ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଂସଦ କିମ୍ବା ବିଧାୟକ ହେବା ପରେ ନେତାମାନେ ଯେଉଁଭଳି ଅମାପ ସମ୍ପତ୍ତିର ଅଧିକାରୀ ହେଉଛନ୍ତି ତାହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦଖଲ ଦେବା ଆରମ୍ଭ କରିଛନ୍ତି।
ନିର୍ବାଚିତ ହେବା ପରେ ନେତା ଯେଉଁଭଳି ସମ୍ପତ୍ତି ଠୁଳ କରୁଛନ୍ତି ତାହା ଏକ ସାଂଘାତିକ ବିଷୟ ବୋଲି ଅଭିହିତ କରିବା ସହିତ ଏ ନେଇ ମାନ୍ୟବର ବିଚାରପତିମାନେ କେନ୍ଦ୍ର ସରକାରଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ରିପୋର୍ଟରେ ସରକାରଙ୍କୁ କହିବାକୁ ପଡ଼ିବ ଏ ପ୍ରସଙ୍ଗରେ କ’ଣ ପଦକ୍ଷେପ ନେଇଛନ୍ତି।
କହିପାରୁ ଯେ ଆୟ ବହିର୍ଭୂତ ଏହି ଭଳି ୨୮୯ଟି ସମ୍ପତ୍ତି ମାମଲା ସାମନାକୁ ଆସିଛି ଏବଂ ଏଥିରେ ପ୍ରାୟ ସବୁ ଦଳର ନେତା ଅଛନ୍ତି। ଏଥିରେ ଏଭଳି କେସ୍‍ ବି ରହିଛି ଯେଉଁଠି ନେତା ବିଗତ ୫ ବର୍ଷ ମଧ୍ୟରେ ସେମାନଙ୍କ ସମ୍ପତ୍ତି ୫୦୦ ପ୍ରତିଶତ ବୃଦ୍ଧି କରିଛନ୍ତି।
ନେତାମାନେ ରାତାରାତି ବଡ଼ ହେବା ବିଷୟ ଉପରେ ବିଗତ କିଛି  ବର୍ଷ ଧରି ଢେର ଆଲୋଚନା ହେଉଛି ଅଥଚ ଏ ଦିଗରେ ପଦକ୍ଷେପ ନେବାକୁ ସରକାର ଭୟ କରୁଛନ୍ତି।
ଏହି ପ୍ରସଙ୍ଗରେ କିଛି ସାଂସଦଙ୍କ କହିବା କଥା ହେଉଛି ସେମାନଙ୍କ ସମ୍ପତ୍ତିର ମୂଲ୍ୟାୟନ ବର୍ତ୍ତମାନର ବଜାର ଦର ହିସାବରେ କରାଯାଉଛି। ତା’ଛଡା ବ୍ୟବସାୟରୁ ମଧ୍ୟ ସେମାନଙ୍କର ଆୟ ବୃଦ୍ଧି ପାଉଛି। କିନ୍ତୁ ସୁପ୍ରିମକୋର୍ଟର ମତ ହେଲା ଏହାରି ଉପରେ ଯାଞ୍ଚ ହେବା ଜରୁରୀ।
ଜଷ୍ଟିସ୍‌ ଜେ ଚମଲେଶ୍ୱର ଓ ଜଷ୍ଟିସ ଅବଦୁଲ ନଜିର କହିଛନ୍ତି ଯେ ଆୟର ସୂତ୍ର ଜାଣିବା ପାଇଁ ଯାଞ୍ଚ ନିହାତି ଆବଶ୍ୟକ। ଯେଉଁ ସମ୍ପତ୍ତି ଠୁଳ ହୋଇଛି ତାହା ଆଇନ ଅନୁସାରେ ହୋଇଛି ତାହା ଦେଖାଯିବା ଦରକାର।
କହିରଖୁ ଯେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି।

Tags: Supreme Court, Justice Abdul Nazir, Justice J Chamaleshwar, Properties, Politicians, Politicians Properties, Media, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment