ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ଏବଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଅମିତ ଶାହ ଓ ତାଙ୍କ ଟିମ୍ ଆରମ୍ଭ କରି ଦେଇଛନ୍ତି ମାଇଣ୍ଡ ଗେମ୍। ବିଜେପିର ରଣନୀତି ହେଉଛି ବିଜେଡିକୁ ମାନସିକ ଚାପ ଦେବା। ସେହି ରଣନୀତିର ବଡ଼ ଅଂଶବିଶେଷ ହେଉଛି ସ୍ଲୋଗାନ – ‘୧୨୦ ପ୍ଲସ’।

୨୦ ବର୍ଷ ପରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି ଓଡ଼ିଶାରେ। କହିବାକୁ ଗଲେ ୨୦୦୦ ମସିହାଠାରୁ ୪ଟି ନିର୍ବାଚନ ଦେଖିସାରିଲେଣି ଓଡ଼ିଶାବାସୀ। କିନ୍ତୁ ଏବେ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ତାହା ବିଗତ ବର୍ଷଗୁଡିକରେ କେବେ ଦେଖାଯାଇନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାଜୟ ଥିଲେ ରାଜ୍ୟ ରାଜନୀତିରେ ଏବଂ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ ନିଜ ଦଳ ଭିତରେ।
୨୦୦୦ ମସିହାକୁ ଛାଡ଼ିଦେଲେ ରାଜ୍ୟରେ ତିନିଟି ନିର୍ବାଚନ ହୋଇଛି। ଆଉ ଏହି ତିନିଟି ଯାକ ନିର୍ବାଚନରେ କେବେ ବି ବିରୋଧୀ ଦଳ ନବୀନଙ୍କ ବିଜେଡିକୁ ପରାଜିତ କରିବା ଲକ୍ଷ୍ୟ ନେଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇନଥିଲେ। ସବୁଯାକ ନିର୍ବାଚନ କେବଳ ଦଳୀୟ ଅସ୍ତିତ୍ୱକୁ ବଜାୟ ରଖିବା ପାଇଁ ଲଢୁଥିଲେ ବିରୋଧି ଦଳ।
କିନ୍ତୁ ଆସନ୍ତା ନିର୍ବାଚନରେ ସେ ପରିସ୍ଥିତି ନାହିଁ। ଏକଥା କେବଳ ସମୀକ୍ଷକଙ୍କ ଧାରଣା ନୁହେଁ, ଏକଥାକୁ ଭଲ ଭାବରେ ବୁଝିସାରିଛନ୍ତି ବିଜେଡି ସୁପ୍ରିମୋ ଓ ଦଳର ଛାମୁଆ ନେତା। ଏଥର ଶାସକ ଦଳକୁ କଡ଼ା ପ୍ରତିଯୋଗିତାର ସାମନା କରିବାକୁ ପଡିବ। ଲଢେଇ ତୀବ୍ର ହେବ।
ଏବେ ଯେଉଁ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି, ତାହା ମଧ୍ୟ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ହିଁ ସୃଷ୍ଟି ହୋଇଛି। ବିଶେଷକରି ପଞ୍ଚାୟତ ନିର୍ବାଚନରେ ବିଜେପି ଆଶାଠାରୁ ଅଧିକ ସଫଳତା ପାଇବା ପରେ ଦଳ ଭିତରେ ନୂଆ ଉତ୍ସାହ ଭରିଯାଇଛି। ନେତାଙ୍କ ଆତ୍ମପ୍ରତ୍ୟୟ ବଢିଛି। ବିଜେଡିକୁ ଓଡ଼ିଶାରେ ପରାଜିତ କରିହେବ, ବିଜେପି ଦଳ ଭିତରେ ଏ ଧାରଣା ସୃଷ୍ଟି ହୋଇଛି।
