ଓଡ଼ିଶାଲାଇଭ୍ ବ୍ୟୁରୋ

ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ନୂଆଦିଲ୍ଲୀ ଓ ରାଜ୍ୟ ଶାଖା ଏବଂ ୱାଟର ଡଟ୍ ଅର୍ଗ, ୟୁନିସେଫ, ସା-ଧନର ମିଳିତ ଆନୁକୂଲ୍ୟରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶାକୁ ବାହ୍ୟ ମଳମୁକ୍ତ ମାନ୍ୟତା ବଜାୟ ରଖିବା ପାଇଁ ସରକାର, କର୍ପୋରେଟ୍‌, ବିତ୍ତୀୟ ସଂସ୍ଥା ମଧ୍ୟରେ ସମନ୍ୱୟ ରଖିବା ପାଇଁ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗ, କର୍ପୋରେଟ୍ ଓ ଅଂଶୀଦାର ସଙ୍ଗଠନର ମିଳିତ ସହଯୋଗରେ ରାଜ୍ୟରେ ବାହ୍ୟ ମଳମୁକ୍ତ ଅଭିଯାନକୁ ବଜାୟ ରଖିବା ଦିଗରେ ଆସୁଥିବା ଆର୍ଥିକ ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା ହୋଇଥିଲା।

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବା ଦିନଠାରୁ ବାହ୍ୟ ମଳମୁକ୍ତ ମାନ୍ୟତା ହାସଲ କରିବା ସହ ଏ ଦିଗରେ ବହୁ ଆଗରେ ରହିଛି ଓଡ଼ିଶା। ଏହି ଅଗ୍ରଗତିକୁ ବଜାୟ ରଖିବାକୁ ବିଶୁଦ୍ଧ ପାନୀୟ ଜଳ ଓ ନିରୋଗ ପରିମଳ ପାଇଁ ବିଭିନ୍ନ ପଦକ୍ଷେପ ଓ ଭିତ୍ତିଭୂମି ହାତକୁ ନିଆଯାଉଛି।

ବାହ୍ୟ ମଳମୁକ୍ତ ମାନ୍ୟତା ହାସଲ କରିବା ଦିଗରେ ଓଡ଼ିଶା ସାମ୍ନା କରିଥିବା ଆହ୍ୱାନ ଏବଂ ଏହି ଅଭିଯାନ କିପରି ସଫଳତାର ରୂପ ନେଲା, ତାହା କହିଥିଲେ, ରାଜ୍ୟ ପାନୀୟ ଜଳ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ପରମେଶ୍ୱରନ ବି.। ସେହି ଆହୁରି କହିଥିଲେ, ବାହ୍ୟ ମଳମୁକ୍ତ ସ୍ଥିତି ବଜାୟ ରଖିବା ସହ ସ୍ୱଚ୍ଛ ଭାରତର ମିଶନ ୨ର ଗୁରୁତ୍ୱପୂର୍ଣ୍ଣ କାରକଗୁଡ଼ିକ ଉପରେ ଆମେ କାମ କରୁଛୁ। କଠିନ ଓ ତରଳ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଅନୁଷ୍ଠାନ ଓ ବିଭାଗ ସହ ଆମେ ବ୍ୟବସାୟର ମଡେଲ ଅନୁସନ୍ଧାନ ମଧ୍ୟ କରୁଛୁ।

ବିଶୁଦ୍ଧ ପାନୀୟ ଜଳ ଓ ପରିମଳ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଆର୍ଥିକ ଆବଶ୍ୟକତା ଓ ଅଭାବ ସମ୍ପର୍କରେ ହୋଇଥିବା ଅନୁଧ୍ୟାନ କହୁଛି, ଟାର୍ଗେଟ୍ ହାସଲ କରିବାର ଖର୍ଚ୍ଚଠାରୁ ଏହି କ୍ଷେତ୍ରରେ ବର୍ତ୍ତମାନର ପୁଞ୍ଜି ନିବେଶ କମ୍ ରହିଛି। ଏହା ଦର୍ଶାଉଛି ଯେ ଜଳ ଓ ପରିମଳ ପାଇଁ ଘରୋଇ କ୍ଷେତ୍ର ସହ ଆହୁରି ଅଧିକ ନିବେଶ ଆବଶ୍ୟକ।  ଜଣାଶୁଣା ବ୍ୟାଙ୍କର ନୈନାଲାଲ କିଦୱାଇ କହିଛନ୍ତି, ଓଡ଼ିଶା ଗ୍ରାମୀଣ ପରିମଳ ଯୋଜନା ୨୦୨୦ ଗୋଟିଏ ଉତ୍ସାହଜନକ ଢାଞ୍ଚା ଦେଉଛି, ଯାହା ଗ୍ରାମାଞ୍ଚଳରେ ସଂରଚନାଗତ ପରିମଳ ହସ୍ତକ୍ଷେପ ସହ ଶାସନର ବିକେନ୍ଦ୍ରୀକରଣ ଓ ସାମାଜିକ ସମାବେଶ ତଥା ସମନ୍ୱୟକୁ ସାମିଲ କରୁଛି। ଯୋଜନା କାର୍ଯ୍ୟାନ୍ୱୟନ ବେଳେ ଭଲ ଫଳାଫଳ ପାଇଁ ଅର୍ଥ ମୁଖ୍ୟ କାରଣ ହୁଏ ଓ କର୍ପୋରେଟ୍ ସେକ୍ଟରକୁ ମଧ୍ୟ ଦାୟିତ୍ୱରେ ସହଭାଗୀ କରେ।

