ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ପରେ ପ୍ରଶାସନର ଚେତା ପଶିଛି। ସେତୁ ନିର୍ମାଣ କରୁଥିବା ଠିକାଦାରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ। ସେତୁ ନିର୍ମାଣ ଦାୟିତ୍ବ ନେଇଥିବା ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଏହାସହ ସଂପୃକ୍ତ ଠିକାଦାରଙ୍କୁ ବକେୟା ପ୍ରାପ୍ୟ ଦିଆଯିବ ନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି।
ବରଗଡ଼ ଜିଲ୍ଲା ଭେଡ଼େନ୍ ବ୍ଲକ ଜାମଡୋଲ-ଧୁବେନପାଲି ରାସ୍ତାର ଜିରାନଦୀ ଉପରେ ଦେଢ଼ ବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିଲା ସେତୁ। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ତେବେ ରବିବାର ବ୍ରିଜର ଶେଷ ସ୍ଲାବ୍ ପଡ଼ୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡିଥିଲା। ଫଳରେ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାରେ ବରଗଡ଼ ପୋଲିସ ଏସ୍‌ଡିଓ କମଳାକାନ୍ତ ତରିଆ ଏବଂ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ରଙ୍କୁ ଗିରଫ କରିଛି। ଚିଫ୍ ଇଞ୍ଜିନିୟର ଭରତ ଚନ୍ଦ୍ର ପ୍ରଧାନ ବ୍ରିଜ ଭୁଶୁଡ଼ିବାସ୍ଥଳ ପରିଦର୍ଶନ କରିଛନ୍ତି।
ଏପଟେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ଘଟଣା ଉପରେ ଟ୍ବିଟ୍ କରିଛନ୍ତି। ଅନ୍ୟ ନିର୍ମାଣାଧୀନ ବ୍ରିଜ ଏବଂ ଫ୍ଲାଏ ଓଭରଗୁଡିକର ଯାଞ୍ଚ କରିବାକୁ ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଯାଞ୍ଚ କରିବା ପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ସେ କହିଛନ୍ତି।
କିଛିଦିନ ତଳେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ ମଧ୍ୟ ନିର୍ମାଣାଧୀନ ବେଳେ ଭୁଶୁଡିଥିଲା। ଏଥିରେ ଜଣକର ପ୍ରାଣହାନୀ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଠିକା ସଂସ୍ଥା ପଣ୍ଡା ଇନଫ୍ରାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କିଶୋର ପଣ୍ଡା ଗିରଫ ହୋଇଛନ୍ତି। ଅନ୍ୟ ଦୁଇ ନିର୍ଦ୍ଦେଶକ ଫେରାର ଅଛନ୍ତି।

 

LEAVE A REPLY

Please enter your comment!
Please enter your name here