ପଞ୍ଚାୟତ ନିର୍ବାଚନ ବିଜେପିର ଆତ୍ମପ୍ରତ୍ୟୟ ବଢାଇଥିବା ବେଳେ ବିଜେଡି ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଛି। ଆଉ ଏହା ମଧ୍ୟ ସତ ଯେ, ଦଳକୁ କିପରି ତୃଣମୂଳ ସ୍ତରରେ ଆହୁରି ମଜଭୁତ କରାଯାଇପାରିବ, ସେ ନେଇ ପଞ୍ଚାୟତ ନିର୍ବାଚନ ପରେ ପରେ ଦଳୀୟ ସୁପ୍ରିମୋ ତଥା ଦଳର ଅନ୍ୟ ନେତାମାନଙ୍କ ବୃଦ୍ଧି ଉଦୟ କରିଛି। ରାସ୍ତା ଆଉ ଆଗ ଭଳି ଫୁଲ ପାଖୁଡାରେ ସଜେଇ ହୋଇ ରହିନାହିଁ, ଏଥର କଣ୍ଟାର ପାହାଡ଼ ଡେଇଁବାକୁ ପଡ଼ିବ, ଏହିକଥା ଅଧିକାଂଶ ବିଜେଡି ନେତାଙ୍କର ଭଲ ଭାବେ ବୁଝିସାରିଛନ୍ତି। ଏବେ ଆରମ୍ଭ ହୋଇଛି ପ୍ରକୃତ ପ୍ରତିଯୋଗିତା।
ବର୍ତ୍ତମାନ ଆଲୋଚନା କରିବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସଂପର୍କରେ।
ପୂର୍ବରୁ ଯେତେଥର ଅମିତ ଶାହ ଆସିଛନ୍ତି, ତାହା ଅପେକ୍ଷା ଏଥର ରଣନୀତି ଥିଲା ପୂରା ଅଲଗା। ବ୍ୟାପକ ପ୍ରସ୍ତୁତ କରି ଆସିଥିଲେ ବିଜେପି ଅଧ୍ୟକ୍ଷ। ତାଙ୍କର ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡୁଥିଲା ଯେ ବିଜେପି ଜିତିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବ।
ଅମିତ ଶାହଙ୍କ ପ୍ରେସ ମିଟ୍ ହେଉ କିମ୍ବା ଜନତା ମଇଦାନରେ କର୍ମୀ ସମ୍ମିଳନୀ, ସେଥିରୁ ଜଣାପଡୁଥିଲା ‘କର ବା ମର’ ସ୍ଥିତିରେ ବିଜେପି।
ବିଜେଡି ଏବଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଅମିତ ଶାହ ଓ ତାଙ୍କ ଟିମ୍ ଆରମ୍ଭ କରି ଦେଇଛନ୍ତି ମାଇଣ୍ଡ ଗେମ୍। ବିଜେପିର ରଣନୀତି ହେଉଛି ବିଜେଡିକୁ ମାନସିକ ଚାପ ଦେବା। ସେହି ରଣନୀତିର ବଡ଼ ଅଂଶବିଶେଷ ହେଉଛି ସ୍ଲୋଗାନ – ‘୧୨୦ ପ୍ଲସ’।
୨୦୧୪ ନିର୍ବାଚନରେ ବିଜେପିର ସ୍ଲୋଗାନ ଥିଲା ‘୨୭୨ ପ୍ଲସ’। ଅର୍ଥାତ କେନ୍ଦ୍ରରେ ସରକାର ଗଢିବା ନମ୍ବର ହାସଲ କରିବା। ଏହି ସ୍ଲୋଗାନ ବିଜେପିକୁ ସେତେବେଳେ ବହୁତ ଫାଇଦା ଦେଇଥିଲା। ଓଡ଼ିଶାରେ ତାହାର ଏକ୍ସପେରିମେଣ୍ଟ ହେଉଛି ସ୍ଲୋଗାନ ‘୧୨୦ ପ୍ଲସ’। ଅବଶ୍ୟ ୨୦୧୪ରେ ବିରୋଧୀଙ୍କୁ ମୂଳପୋଛ କରିବା ଭଳି ଆସ୍ପର୍ଦ୍ଧା କରିପାରିନଥିଲା ବିଜେପି। ଏବେ କିନ୍ତୁ ବିଜେପି ଓଡ଼ିଶାରେ ବିଜେଡିକୁ ମୂଳପୋଛ କରିବା ଭଳି ଡାକରା ଦେଇଛି।
