ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ବର ମହିଳା ଥାନାରୁ ଡିସିପି ଅଫିସ୍। ନବୀନ ନିବାସରୁ ବିଧାନସଭା ସମ୍ମୁଖ। ଏମିତି ଗତ ୬ ମାସ ହେଲା ଘୂରି ବୁଲୁଛନ୍ତି ନିଜକୁ ତାଳଚେର ବିଧାୟକଙ୍କ ପତ୍ନୀ ଦାବି କରୁଥିବା ମହିଳା। ବିଧାୟକ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରୁନାହାନ୍ତି କି ପୋଲିସ ତାଙ୍କୁ ନ୍ୟାୟ ଦେଉନି। ଶେଷରେ ସେ ଜୀବନ ହାରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରି ଏବେ ଏହି ମହିଳା ଜଣକ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରିଛନ୍ତି।
ସେପ୍ଟେମ୍ବର ୭ ତାରିଖରେ ଏହି ମହିଳା ଜଣକ ଯାଇଥିଲେ ନବୀନ ନିବାସ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଗୁହାରି ଜଣାଇବେ ବୋଲି ଆଶା ରଖିଥଲେ। ହେଲେ ସୁରକ୍ଷା କର୍ମୀ ଏଥିରେ ବାଧା ଦେବାରୁ ମହିଳା ଜଣକ ନବୀନ ନିବାସ ସମ୍ମୁଖରେ ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ସୁରକ୍ଷା କର୍ମୀଙ୍କ ହସ୍ତକ୍ଷେପ ଯୋଗୁଁ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଏବେ ପୁଣି ସେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଏଥର ନବୀନ ନିବାସ ବଦଳରେ ବିଧାନସଭା ସମ୍ମୁଖରେ ସେ ଏଭଳି ସାହସ କରିଛନ୍ତି।
ବର୍ତ୍ତମାନ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଛି। ଏଥିପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ ମହିଳା ଜଣକ ବିଧାନସଭା ସମ୍ମୁଖରେ ଫିନାଇଲ୍ ପିଇ ଜୀବନ ହାରିବାକୁ ଉଦ୍ୟମ କରିବା ସମସ୍ତଙ୍କୁ ଚକିତ କରିଛି। ମହିଳା ଜଣକ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଥିବା ଜଣାପଡିଛି।
ମହିଳା ଜଣକ କହିଛନ୍ତି, ”ଭୁବନେଶ୍ବର ମହିଳା ଥାନା ଏବଂ ଡିସିପିଙ୍କ ନିକଟରେ ଅଭିଯୋଗ କରିଛି। ହେଲେ ମୋତେ ନ୍ୟାୟ ମିଳୁନି। ଆତ୍ମହତ୍ୟା ଏକ ଅପରାଧ ବୋଲି ମୁଁ ଜାଣିଛି। ହେଲେ ମୋତେ ବାଧିଛି ବୋଲି ମୁଁ ଏହି ରାସ୍ତା ଆପଣାଇ ନେଇଛି। ଯଦି ମୁଁ କରିଥିବା ଅଭିଯୋଗ ମିଛ, ତାହାଲେ ବିଧାୟକ ମୋ ନାଁରେ ମାନହାନୀ ମୋକଦ୍ଦମା କରନ୍ତୁ।”
ମହିଳା ଜଣକ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପତ୍ନୀ ବୋଲି ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ଫେବୃୟାରୀ ମାସରେ ସେ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ।

Tags: Talcher MlA, Braja Kishore Pradhan, Odisha Assembly, Naveen Niwas, Odisha News, Odisha Hot News, Bhubaneswar DCP, Capital Hospital, suicide, Justice, Mahila Policestation

Comment