ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। କରୋନା କଟକଣା କାରଣରୁ ଦୀର୍ଘ ୨ବର୍ଷ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କ୍ରମରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ୬ ଦିନିଆ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଆଣ୍ଡ ଆମ୍ବାସାଡର ମିଟରେ ଯୋଗଦେବେ। ଆମେରିକା, ୟୁଏଇ, କତାର, ଓମାନ, ବାହାରିନ୍, ସାଉଦି ଆରବ, ୟୁକେ, ଜର୍ମାନ, ଫ୍ରାନ୍ସ, ଇଟାଲୀ, ଇକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯିବ। ମୁଖ୍ୟମନ୍ତ୍ରୀ ମେକ୍ ଇନ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବା ପୂର୍ବକ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବେ।

ଏଫଆଇସିସିଆଇ ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ।

ଏହି କାର୍ଯ୍ୟକ୍ରମ ପରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋ­ଗ ସୃଷ୍ଟି କରାଯିବ। ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।

Tags: #MakeInOdishaconclave2022 #Investorsmeetdelhi #FICCI #CMNaveenPattanaik #PratapKeshariDeb

Comment