ଓଡ଼ିଶା ଜୀବିକା ମିଶନର ଅତିରିକ୍ତ ସିଇଓ ବବିତା ମହାପାତ୍ର କହିଥିଲେ, ଜୀବନ ଜୀବିକା ମଜଭୁତ କରିବା ପାଇଁ ୪.୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ଲକ୍ଷ ସଦସ୍ୟା କାମ କରୁଛନ୍ତି। ଜଳ ଓ ପରିମଳ ନିରୋଗତା କାର୍ଯ୍ୟକ୍ରମ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ପ୍ରାଥମିକତା। ବଛା ବଛା ଜିଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାଇଖାନା ନିର୍ମାଣ, ବାହ୍ୟ ମଳମୁକ୍ତି ଦିଗରେ ସଚେତନତା ସୃଷ୍ଟି ଦିଗରେ କାମ କରୁଛନ୍ତି। ୟୁନିସେଫ ସହାୟତାରେ ଚାଲିଥିବା ସ୍ୱାଭିମାନ ପ୍ରକଳ୍ପ ଅଧୀନରେ ଜଳ ଓ ପରିମଳ ନିରୋଗତା (ୱାଟର ଆଣ୍ଡ ସାନିଟେସନ ହାଇଜିନ ବା ୱାସ୍) ହେଉଛି ଏକ ପ୍ରମୁଖ ଅସ୍ତ୍ର।

ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସ୍ ଚିଫ୍‌ ମୋନିକା ନିଲସେନ କହିଛନ୍ତି, ରାଜ୍ୟରେ ପାଇଖାନା ନିର୍ମାଣ ଓ ପରିମଳ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ପ୍ରଭାବୀ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଆମେ ଏହି ପ୍ରକ୍ରିୟାକୁ ବଜାୟ ରଖିବା ଜରୁରୀ। ଉନ୍ନତ ଶୌଚାଳୟ, ପୁନର୍ସ୍ଥାପନ, ବର୍ଷାଜଳ ଅମଳ ଭଳି ବିଜିନେସ୍ ମଡେଲ ଭଳି ଆବଶ୍ୟକତା ପ୍ରତି କର୍ପୋରେଟ୍‌ର ପୁଞ୍ଜି ନିବେଶ ପାଇଁ ଦୃଷ୍ଟି ଆକର୍ଷଣ କରାଯିବା ଜରୁରୀ। ଏହି ଭାଗୀଦାରୀକୁ ଉନ୍ନୟନ ସଂସ୍ଥାଗୁଡ଼ିକ ସୁବିଧାଜନ କରିପାରିବେ।

ପ୍ରାୟ ୨୫୦ ଜଣ ବ୍ୟକ୍ତି ଏହି ୱେବିନାରରେ ଭାଗ ନେଇଥିଲେ। ରାଜ୍ୟ ଓ ଘରୋଇ ସଂସ୍ଥା, ଉନ୍ନୟନ ଅଂଶୀଦାର ଓ ନାଗରିକ ସମାଜ ସଙ୍ଗଠନଗୁଡ଼ିକ ମଧ୍ୟରେ ଭାଗୀଦାରୀ ସୁଯୋଗ ସୃଷ୍ଟି କରି ସ୍ୱଚ୍ଛ ଓ ନିରୋଗ ଓଡ଼ିଶା ତିଆରି କରିବା, ରାଜ୍ୟରେ ଜଳ, ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଅର୍ଥକାରୀ ସଂସ୍ଥାଗୁଡ଼ିକ ଭିତରେ ସଚେତନତା ସୃଷ୍ଟି କରିବା ପ୍ରସଙ୍ଗରେ ଏଥିରେ ଆଲୋଚନା କରାଯାଇଥିଲା।

 

Comment