ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେରା ସଚ୍ଚା ସୌଦା ଆଶ୍ରମ ମୁଖ୍ୟ ରାମରହିମ୍‌ଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ପଞ୍ଚକୁଲାର ସେର୍ ୫ ପୋଲିସ୍ ଷ୍ଟେସନରେ ହନିପ୍ରୀତଙ୍କ ବିରୋଧରେ ଏହି ମାମଲା ମଙ୍ଗଳବାର ରୁଜୁ ହୋଇଛି। ହରିୟାଣା ପଞ୍ଚକୁଲାରେ ଗୁରୁମିତ୍ ରାମ ରହିମ୍ ସିଂହଙ୍କ ଶୁଣାଣି ଚାଲିଥିବା ବେଳେ ଅଗଷ୍ଟ ୨୫ରେ ହୋଇଥିବା ହିଂସାକାଣ୍ଡକୁ ଉସୁକାଇବା ଅଭିଯୋଗରେ ମାମଲା ହୋଇଛି।
ହନିପ୍ରୀତ ଏହି ମାମଲାରେ ବର୍ତ୍ତମାନ ଅନ୍ୟ ଜଣେ ଅଭିଯୁକ୍ତ। ଏହା ପୂର୍ବରୁ ଡେରା ସଚ୍ଚା ସୌଦାର କର୍ମକର୍ତ୍ତା ଆଦିତ୍ୟ ଇନସାନ୍ ଏବଂ ସୁରିନ୍ଦର ଧିମାନଙ୍କ ବିରୋଧରେ ମାମଲା ହୋଇଥିଲା।
ହରିୟାଣା ଡିଜିପି ବି.ଏସ୍‌.ସାନ୍ଧୁ କହିଛନ୍ତି, ”ହନିପ୍ରୀତକୁ ଗିରଫ କରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି। ତେବେ ସେ କେଉଁଠି ଅଛନ୍ତି ସେ ସମ୍ପର୍କରେ ଜଣାପଡିନାହିଁ। ଆମ ପାଖକୁ ଆସୁଥିବା ସମସ୍ତ ତଥ୍ୟର ଯାଞ୍ଚ କରାଯାଇ ତ୍ୱରିତ ପଦକ୍ଷେପ ନିଆଯାଉଛି।”
ହନିପ୍ରୀତ ନେପାଳ ଚାଲି ଯାଇଥିବା ସୂଚନା ମିଳିଛି। ହନିପ୍ରୀତ ଏବଂ ଆଦିତ୍ୟ ଇନସାନ୍‌ଙ୍କ ବିରୋଧରେ ପୂର୍ବରୁ ଲୁକ୍ ଆଉଟ ନୋଟିସ ଜାରି କରିଥିଲା ପୋଲିସ। ରାମ ରହିମ୍ ଦୋଷୀ ସାବ୍ୟସ୍ତ ହେବା ପରେ ହେଲିକପ୍‌‍ଟରରେ ରାମ ରହିମ୍‌ଙ୍କ ସହ ରୋହତକ ଜେଲ୍‌ ପର୍ଯ୍ୟନ୍ତ ଆସିଥିଲେ ହନିପ୍ରୀତ। ଏହାପରଠୁ ହନିପ୍ରୀତ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି।
କୁହାଯାଉଛି ହନିପ୍ରୀତ ନେପାଳରେ ଲୁଚିଛନ୍ତି। ତାଙ୍କୁ ଖୋଜିବା ପାଇଁ ପୋଲିସର ୧୦ଟି ଟିମ୍ ଗଠନ କରାଯାଇଛି। ଏହା ପୂର୍ବରୁ ହରିଆଣା ପୋଲିସ୍ ପଞ୍ଚକୁଲାରେ ହୋଇଥିବା ହିଂସାକୁ ନେଇ ଏକ ତାଲିକା ଜାରି କରିଥିଲା। ଏଥିରେ ୪୩ ଜଣଙ୍କ ଫଟୋ ରହିଛି। ଏହି ତାଲିକାରେ ହନିପ୍ରୀତଙ୍କ ନାଁ ସବୁଠୁ ଶୀର୍ଷରେ ରହିଛି।
ଅଗଷ୍ଟ ୨୫ରେ ହୋଇଥିବା ହିଂସା ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୨୫୦ ଜଣ ଆହତ ହୋଇଥିଲେ।

Tags: India News, India Hot News, India Latest News, Honeypreet, Panchkula, Dera Chief Daughter, Chandigarh, Haryana Police, Ram Rahim, Sunaria Jail, Aditya Insan, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

 

Comment