ଅବଶ୍ୟ ଏକଥା ସତ ଯେ  ୧୭ ବର୍ଷ ବିଜେଡି ଯେଉଁ ମୂଳଦୁଆ ପକାଇଛି, ତାକୁ ଦୋହଲାଇବା ସହଜ ନୁହେଁ। ତେବେ କଳ ବଳ କୌଶଳ ଲଗାଇ ଦଳର ମୂଳ ଉପରେ ପାହାର ପକାଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି।
ଅମିତ ଶାହଙ୍କ ବିଜେଡିକୁ ଓପାଡ଼ି ଫୋପାଡ଼ି ଦେବା ଡାକରା ଏବଂ ନବୀନଙ୍କ ବୟସ ନେଇ ଧର୍ମେନ୍ଦ୍ରଙ୍କ ଇସାରା, ଏସବୁ ହେଉଛି ବିଜେପିର ମାଇଣ୍ଡ ଗେମ୍। ୪ ଲକ୍ଷ କୋଟି ଟଙ୍କା ଗତ ୩ ବର୍ଷରେ ମୋଦି ସରକାର ଦେଇଥିବା ନେଇ ଆମୂଳଚୁଳ ହିସାବ ଦେଇଛନ୍ତି ବିଜେପି ଅଧ୍ୟକ୍ଷ। ଅର୍ଥାତ୍‌ ଯେଉଁ କେନ୍ଦ୍ର ଅବହେଳା କଥା ବାରମ୍ବାର ବିଜେଡି ଉଠାଉଛି, ତାହା ଭିତ୍ତିହୀନ ବୋଲି କହିବାକୁ ଚାହିଁଛନ୍ତି ଅମିତ ଶାହ। ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାର କେତେ ଉଦାର, ଏକଥା ଜଣାଇବା ପାଇଁ ଶାହ ପୂରା ହିସାବ କିତାବ କରି ଓଡ଼ିଶା ଆସିଥିଲେ।
ଏବେ ଆଲୋଚନା କରିବା ବିଜେଡି କିପରି ବିଜେପିର ଏହି ଆକ୍ରମଣକୁ ମୁକାବିଲା କଲା। ବିଜେପିର ୧୨୦ ପ୍ଲସ ଦାବିର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଲେ, ଏଥିରେ ତାଙ୍କର ଘୋର ସନ୍ଦେହ ରହିଛି। ତେବେ ଏହି ଧାଡ଼ିକିଆ ଉତ୍ତର ବାସ୍ତବରେ ବିଜେପିର ଦାବିକୁ ଚ୍ୟାଲେଞ୍ଜ କଲା ଭଳି ନଥିଲା। ହୁଏତ ମୁଖ୍ୟମନ୍ତ୍ରୀ ଏହାକୁ ଅସମ୍ଭବ କିମ୍ବା ଦିବାସ୍ୱପ୍ନ ବୋଲି କହିଥିଲେ, ତାଙ୍କ ଆତ୍ମପ୍ରତ୍ୟୟ ବାରି ହୋଇପଡିଥା’ନ୍ତା।
ନବୀନଙ୍କ ବୟସ ହୋଇଯାଇଛି କହି ଯେଉଁ ଯୁବ ନେତୃତ୍ଵ କଥା ବିଜେପି ଉଠାଉଛି, ତା’ଉପ​‌ରେ ମଧ୍ୟ କଡ଼ା ଟିପ୍ପଣୀ ଦେଇପାରିନାହାନ୍ତି ମୁଖ୍ୟମନ୍ତ୍ରୀ। ଅବଶ୍ୟ ନବୀନ ପଟ୍ଟନାୟକ ପୂର୍ବରୁ ମଧ୍ୟ ଆରୋପ ପ୍ରତ୍ୟାରୋପ ରାଜନୀତି କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ‘ଜେଣ୍ଟଲମ୍ୟାନ୍‍’ ନୀତି ସବୁବେଳେ ତାଙ୍କ ଦଳକୁ ଫାଇଦା ଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଜେଡି ଏବଂ ଦଳର ସୁପ୍ରିମୋଙ୍କ ବିରୋଧରେ ଅତି ନିମ୍ନମାନର ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏପରିକି ଅମିତ ଶାହ ଅସୁରର ଭାଷା କହୁଛନ୍ତି ବୋଲି ବିଜେଡି କହିଥିବା ଟିପ୍ପଣୀ ପଛରେ ରହିଛି ନବୀନଙ୍କ ଏହି ଜେଣ୍ଟଲମ୍ୟାନ ଭାବମୂର୍ତ୍ତି। ଦଳର ଅନେକ ବରିଷ୍ଠ ନେତା ଭଲଭାବେ ଜାଣିଛନ୍ତି ଯେ ନବୀନଙ୍କ ଏହି ଭାବମୂର୍ତ୍ତି ହିଁ ବିଜେଡିର ସବୁଠାରୁ ବଡ଼ ସମ୍ବଳ।
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବେଳେ ବିଜେପି-ବିଜେଡିର ‘ତୁ ତୁ ମେଁ ମେଁ’ ଏକ ନୂଆ ପର୍ଯ୍ୟାୟକୁ ଚାଲିଯାଇଥିଲା। ଉଭୟ ଦଳ ବୋଧହୁଏ ବିଚାର କରୁଛନ୍ତି ଯେ ରାଜନୈତିକ ବୟାନବାଜି ଭୋଟରଙ୍କ ମାନସିକତା ଉପରେ ଏକ ବଡ଼ ପ୍ରଭାବ ପକାଇବ। ତେଣୁ ଗୋଟିଏ ଦଳର ସାମ୍ବାଦିକ ସମ୍ମିଳନୀ ସରିବାର ଅଧ ଘଣ୍ଟା ଭିତରେ ଆଉ ଗୋଟିଏ ଦଳ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରିବା ଏଥର ଦେଖିବାକୁ ମିଳିଥିଲା। ଅବଶ୍ୟ ସେମାନେ ଭୋଟରଙ୍କ ଉପରେ ପ୍ରଭାବ ପକାଇବାରେ ସମର୍ଥ ହୁଅନ୍ତୁ ବା ନ ହୁଅନ୍ତୁ, କିନ୍ତୁ ଖବରକାଗଜର ପୃଷ୍ଠା ଏବଂ ଟିଭିର ସମୟ ପାଇବାରେ ସକ୍ଷମ ହୋ‍ଇଛନ୍ତି। ଏହି ପ୍ରତିଯୋଗିତା ଆଗାମୀ ଦିନରେ ଆହୁରି ଜୋରଦାର ହେବ। ତେଣୁ ଉଭୟ ଦଳ ଭିତରେ କିଏ କାହାକୁ କିଭଳି ଭାବରେ ଜବାବ ଦେବ ଏବଂ ସେହି ଜବାବ କିପରି ଭାବେ ଯୁକ୍ତିସଙ୍ଗତ ହେବ, ତା’ ଉପରେ ଦଳର ଛାମୁଆ ନେତା ଓ ମୁଖପାତ୍ରମାନଙ୍କର ନଜର ରହିଛି।
୨୦୧୪ ନିର୍ବାଚନରେ ପ୍ୟାରୀବାବୁଙ୍କ ବିନା ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିଲା| ହେଲେ ବର୍ତ୍ତମାନର ପରିବର୍ତ୍ତନଶୀଳ ପରିସ୍ଥିତିରେ ହୁଏତ ୨୦୧୯ ପାଇଁ ଦଳକୁ ଆବଶ୍ୟକ ପ୍ୟାରୀବାବୁଙ୍କ ଭଳି ଆଉ ଜଣେ ଅନୁଭବୀ ତଥା ଷ୍ଟାଟେର୍ଜିଷ୍ଟ। ରାଜନୈତିକ ଭାଷାରେ ଚାଣକ୍ୟ!

Tags: Amit Shah, Bhubaneswar News, BJD, BJP, BJP Govt, Breaking News, Dharmendra Pradhan, Latest News, MAHAADHIBESHAN, Mission-120, Narasingh Mishra, Naveen Patnaik, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics, Prashanta Nanda, Sajjan Sharma, ShahInOdisha, Top Stories

Comment