ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆୟୋଜିତ ଏକ ସେମିନାରରେ ଯୋଗଦେଇ ଭାରତର ସେନାଧ୍ୟକ୍ଷ ବିପିନ ରାୱତ, ଚୀନର ଆଭିମୁଖ୍ୟ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ସେଥିରେ କ୍ଷୋଭ ପ୍ରକାଶ କରିଛି ଚୀନ।
ବିକ୍ସ ସମ୍ମିଳନୀ ଅବସରରେ ଦୁଇ ଦେଶର ସଂପର୍କ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନାର ଏହା ବିରୋଧାଚରଣ କରୁଛି ବୋଲି ଚୀନ ପକ୍ଷରୁ କୁହାଯାଇଛି।
ଜେନେରାଲ ରାୱତଙ୍କ ମନ୍ତବ୍ୟର ଦୃଢ ପ୍ରତିବାଦ ଜଣାଇବା ସହ ବିଦେଶ ମୁଖପାତ୍ର ଜେଙ୍ଗ ସୁଆଙ୍ଗ କହିଛନ୍ତି, ଭାରତ ଓ ଚୀନ ଦୁଇଟି ବୃହତ୍‌ ରାଷ୍ଟ୍ର ଏବଂ ପରସ୍ପରର ଗୁରୁତ୍ଵପୂର୍ଣ୍ଣ ପଡୋଶୀ। ସେମାନଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ଜରୁରୀ।
ଏବେ ଆସିବା ପୂରା ଘଟଣାକୁ। ଅର୍ଥାତ୍‌, ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ଆୟୋଜିତ ସେମିନାରରେ ଭାରତର ସେନାଧ୍ୟକ୍ଷ କ’ଣ କହିଲେ ଯେ ଉଦବେଗ ପ୍ରକାଶ କଲା ଚୀନ?
ଡୋକଲାମରେ ଯେଭଳି ସ୍ଥିତି ଉପୁଜିଥିଲା, ଉଭୟ ଦେଶର ସେନା ୭୩ ଦିନ ଧରି ମୁହାଁମୁହିଁ ହୋଇଥିଲେ, ଏହାକୁ ଲକ୍ଷ୍ୟ କରି ଜେନେରାଲ ରାୱତଙ୍କ କହିଥିଲେ, ଡୋକଲାମ ଘଟଣା ଚୀନର ଶକ୍ତି ପ୍ରଦର୍ଶନର ଏହା ଏକ ନମୁନା ଥିଲା। ସେ କହିଛନ୍ତି ଯେ ଏଭଳି ଘଟଣା ବାରମ୍ବାର ଘଟିବ। ବିଭିନ୍ନ ପ୍ରକାର ଯୁକ୍ତି ଦେଖାଇ ପଡୋଶୀ ଦେଶର ଅଞ୍ଚଳକୁ ମାଡ଼ି ବସିବା ପାଇଁ ଚାହୁଁଛି ଚୀନ। ବିସ୍ତାର ନୀତିକୁ ଚରିତାର୍ଥ କରିବା ପାଇଁ ବାରମ୍ବାର ଡୋକଲାମ ଭଳି ସ୍ଥିତି ଦେଖିବାକୁ ମିଳିବ।
ବର୍ତ୍ତମାନ ପାଇଁ ଡୋକଲାମ ସମସ୍ୟା ସମାଧାନ ହୋଇଛି ସତ, ହେଲେ ଏଥିରେ ଆଶ୍ୱସ୍ତ ହେବାର କିଛି ନାହିଁ। ଉଭୟ ସେନା ମାତ୍ର ୧୫୦ ମିଟର ଲେଖାଁଏ ପଛକୁ ଫେରିଛନ୍ତି। ଭବିଷ୍ୟତ ନେଇ ଆଶଙ୍କା ହଟିନାହିଁ ବୋଲି କହିଥିଲେ ଭାରତର ସେନାଧ୍ୟକ୍ଷ।
ଜେନେରାଲ ବିପିନ ରାୱତ କହିଥିଲେ, ଏବେ ଭାରତର ସାମର୍ଥ୍ୟ ମାପୁଛି ଚୀନ। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡିବ। ଉଭୟ ପାକିସ୍ତାନ ଓ ଚୀନ ପଟୁ ଆମ ପାଇଁ ବିପଦ ରହିଛି। ଏକାସାଙ୍ଗରେ ଦୁଇ ପଡୋଶୀଙ୍କ ସହ ଆମକୁ ଯୁଦ୍ଧ କରିବାକୁ ପଡିପାରେ। ତେଣୁ ଦୁଇ ସାମ୍ମୁଖ୍ୟରେ ଭାରତୀୟ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ। ଏଥିପାଇଁ ଅଧିକ ସେନାବଳ ଏବଂ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆବଶ୍ୟକ ପଡିବ ବୋଲି କହିଛନ୍ତି ସେନାଧ୍ୟକ୍ଷ।
ଭାରତୀୟ ସେନାଧ୍ୟକ୍ଷଙ୍କ ଆଶଙ୍କା ଏବେ ଚୀନର ଚିନ୍ତା ବଢାଇଦେଇଛି। ଭାରତ ଯେ ସବୁପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚାହୁଁଛି, ଏହା ହିଁ ଚୀନର ମୁଣ୍ଡବିନ୍ଧାର କାରଣ।
