ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଲାଙ୍କ ପାଇଁ ପଠନ ଯୋଗ୍ୟ ହେବା ଭଳି ଏବଂ ସେମାନଙ୍କ ଠାରେ ପଠନ ଅଭ୍ୟାସକୁ ବଢାଇବା ପାଇଁ ବିଗତ କିଛି ବର୍ଷ ଧରି ଭୁବନେଶ୍ୱରର ବକୁଳ ଫାଉଣ୍ଡେସନ ବେଶ୍ କାମ କରି ଆସୁଛି। ବକୁଳ ଫାଉଣ୍ଡେସନ ବାସ୍ତବରେ ଏକ ନିଆରା ଅନୁଷ୍ଠାନ ଓ ନିଆରା ଢଙ୍ଗରେ କାମ କରି ନିଜ ପାଇଁ ପ୍ରତିଷ୍ଠା ଆଣିପାରିଛି।
ନିକଟରେ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ୬ଟି ଓଡ଼ିଆ ବହି ଲୋକାର୍ପଣ କରାଯାଇଥିଲା। ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାର ବିକାଶ ଓ ଓଡ଼ିଆ ମାଧ୍ୟମରେ ପଢୁଥିବା ପିଲାଙ୍କ ପାଇଁ ସୃଜନଶୀଳ ପୁସ୍ତକ ରଚନା କରି ତାହାକୁ ଉପଲବ୍ଧ କରାଇବା। ବକୁଳ ଫାଉଣ୍ଡେସନ ପ୍ରଥମେ ସହରର ବିଭିନ୍ନ ସ୍ଥାନରେ ଲାଇବ୍ରେରି ପ୍ରତିଷ୍ଠା କରିଥିଲା। ଏହାର ଆଖପାଖ ପୁସ୍ତକ ରଚନା ଓ ପ୍ରକାଶନ ପାଇଁ ସଂସ୍ଥା ପକ୍ଷରୁ ଏବେ ଉଦ୍ୟମ ଆରମ୍ଭ କରାଯାଇଛି।
“ଆମେ ଯେତେବେଳେ ଲାଇବ୍ରେରୀ ଆରମ୍ଭ କଲୁ, ଦେଖିଲୁ ଯେ ଓଡ଼ିଆରେ ଖୁବ୍ କମ ଚିତ୍ରବହି ଅଛି। ଯେଉଁମାନେ ନୂଆ ପଢ଼ା ଆରମ୍ଭ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ତ ବିଲକୁଲ ଏଭଳି ବହି ନାହିଁ। ଏଣୁ ବକୁଳ ବୁକ୍ସ ଆରମ୍ଭ ହେଲା”, କହନ୍ତି ଫାଉଣ୍ଡେସନର ସମ୍ପାଦକ ସୁଜିତ ମହାପାତ୍ର।
ବକୁଳ ପକ୍ଷରୁ ଯେତିକି ବହି ଛପାଯାଇଛି ସେଥିରେ ଗଦ୍ୟ କମ୍‌, ଚିତ୍ର ବେଶୀ। କୋମଳମତି ପିଲାଙ୍କ ପାଇଁ ବ୍ୟବହାର କରିବା ଭଳି ବହି ପ୍ରସ୍ତୁତି ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ ଉଦ୍ୟମ। ବଡ଼ କଥା ହେଉଛି ଏହି ପୁସ୍ତକଗୁଡ଼ିକର ଦାମ ଖୁବ୍ କମ ରଖାଯାଇଛି ଯାହା ଫଳରେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ମଧ୍ୟ ତାହାକୁ କିଣି ସାଇତି ରଖିପାରିବେ।
ଏହି ନୂଆ ବହି ଭିତରୁ ଦୁଇଟି ହେଉଛି ଓଡ଼ିଆ ଢଗଢମାଳି ବା ଯାହାକୁ କୁହାଯାଏ ରାଇମ୍। ପିଲା ହୁଏତ ଏଗୁଡିକ ଶୁଣିଥିବେ କିନ୍ତୁ ତାହାର ଉପଯୁକ୍ତ ପ୍ରସାରଣ ଓ ଅନୁସନ୍ଧାନ ଏ ଯାଏଁ ହୋଇ ନଥିଲା ବୋଲି କହିଛନ୍ତି ସୁଜିତ।
ସତ୍ୟନଗରଠାରେ ଥିବା ବକୁଳ ଫାଉଣ୍ଡେସନର ନାଁଟି ଆସିଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ବକୁଳ ବନବିଦ୍ୟାଳୟରୁ। ମୂଳତଃ ସ୍ୱେଚ୍ଛାସେବା ଜରିଆରେ ଫାଉଣ୍ଡେସନ ତାର କାର୍ଯ୍ୟ ଜାରି ରଖିଛି ଆଉ ଏହି ଉଦ୍ୟମ ପଛରେ ଅଛନ୍ତି ତିନି ଜଣ ଯୁବକ: ସୁଜିତ ,ସତ୍ୟଜିତ୍ ଓ ଆୟୁଷ୍ମାନ ମହାପାତ୍ର।

Tags: Bakul Foundation, Ayushman Mohapatra, Art, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment