ଓଡ଼ିଶାଲାଇଭ୍ ବ୍ୟୁରୋ

ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରେ କମିଲା ଜିଏସ୍‌ଟି। ରାଜ୍ୟ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି।
ଖଲିପତ୍ର ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ପଥର ମୂର୍ତ୍ତି ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି।
ସବାଇଘାସରୁ ନିର୍ମିତ ଦଉଡ଼ିରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିଥିଲା। ଏହା ଏବେ ୫ ପ୍ରତିଶତକୁ ଖସି ଆସିଛି। ମାଟିରେ ତିଆରି ମୂର୍ତ୍ତି ଉପରେ ପୂର୍ବରୁ ୨୮ ପ୍ରତିଶତ ଜିଏସ୍‌ଟି ଲାଗିଥିବା ବେଳେ ଏହାକୁ ଏବେ ସମ୍ପୂର୍ଣ୍ଣ କରମୁକ୍ତ କରାଯାଇଛି।
ରାଜ୍ୟର ବହୁ ଗରିବ ଆଦିବାସୀ ଓ କାରିଗରଙ୍କ ଜୀବିକା ଏହିସବୁ ସାମଗ୍ରୀ ଉପରେ ନିର୍ଭର କରୁଛି। ଏଣୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ ଜିଏସ୍‌ଟି ଛାଡ଼ କରିବାକୁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଥିଲେ। ଗତ ୯ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟକୁ କ୍ଷତିପୂରଣ ବାବଦରେ କେନ୍ଦ୍ରଠାରୁ ୫୨୫ କୋଟି ଟଙ୍କା ପାଇବାକୁ ରହିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। କେନ୍ଦ୍ରଠାରୁ ରାଜ୍ୟ ୨୩୯୩ କୋଟି ପାଇବାର ଥିଲା। ବର୍ତ୍ତମାନ ସୁଦ୍ଧା ୧୮୬୮ କୋଟି ଟଙ୍କା କେନ୍ଦ୍ରଠାରୁ ମିଳିଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here