାମରେ କୁଟନୈତିକ ବିଜୟ ପରେ ଏବେ ବ୍ରିକ୍ସ ସମ୍ମିଳନୀରେ ଭାରତର ଆଉ ଏକ ବିଜୟ ହୋଇଛି। ଯାହା ଗତବର୍ଷ ଗୋଆରେ ଅନୁଷ୍ଠିତ ବ୍ରିକ୍‌ସ ସମ୍ମିଳନୀରେ ସମ୍ଭବ ହୋଇନଥିଲା, ଚୀନର ସିୟାମେନରେ ସମ୍ମିଳନୀରେ କରିଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାକିସ୍ତାନର ଦୁଇ ପ୍ରମୁଖ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଏବଂ ଜୈସ-ଇ-ମହମ୍ମଦ ବିରୋଧରେ ଘୋଷଣାନାମା ଜାରି ହୋଇଛି ବ୍ରିକ୍‌ସ ସମ୍ମିଳନୀରେ।
ଗତବର୍ଷ ଭାରତର ଏହି ପ୍ରୟାସକୁ ପ୍ରବଳ ବିରୋଧ କରିଥିଲା ଚୀନ। ଏପରିକି ଜାତିସଂଘ ସୁରକ୍ଷା ପରିଷଦରେ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ପ୍ରମୁଖ ପ୍ରତିବନ୍ଧକ ସାଜିଥିଲା ଚୀନ।
ତେବେ ବ୍ରିକ୍‌ସ ସମ୍ମିଳନୀରେ ଲସ୍କର-ଇ-ତୋଇବା ଏବଂ ଜୈସ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ବିରୋଧରେ ଏକାଠି ହେବାକୁ ୫ଟି ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ସବୁଠୁ ବଡ଼ କଥା ହେଉଛି, ଭାରତର ସ୍ୱର ସହ ସ୍ୱର ମିଳାଇଛି ଚୀନ।
ବ୍ରିକ୍‌ସ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଚୀନ ବୈଦେଶିକ ବିଭାଗ ଭାରତକୁ ଏକପ୍ରକାର ତାଗିଦ କରିଥିଲା। ଭାରତ ଉଦ୍ଦେଶ୍ୟରେ କୁହାଯାଇଥିଲା, ଆତଙ୍କବାଦୀ ପ୍ରସଙ୍ଗ ଉଠାଇବା ପାଇଁ ବ୍ରିକ୍‌ସ ସମ୍ମିଳନୀ ଉପଯୁକ୍ତ ଫୋରମ୍ ନୁହେଁ। ହେଲେ ମୋଦି ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇବା ପାଇଁ ଏକପ୍ରକାର ମନସ୍ଥିର କରିସାରିଥିଲେ।
ଆଉ ଏହି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ଶେଷରେ ଚୀନ ସମେତ ଋଷିଆ, ଦକ୍ଷିଣ ଆଫ୍ରିକା, ବ୍ରାଜିଲର ରାଷ୍ଟ୍ରମୁଖ୍ୟ ଭାରତର ଉଦବେଗକୁ ସମର୍ଥନ ଜଣାଇଥିଲେ। ଏବେ ଦେଖିବାର କଥା ଲସ୍କର ଓ ଜୈସ-ଇ-ମହମ୍ମଦ ଭଳି କୁଖ୍ୟାତ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚୀନ, ପାକିସ୍ତାନ ଉପରେ ଚାପ ପକାଇବ କି ନାହିଁ।
ସେପଟେ ଭାରତ ପାଇଁ ଆଉ ଏକ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ମଙ୍ଗଳବାର ଦିନ ଏକ ଘଣ୍ଟାରୁ ଅଧିକ ସମୟ ଧରି ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିଛନ୍ତି। ସୀମାବିବାଦ ଶାନ୍ତିପୂର୍ଣ୍ଣ ସମାଧାନ ସହ ପାରସ୍ପରିକ ସହଯୋଗ ଭିତ୍ତିରେ ସଂପର୍କକୁ ବୃଦ୍ଧି କରିବା ଲାଗି ଦୁଇ ନେତା ରାଜି ହୋଇଛନ୍ତି।
