ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ଲୁ ହ୍ୱେଲ୍ ଗେମ୍ ପାଇଁ ସମ୍ପର୍କୀୟ ଭାଇଙ୍କ ଜୀବନ ଯାଇଛି। ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ନିଜ ଫେସବୁକ୍ ଆକାଉଣ୍ଟରେ ମଧ୍ୟ ଦୂତୀ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
ଗଲା ୬ ତାରିଖରେ ଦୂତୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପର୍କୀୟ ଭାଇ ଉତ୍କଳ ଗୁଇଁଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ଆହତ ହୋଇଥିଲେ।
ଦୂତୀ ଚାନ୍ଦ କହିଛନ୍ତି, ”ତାଙ୍କୁ ନ ଜଣାଇ ଉତ୍କଳ ତାଙ୍କ କାର୍ ନେଇ ଯାଇଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ହେଲେ ଏଥିରେ ସନ୍ଦେହ ପ୍ରକାଶ କରି ଦୂତୀ ଉତ୍କଳଙ୍କ ଫେସବୁକ୍ ପୋଷ୍ଟ ଚେକ୍ କରିଥିଲେ। ଏଥିରୁ ଉତ୍କଳ ବ୍ଲୁ ହ୍ୱେଲ ଗେମ୍ ଖେଳୁଥିବା ଜଣାପଡିଥିଲା। ବ୍ଲୁ ହ୍ୱେଲର ନିୟମ ଭଳି ଉତ୍କଳ ତାଙ୍କ ହାତ କାଟିବା, ଛାତର ଗୋଟିଏ କୋଣରେ ଠିଆ ହୋଇ ସେଲଫି ନେବା, ରାତି ୪ଟାରୁ ଉଠି ଚା ପିଇବାକୁ ଯିବାର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ। ଏପରିକି ଗେମ୍‌ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇ ସେ କାର୍ ଦୁର୍ଘଟଣା ଘଟାଇ ଥାଇ ପାରନ୍ତି।”
ଏସବୁ ଘଟଣା ତଦନ୍ତ କଲେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଦୂତୀ କହିଛନ୍ତି।
ଗତ ୬ ତାରିଖ ଭୋର୍‌ ସମୟରେ ଦୂତୀ ଘରେ ଶୋଇଥିବା ବେଳେ ଉତ୍କଳ ତାଙ୍କୁ କିଛି ନ ଜଣାଇ କାର୍ ନେଇ ଯାଇଥିଲେ। ଉତ୍କଳ କାର୍ ଚଳାଉଥିବା ବେଳେ ତାଙ୍କର ଜଣେ ସାଙ୍ଗ ମଧ୍ୟ ବସିଥିଲେ। କୁଆଖିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ଛକଠାରେ ରାସ୍ତା କଡରେ ଠିଆ ହୋଇଥିବା ଏକ କାର୍‌କୁ ଉତ୍କଳ ଧକ୍କା ଦେଇଥିଲେ। ଫଳରେ ଉତ୍କଳଙ୍କ ମୃତ୍ୟୁ ଘଟିଥିଲା।

Tags: Dutee Chand, Bhubaneswar News, Blue Whale, Blue Whale game, Breaking News, Human Psychology, Internet Game, Latest News, Odisha Breaking News, Odisha News, Odisha Stories, Odisha Top Stories, Online Game, Social Media, Top Stories

Comment