ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିକ୍‌ସ ଶିଖର ବୈଠକ ପରେ ସିୟା‍ମେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ମଙ୍ଗଳବାର ଦିନ ହୋଇଥିବା କଥାବାର୍ତ୍ତା ଉଭୟ ଦେଶ  ଭିତରେ ଥିବା ତିକ୍ତତାକୁ ବଦଳାଇ ଦେଇଛି। ସିକ୍କିମର ଡୋକଲମ୍‌ରେ ଯେଉଁ ଉତ୍ତେଜନା ପ୍ରକାଶ ପାଇଥିଲା ତା’ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ।
ଉଭୟ ପକ୍ଷ ରାଜି ହୋଇଛନ୍ତି ଯେ ଭବିଷ୍ୟତରେ ଡୋକଲମ୍‌ ଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ। ଅନ୍ୟ ଅର୍ଥରେ, ସୀମାନ୍ତରେ ଥିବା ସୁରକ୍ଷା କର୍ମଚାରୀଙ୍କ ମଧ୍ୟରେ ସହଯୋଗର ବାତାବରଣ ସୃଷ୍ଟି ହେବ ଯାହା ଫଳରେ ଆଉ ଏକ ଡୋକଲମ୍‌ ଘଟିବ ନାହିଁ।
ଜିନ୍ ପିଙ୍ଗ କହିଲେ ଯେ ପଞ୍ଚଶୀଳ ନୀତିର ଭିତ୍ତିରେ ଚୀନ ଭାରତ ସରକାରଙ୍କ ସହିତ ମିଳି ମିଶି କାମ କରିବାକୁ ପ୍ରସ୍ତୁତ।
ଦ୍ୱିପାକ୍ଷିକ ଆଲୋଚନା ସମୟରେ ସେମାନେ ଆତଙ୍କବାଦ ଓ ବାଣିଜ୍ୟ କାରବାର ସମ୍ପର୍କରେ  ମଧ୍ୟ ଆଲୋଚନା କରିଛନ୍ତି। ମନେପକାଇ ଦିଆଯାଇପାରେ ଯେ ୧୯୫୪ରେ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ପଞ୍ଚଶୀଳ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା।
ଜିନ୍ପିଙ୍ଗଙ୍କ ସହିତ ସାକ୍ଷାତ ବେଳେ ମୋଦି କହିଲେ ଯେ ବ୍ରିକ୍‌ସ ଶିଖର ବୈଠକକୁ ସଫଳ ରୂପାୟନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଦେଉଛି। ଚୀନ ରାଷ୍ଟ୍ରପତି କହିଲେ ଯେ ଭାରତ ଓ ଚୀନ ମଧ୍ୟରେ ଏକ ସୁସ୍ଥ ଓ ସ୍ଥିର ସମ୍ବନ୍ଧ ରହିଲେ ଯାଇ ଉଭୟ ଦେଶ ଫାଇଦାରେ ରହିବେ। ଭାରତ ଓ ଚୀନ ପରସ୍ପରର ଭଲ ପଡୋଶୀ ଓ ବିଶ୍ୱର ସବୁଠୁ ଅଗ୍ରଣୀ ବିକାଶଶୀଳ ଦେଶ।
ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସଚିବ ଜୟଶଙ୍କର କହିଲେ ଯେ ଦ୍ୱିପାକ୍ଷିକ ବୈଠକରେ ବିଶ୍ୱାସ ବୃଦ୍ଧି ପାଇଁ ଆଲୋଚନା କରାଯାଇଥିଲା। ସୀମାରେ ଶାନ୍ତି ବଜାୟ ରଖିବାକୁ ମଧ୍ୟ ଉଭୟ ପକ୍ଷ ରାଜି ହୋଇଥିଲେ। ‘ପଛକୁ ନ ଚାହିଁ ଆଗକୁ ଯିବାକୁ ହେବ ‘ ବୋଲି ଉଭୟ ଦେଶ ରାଜି ହୋଇଥିଲେ। ମତଭେଦକୁ ସଂଘର୍ଷରେ ପରିଣତ ନ କରିବା ପାଇଁ ଭାରତ ଓ ଚୀନ ଏକମତ ହୋଇଛନ୍ତି।

Tags: BRICS 2017, Narendra Modi, India and China, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment