ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇକୋର୍ଟ ଜଜ୍‌ ଚିତ୍ତରଞ୍ଜନ ଦାଶଙ୍କ ବାସଭବନରେ ସିବିଆଇ ପଶିବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ସିବିଆଇ ଏଫ୍‌ଆଇଆର୍‌ କପି ଗ୍ରହଣ କରିଥିବା ବେଳେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।  ତେବେ ଏହାକୁ ନେଇ ରାଜନୀତି ଚର୍ଚ୍ଚା ମଧ୍ୟ କିଛି କମ୍ ହେଉନି। ସିବିଆଇର ଏଭଳି କାର୍ଯ୍ୟକଳାପକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର୍‌ ଧରିଛି।
ହାଇକୋର୍ଟରେ ରୁଜୁ ହେଲା ପିଆଇଏଲ୍‌
ହାଇକୋର୍ଟ ସିଟିଂ ଜଜ୍ ଚିତ୍ତରଞ୍ଜନ ଦାଶଙ୍କ ଘରେ ସିବିଆଇ ପଶିବା ଘଟଣା ଭିନ୍ନ ମୋଡ଼ ନେଇଛି। ଗୁରୁବାର ହାଇକୋର୍ଟରେ ଓକିଲ ସଂଘ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି।
ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏବଂ ଓଡ଼ିଶା ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ନେତୃତ୍ୱରେ ଘଟଣା ତଦନ୍ତ କରିବାକୁ ସଂଘ ନିବେଦନ କରିଛି।
ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଛି। କେନ୍ଦ୍ର ଗୃହ ସଚିବ, ସିବିଆଇ ଡାଇରେକ୍ଟର, ଆଇଜି, ଏସ୍‌ପି, କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଏବଂ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଜଜ୍‌ଙ୍କ ଘରେ ସିବିଆଇ ପଶିବାକୁ ନେଇ ବୁଧବାରଠାରୁ ହାଇକୋର୍ଟ ବାର୍‌ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି।
କିଏ କ’ଣ କହିଛନ୍ତି?
“ଜଣେ ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ପଶିବା ଦୁର୍ଭାଗ୍ୟଜନକ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଖେଳ ଖେଳାଯାଏ ନାହିଁ। ଯେହେତୁ କୁଦ୍ଦୁସି ଓଡ଼ିଶା ହାଇକୋର୍ଟର ବିଚାରପତି ଥିଲେ, ତାଙ୍କ କ୍ୱାର୍ଟର୍ସ ଭାବି ସିବିଆଇ ଅଧିକାରୀମାନେ ଜଷ୍ଟିସ୍ ଦାଶଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲେ। ତେଣୁ ତାଙ୍କ ଭୁଲ୍‌ ପାଇଁ ସେମାନେ ପରିଣାମ ଭୋଗିବେ”- ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।
ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି,”ସିବିଆଇ ରାତି ଅଧରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିବା ଏକ ଅପରାଧ। ଏହି ଘଟଣାରେ କମିଶନରେଟ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ଏବଂ ବାର୍‌ ଆସୋସିଏସନ୍‌ର ପଦକ୍ଷେପକୁ ସ୍ବାଗତ କରୁଛି।”
ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,”ସିବିଆଇକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି। ଏହାସହ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ଘରକୁ ଯିବା ନେଇ କିଛି ପ୍ରୋଟୋକଲ୍‌ ରହିଛି।”

 

LEAVE A REPLY

Please enter your comment!
Please enter your name here