ଚୀନର ବୈଦେଶିକ ମୁଖପାତ୍ର, ଜେନେରାଲ ରାୱତଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ବ୍ରିକ୍ସ ସମ୍ମିଳନୀ ଅବସରରେ ସିୟାମେନରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିଛନ୍ତି। ମୋଦି ଓ ଜିନପିଙ୍ଗ ଏକମତ ହୋଇଛନ୍ତି ଯେ ଡୋକଲାମ ଭଳି ପରିସ୍ଥିତି ଯେପରି ଭବିଷ୍ୟତରେ ପୁନରାବୃତ୍ତି ନଘଟେ, ସେଥିପ୍ରତି ଦୃଷ୍ଟି ଦିଆଯିବ। କୌଣସି ମତାନ୍ତରକୁ ବିବାଦ ଆଡକୁ ବଢିବାକୁ ଦିଆଯିବ ନାହିଁ ବୋଲି ଦୁଇ ନେତା ଏକମତ ହୋଇଛନ୍ତି। ଏଭଳି ସ୍ଥିତିରେ ଭାରତର ସେନାଧ୍ୟକ୍ଷଙ୍କ ଆଭିମୁଖ୍ୟ ଚିନ୍ତାଜନକ ବୋଲି କହିଛନ୍ତି ଚୀନର ବିଦେଶ ମୁଖପାତ୍ର ଜେଙ୍ଗ ସୁଆଙ୍ଗ।
ଏପରିକି ଏଭଳି ବିବୃତ୍ତି ଦେବାକୁ ସେନାଧ୍ୟକ୍ଷ ଅଧିକୃତ କି ନୁହଁନ୍ତି ଜାଣିବାକୁ ଚାହୁଁଛି ଚୀନ।
ସେପଟେ ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ପୁଣି ଥରେ ଭାରତ ଉପରେ ବର୍ଷିଛି। ସଂପାଦକୀୟରେ ଗ୍ଲୋବାଲ ଟାଇମ୍ସ ଲେଖିଛି – ଦୁଇଟି ଭାରତ ଦେଖିବାକୁ ମିଳୁଛି। ଗୋଟିଏ ଭାରତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆଲୋଚନାରୁ ଏହା ଜଣାପଡୁଥିଲା। ଅନ୍ୟ ଏକ ଭାରତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ପାଇଁ ବୟାନବାଜି କରୁଛି। ଜେନେରାଲ ରାୱତ ବିବୃତ୍ତି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ।
ପ୍ରଥମ ଭାରତ ସହ ବନ୍ଧୁତା କରିବ ନା’ ଦ୍ୱିତୀୟ ଭାରତକୁ ଉଚିତ ଶିକ୍ଷା ଦିଆଯିବ, ଚୀପ ପାଇଁ ଭାବିବା ବେଳ ଆସିଛି। ଏହା ସହ ଗ୍ଲୋବାଲ ଟାଇମ୍ସ ଲେଖିଛି – ପ୍ରଥମ ଭାରତ, ଦ୍ୱିତୀୟ ଭାରତକୁ ବୁଝାଇବା ଜରୁରୀ, ନହେଲେ ଦୁଇ ଦେଶ ଭିତରେ ଶାନ୍ତି ବିଗିଡିଯିବ। ଉଭୟ ପାକିସ୍ତାନ ଓ ଚୀନ ସହ ଯୁଦ୍ଧ କଲେ ପରିଣତି କ’ଣ ହେବ ବୋଧହୁଏ ବୁଝି ପାରୁନାହାନ୍ତି ଜେନେରାଲ ରାୱତ।
ଏହି ପ୍ରସଙ୍ଗରେ ଚିରାଚରିତ ଢଙ୍ଗରେ ରୁକ୍ଷ ପ୍ରତିକ୍ରିୟା ରଖିଛି ଗ୍ଲୋବାଲ ଟାଇମ୍ସ। ​‌ହେଲେ ଡୋକଲାମ ସ୍ଥିତି ଉତ୍କଟ ଥିବା ବେଳେ ଯେପରି ଧମକଚମକ ଦେଉଥିଲା, ସେଭଳି ସ୍ୱର ଏହି ପ୍ରସଙ୍ଗରେ ଦେଖାଇନାହିଁ। ବରଂ ଶାନ୍ତି ପାଇଁ କ’ଣ ଜରୁରୀ ଏକଥା କହିଛି ଗ୍ଲୋବାଲ ଟାଇମ୍ସ।
ଚୀନର ବୈଦେଶିକ ବିଭାଗ ପ୍ରତିକ୍ରିୟାରେ ମଧ୍ୟ ଶାନ୍ତିର ସନ୍ଦେଶ ଦିଆଯାଇଛି। ତେବେ ଚୀନ ଭାରତର ଶକ୍ତି ମାପୁଛି ବୋଲି ସେନାମୁଖ୍ୟ ବିପିନ ରାୱତ ଯାହା କହିଛନ୍ତି, ତାହା ସତ ନା’ ପ୍ରକୃତରେ ଭାରତ ସହ ଶତ୍ରୁତା ନୁହେଁ ବନ୍ଧୁତା ଚାହୁଁଛି ଚୀନ, ସେକଥା ଏବେଠାରୁ କହିବା ମୁସ୍କିଲ।
Tags: Bipin Rawat, Xi JinPing, Narendra Modi, BRICS 2017, ChinavsIndia, Global Times, Doklam, Odisha News,Bhubaneswar News, Breaking News, BRICS 2017, India and China, Latest News, Odisha Breaking News,Odisha Stories, Odisha Top Stories

Comment