ବିଶେଷ କରି ଡୋକଲାମ ଭଳି ପରିସ୍ଥିତି ଯେପରି ଆଉ ଥରେ ସୃଷ୍ଟି ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ଦୁଇ ନେତା ରାଜି ହୋଇଛନ୍ତି।
ଡୋକଲାମ ସମସ୍ୟା ସମାଧାନ ପରେ ପ୍ରଥମ ଥର ପାଇଁ ଦୁଇ ନେତା ପରସ୍ପରକୁ ଭେଟିଥିଲେ। ଅବଶ୍ୟ ଜୁଲାଇ ମାସରେ ଅଣଆନୁଷ୍ଠାନିକ ଭାବେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ହିଁ ଡୋକଲାମ ସମସ୍ୟାର ସମାଧାନ ପାଇଁ ବାଟ ଫିଟିଥିଲା।
ଭାରତ ଓ ଚୀନ ମଧ୍ୟରେ ୩୮୦୦ କିଲୋମିଟର ବ୍ୟାପି ପାର୍ବତ୍ୟାଞ୍ଚଳ ସୀମା ରହିଛି। ଏଥିମଧ୍ୟରେ ଅନେକ ଅଞ୍ଚଳକୁ ନେଇ ସୀମା ବିବାଦ ରହିଛି।
ଭାରତ ଏବଂ ଚୀନ ସେନା ମଧ୍ୟରେ ଉତ୍ତମ ବୁଝାମଣା, ସହଯୋଗ ଏବଂ ନିରନ୍ତର ଯୋଗଯୋଗ ବୃଦ୍ଧି କରିବା ଲାଗି ଉଭୟ ମୋଦି ଓ ଜିନପିଙ୍ଗ ରାଜି ହୋଇଛନ୍ତି।
ଯେଉଁଠି ବିବାଦ ରହିଛି ପରସ୍ପରର ଭାବାବେଗକୁ ସମ୍ମାନ ଜଣାଇ ଏହାର ସମାଧାନ ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ।
୬୩ ବର୍ଷ ପୁଣି ଥରେ ଚୀନର ମନେପଡ଼ିଛି ପଞ୍ଚଶୀଳ ନୀତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ପଞ୍ଚଶୀଳ ନୀତି ଆଧାରରେ ଭାରତ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି ଚୀନ। ଏହଦ୍ୱାରା ଦୁଇ ଦେଶର ସଂପର୍କ ମଜଭୁତ ହୋଇପାରିବ ବୋଲି କହିଛନ୍ତି ଜିନପିଙ୍ଗ।
ପଞ୍ଚଶୀଳ ନୀତି କ’ଣ?
ଏପ୍ରିଲ ୨୯, ୧୯୫୪। ଭାରତ ଓ ଚୀନ ମଧ୍ୟରେ ସୁସଂପର୍କ ସ୍ଥାପନ ନେଇ ସ୍ୱାକ୍ଷର ହୋଇଥିଲା ପଞ୍ଚଶୀଳ ନୀତି ଚୁକ୍ତି। ଏଥିରେ ୫ଟି ବିଷୟକୁ ଗୁରୁତ୍ୱ ଦିଆଯାଇଥିଲା।
୧ – ପରସ୍ପରର ସାର୍ବଭୌମତା ଓ ଅଖଣ୍ଡତାକୁ ସମ୍ମାନ ଦେବେ।
୨- ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ।
୩ – କେହି କାହାର ଆଭ୍ୟନ୍ତର ମାମଲାରେ ହସ୍ତକ୍ଷେପ କରିବେ ନାହିଁ।
୪ – ପରସ୍ପର ମଧ୍ୟରେ ସହଯୋଗ ଓ ଲାଭ ବୃଦ୍ଧି ପାଇଁ କାର୍ଯ୍ୟ କରିବେ।
୫ – ଶାନ୍ତିପୂର୍ଣ୍ଣ ଭାବେ ଦୁଇ ରାଷ୍ଟ୍ର ସହବସ୍ଥାନ କରିବେ
୧୯୫୪ରେ ହୋଇଥିବା ଏହି ପଞ୍ଚଶୀଳ ନୀତି ଅକାମୀ ହୋଇପଡ଼ିଥିଲା ୧୯୬୨ରେ। ଏହି ବର୍ଷ ଭାରତ ଉପରେ ଅପ୍ରତ୍ୟାଶିତ ଭାବେ ଚୀନ ଆକ୍ରମଣ କରିଥିଲା। ଏହା ପରେ ୧୫ ବର୍ଷ କାଳ ଦୁଇ ଦେଶ ମଧ୍ୟରେ କୁଟନୈତିକ ସଂପର୍କ ପୂରା ସ୍ଥାଣୁ ପାଲଟିଯାଇଥିଲା।
୧୯୮୮ରେ ଚୀନ ଗସ୍ତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ସେତେବେଳେ ମଧ୍ୟ ଚୀନର ସର୍ବମାନ୍ୟ ନେତା ଡେଙ୍ଗ୍ ଜିଓପିଙ୍ଗ୍ ପଞ୍ଚଶୀଳ ନୀତି କଥା ଉଠାଇଥିଲେ। ସେ କହିଥିଲେ ଯେ ବିଶ୍ୱଯୁଦ୍ଧର ପରବର୍ତ୍ତୀ ସମୟରେ ପଞ୍ଚଶୀଳ ନୀତି ସିଦ୍ଧାନ୍ତରେ କାମ କଲେ ବିଶ୍ୱରେ ଶାନ୍ତି ବଜାୟ ରହିବ। ରାଜୀବ ଗାନ୍ଧୀଙ୍କ ଗସ୍ତବେଳେ ସୀମା ବିବାଦ ତୁଟାଇବା ଲାଗି ମିଳିତ କମିଟି ଗଠନ ଉପରେ ଦୁଇଦେଶ ରାଜି ହୋଇଥିଲେ।
ତେବେ ଗୋଟିଏ ପ୍ରଶ୍ନ ମନକୁ ଆସେ, ପଞ୍ଚଶୀଳ ନୀତିକୁ ବେଖାତିର କରି ଯେଉଁ ଦେଶ ଭାରତ ଉପରେ ଆକ୍ରମଣ କରିଥିଲା, ସେହି ଦେଶ ପଞ୍ଚଶୀଳ ନୀତି କଥାକୁ ବାରମ୍ବାର ଦୋହରାଉଛି କାହିକିଁ?
ତାହାର ଉତ୍ତର ବେଶୀ ଅବୋଧ୍ୟ ନୁହେଁ। କାରଣ ଭାରତ ସହ ବର୍ତ୍ତମାନ ସ୍ଥିତିରେ ସଂପର୍କ ବିଗାଡ଼ିବାକୁ ଚାହୁଁନାହିଁ ବେଜିଂ। ଚୀନର କମ୍ୟୁନିଷ୍ଟ ଦଳରେ ଏବେ ବ୍ୟବସାୟୀ ଏବଂ କର୍ପୋରେଟ୍ ସିଇଓମାନଙ୍କ ପ୍ରଭାବ ବଢିଛି। ବ୍ୟାବସାୟିକ ଦୃଷ୍ଟିକୋଣରୁ ସେମାନେ ଭାରତର ବଡ଼ ମାର୍କେଟକୁ ଛାଡ଼ିବାକୁ ଚାହୁଁନାହାନ୍ତି। ଡୋକଲାମ ବିବାଦ ଚାଲିଥିବା ବେଳେ ବ୍ୟବସାୟୀ ଗୋଷ୍ଠୀର ପ୍ରବଳ ଚାପ ସହିବାକୁ ପଡ଼ିଥିଲା ଚୀନ ସରକାରଙ୍କୁ। ସେଥିପାଇଁ ଯେନତେନପ୍ରକାର ଡୋକଲାମ ସମସ୍ୟାର ସମାଧାନ ଚାହିଁଥିଲା ଚୀନ।
ପଞ୍ଚଶୀଳ ନୀତି ଅନୁଯାୟୀ ଭାରତ ଅତୀତରେ ଚୀନକୁ ସମର୍ଥନ ଦେଇଥିଲା। ତିବ୍ଦତ ଅଞ୍ଚଳକୁ ଚୀନର ବୋଲି ସ୍ୱୀକାର କରିଥିଲା। ଚୀନର ବିସ୍ତାର ନୀତିକୁ ଭାରତ ସମର୍ଥନ କଲେ ଅଧିକ ଫାଇଦା ମିଳିବ ବୋଲି ବର୍ତ୍ତମାନ ବେଜିଂ ଭାବୁଛି। ତେଣୁ ଯେଉଁ ପଞ୍ଚଶୀଳ ନୀତିକୁ ଦିନେ ପାଦରେ ଦଳି ଦେଇଥିଲା, ସେହି ପଞ୍ଚଶୀଳ ନୀତିକୁ ଏବେ ଝୁରୁଛି ଚୀନ।

Tags: Xi Jinping, Bhubaneswar News, Breaking News, BRICS 2017, India and China, Latest News, Narendra Modi, Odisha Breaking News, Odisha News, Odisha Stories, Odisha Top Stories, Top Stories

1 COMMENT

Comment