ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ଟ୍ରାଭେଲ ବଜାର। ଶୁକ୍ରବାର ସକାଳେ ଓଡ଼ିଶା ଟ୍ରାଭେଲ ବଜାର-୨୦୨୨ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ବିଭାଗା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଭୁବନେଶ୍ଵରର ଏକ ହୋଟେଲଠାରେ ଉଦଘାଟନ କରିଛନ୍ତି।

“କୋଭିଡ ମହାମାରୀ ଯୋଗୁଁ  ଗତ ଦୁଇ ବର୍ଷ ହେଲା ଓଡ଼ିଶା ଟ୍ରାଭେଲ ବଜାର ହୋଇପାରି ନଥିଲା। ପୁଣି ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଠିତ ହେଉଥିବାରୁ ଆମେ ବହୁତ ଉତ୍ସାହିତ ଅଛୁ। ଏହା ଘରୋଇ ଏବଂ ବିଦେଶ ଟୁରିଜିମ୍ ଷ୍ଟେକହୋଲ୍ଡରମାନଙ୍କ ମଧ୍ୟରେ ଭାବ ବିନିମୟ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇ ଦେବ। ଓଡ଼ିଶାରେ ଏମିତି କିଛି ସ୍ଥାନ ରହିଛି, ଯାହା ସ୍ୱର୍ଗୀୟ  ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଦେଶ ଏବଂ ବିଦେଶର ଟୁର ଅପରେଟରମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ପରିଦର୍ଶନରେ ଯିବେ। ଆଗାମୀ ଦିନମାନଙ୍କରେ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ହେବ ଏବଂ ଏହି କ୍ଷେତ୍ରରୁ ରାଜ୍ୟ ରାଜ କୋଷର ମଧ୍ୟ ବୃଦ୍ଧି ହେବ,” କହିଛନ୍ତି ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର।

ଭାରତ ତଥା ବିଦେଶୀ ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ‘ଓଡ଼ିଶା ଟ୍ରାଭେଲ ବଜାର’ ଆୟୋଜନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ଏହି ମେଗା ଇଭେଣ୍ଟ ପ୍ରତିବର୍ଷ କରାଯାଉଛି। କୋଭିଡ୍‌ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ବନ୍ଦ ଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଚଳିତ ଅକ୍ଟୋବର ୨୮ରୁ ୩୦ ତାରିଖ, ୩ ଦିନ ଧରି ଚାଲିବ।

୨୦୧୭ ମସିହାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ପ୍ରଥମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ୨୦୧୮ ଏବଂ ୨୦୧୯ରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରାଯାଇଥିଲା। ତେବେ କୋଭିଡ୍ ମହାମାରୀ ଲାଗି ଗତ ଦୁଇ ବର୍ଷ ହେଲା ସ୍ଥଗିତ ରହିଥିବା ‘ଓଡ଼ିଶା ଟ୍ରାଭେଲ ବଜାର’ର ଚତୁର୍ଥ ସଂସ୍କରଣ ହେବାକୁ ଯାଉଛି।

ଏଥିରେ ଦେଶ ବିଦେଶର ବହୁ ଟୁର୍‌ ଓ ଟ୍ରାଭେଲ ଅପରେଟରଙ୍କ ସହିତ ହୋଟେଲିୟର, ପର୍ଯ୍ୟଟନ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ।

Tags: #IATO #OdishaTravelBazaar #OdishaTourism #OdishaTravelBazaar2022 #FICCI #OTB

LEAVE A REPLY

Please enter your comment!
Please enter your name here