ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ମରୁଡି ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ୧୪ଟି ଜିଲ୍ଲାର ୩୦ ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବାରୁ ପରିସ୍ଥିତି ଜଟିଳ ହୋଇଛି। ଏଣୁ ସରକାରଙ୍କ ସମ୍ଭାବ୍ୟ ମରୁଡି ମୁକାବିଲାକୁ ନେଇ ଚିନ୍ତା ବଢ଼ିଛି। ସେଥିପାଇଁ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟତାରେ ବସିଥିଲା ଜରୁରୀ ବୈଠକ।
ଏଥିରେ ରାଜସ୍ବ, କୃଷି, ଶକ୍ତି ଓ ଜଳସେଚନ ବିଭାଗର ଅଧିକାରୀମାନେ ଯୋଗଦେଇ ମରୁଡି ସ୍ଥିତି ନେଇ ଆଲୋଚନା କରିଛନ୍ତି।
ବୈଠକ ପରେ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ”ରାଜ୍ୟର ୧୪ ଜିଲ୍ଲାର ୩୦ ବ୍ଲକରେ କମ୍ ବର୍ଷା ହୋଇଛି। ଏଥିରେ ପାଖାପାଖି ୪୦ ହଜାର ହେକ୍ଟର ଜମି ମରୁଡି ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି। ତେବେ ପଞ୍ଚାୟତୱାରୀ ରିପୋର୍ଟ ଆସିଲେ ପ୍ରକୃତ ଚିତ୍ର ଜଣାପଡିବ। ସେଥିପାଇଁ ୭ ଦିନରେ ପଞ୍ଚାୟତୱାରୀ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦଶେ ଦିଆଯାଇଛି। ଏହି ରିପୋର୍ଟ ଉପରେ ଆଗାମୀ ଅକ୍ଟୋବର ୧୦ ତାରିଖରେ ବସିବାକୁ ଥିବା ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।”
ମନ୍ତ୍ରୀ ଆହୁରି କହିଛନ୍ତି ଯେ, କୃଷିର ପ୍ରଥମ ଉତ୍ସ ହେଉଛି ଜଳ। ସେଥିପାଇଁ ଅଚଳ ଉଠା ଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରାଯିବ। ବିଦ୍ୟୁତ ସମ୍ପର୍କୀତ ସମସ୍ୟା ଥିଲେ ସମାଧାନ କରାଯିବ। କେନାଲର ତଳ ମୁଣ୍ଡକୁ ପାଣି ଯାଉ ନ ଥିଲେ ସେଥିପ୍ରତି ଧ୍ୟାନ ଦିଆଯିବ।
ଚଳିତ ବର୍ଷ ୧୪ଟି ଜିଲ୍ଲାରେ ସ୍ପଳ୍ପ ବର୍ଷା ହୋଇଛି, ଯାହାଦ୍ୱାରା ଚାଷୀ ପ୍ରଭାବିତ ହୋଇଛନ୍ତି। ପାଣି ଅଭାବରୁ ଜମିରେ ଧାନଗଛ ମରିବାକୁ ବସିଲାଣି। କେତେକ ସ୍ଥାନରେ ଧାନ ଜମିରେ ଗୋରୁ ଚରୁଛନ୍ତି।
ମରୁଡି ପ୍ରସଙ୍ଗରେ ୧୪ ତାରିଖରେ ବିଧାନସଭାରେ ଆଲୋଚନା ହୋଇଥିଲା। ୩୦ ବ୍ଲକରେ ମରୁଡି ସ୍ଥିତି ଦେଖାଦେବାର ସମ୍ଭାବନା ରହିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ସ୍ୱୀକାର କରିଥିଲେ। କହିଥିଲେ, ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର କିଛି ସ୍ଥାନରେ ମରୁଡି ସ୍ଥିତି ଦେଖାଦେଇଛି। ବିଧାନସଭା ଅଧିବେଶନ ଶେଷ ହେବା ପରେ ସେ ନିଜେ ଯାଇ ଏହି ସ୍ଥିତିର ସମୀକ୍ଷା କରିବେ।

Tags: Odisha News, Odisha Hot News, Revenue Department, Revenue Minister, Maheswar Mohanty, Rainfall, Paddy Crop, Odisha Farmer, Odisha Assembly, Lift Irrigation, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment