ଓଡ଼ିଶାଲାଇଭ୍ ବ୍ୟୁରୋ

“୨୦୧୮ ସୁଦ୍ଧା ରାଜ୍ୟର ପ୍ରାୟ ୧ କୋଟି ଲୋକଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୬୮ ଲକ୍ଷ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆଉ ୩୨ ଲକ୍ଷ ଲୋକଙ୍କୁ ୨୦୧୮ ଶେଷ ସୁଦ୍ଧା ବିଜୁଳି ସଂଯୋଗ ଦିଆଯିବ”- ଏହା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।
ଫିକି ପକ୍ଷରୁ ଏମ୍‌-ପାୱାର ସମ୍ମିଳନୀର ତୃତୀୟ ସଂସ୍କରଣ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ବିଦ୍ୟୁତ ଓ ସୌର ଶକ୍ତି ଉପରେ ଆମକୁ ଅଧିକ ବିକଶିତ ହେବାକୁ ପଡିବ ବୋଲି କହିଛନ୍ତି।
ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ୪୨୦୦ ମେଗାୱାଟ ବିଦ୍ୟୁତ ଆବଶ୍ୟକତା ରହିଛି। ହେଲେ ଆମକୁ ମିଳୁଛି ୩୫୦୦ ମେଗାୱାଟ।  ଆବଶ୍ୟକତା ପୂରଣ କରିବାକୁ ହେଲେ ରାଜ୍ୟରେ ଅଧିକ ଶକ୍ତି ଉତ୍ସ ସୃଷ୍ଟି କରିବାକୁ ପଡିବ।
ଆମ ରାଜ୍ୟରେ ଜଳ, ସୌର ଓ ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ପାଇଁ ଭଲ ସୁଯୋଗ ରହିଛି। କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ଜରିଆରେ ୨୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବାର ସମ୍ଭାବନା ରହିଛି।
ଫିକି ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, “ବିଦ୍ୟୁତ ସଂସ୍କାର ଆରମ୍ଭ କରି ଓଡ଼ିଶା ଅନେକ ସଫଳତା ହାସଲ କରିଛି। ତେବେ ବିଦ୍ୟୁତ୍ କ୍ଷେତ୍ରରେ ଓଡିଶାକୁ ଆହୁରି ଆଗକୁ ନେବା ପଡ଼ିବ। ସମ୍ମିଳନୀରେ ଯୋଗ ଦେଇଥିବା ଅଂଶୀଦାରମାନେ ଏନେଇ ବହୁ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି। ସେମାନଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯିବ।”
ଏହି ଅବସରରେ ଓଇଆର୍‌ସି ଅଧ୍ୟକ୍ଷ ୟୁ ଏନ୍‌ ବେହେରା, ଓଏଚ୍‌ପିସି ସିଏମ୍‌ଡି ବିଶାଲ କୁମାର ଦେବ, ସେସୁ ସିଇଓ ସାଦ୍ଦିକ ଆଲମ୍, ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏମ୍‌ କେ ଗୁପ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here