ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ତଥା ବିଦେଶୀ ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ‘ଓଡ଼ିଶା ଟ୍ରାଭେଲ ବଜାର’ ଆୟୋଜନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ଏହି ମେଗା ଇଭେଣ୍ଟ ପ୍ରତିବର୍ଷ କରାଯାଉଛି। କୋଭିଡ୍‌ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା ବନ୍ଦ ଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରଠାରେ ଚଳିତ ଅକ୍ଟୋବର ୨୮ରୁ ୩୦ ତାରିଖ, ୩ ଦିନ ଧରି ଚାଲିବ।

୨୦୧୭ ମସିହାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ପ୍ରଥମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ୨୦୧୮ ଏବଂ ୨୦୧୯ରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରାଯାଇଥିଲା। ତେବେ କୋଭିଡ୍ ମହାମାରୀ ଲାଗି ଗତ ଦୁଇ ବର୍ଷ ହେଲା ସ୍ଥଗିତ ରହିଥିବା ‘ଓଡ଼ିଶା ଟ୍ରାଭେଲ ବଜାର’ର ଚତୁର୍ଥ ସଂସ୍କରଣ ହେବାକୁ ଯାଉଛି।

‘ଓଡ଼ିଶା ଟ୍ରାଭେଲ ବଜାର’ ହେଉଛି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଏକ ଇଭେଣ୍ଟ। ଏଥିରେ ଦେଶ ବିଦେଶର ବହୁ ଟୁର୍ ଓ ଟ୍ରାଭେଲ ଅପରେଟର, ହୋଟେଲିୟର, ଏୟାରଲାଇନ୍ସ, ମିଡିଆ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ବିଷୟରେ ଉପସ୍ଥାପନ କରିବା ସହ ବି୨ଜି ଓ ବି୨ବି ବୈଠକ କରିବେ।

(ଫାଇଲ ଫଟୋ)

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ କେମିତି ଆକର୍ଷିତ ହେବ ସେ ବିଷୟରେ ମଧ୍ୟ ବିଶେଷ ଆଲୋଚନା କରାଯିବ।

ଏହା ସହିତ ବିଦେଶୀ ଟୁର୍ ଅପରେଟରମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ବିଷୟରେ ଅବଗତ କରାଇବା ଲାଗି ସେମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲାଇବାକୁ ନିଆଯିବ।

ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ଫଳରେ ଆମ ପର୍ଯ୍ୟଟନ ଆହୁରି ସମୃଦ୍ଧ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ହୋଇପାରିବ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ଦେଶ ବିଦେଶର ଲୋକେ ଜାଣିବାର ସୁଯୋଗ ପାଇବେ। ତେଣୁ ଓଡ଼ିଶା ପର୍ଯ୍ୟଟନର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି।

୨୦୧୮  ମସିହାରେ ଓଡ଼ିଶା ଟ୍ରାଭେଲ ବଜାରର ଦ୍ୱିତୀୟ ସଂସ୍କରଣରେ ମୋଟ ୨୩ଟି ଦେଶରୁ ୬୦ ଜଣ ବିଦେଶୀ ଟୁର୍ ଅପରେଟର ଯୋଗ ଦେଇଥିଲେ। ଭାରତରୁ ୧୬ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେଇଥିଲେ।

ସେହିପରି ୨୦୧୯ରେ ହୋଇଥିଲା ‘ଓଡ଼ିଶା ଟ୍ରାଭେଲ ବଜାର’ର ତୃତୀୟ ସଂସ୍କରଣ। ଏଥିରେ ମୋଟ ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍ ଅପରେଟର ଏବଂ ଭାରତର ୬୦ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେଇଥିଲେ।

Tags: #IATO #OdishaTravelBazaar #OdishaTourism, #FICCI #OTB

Comment