ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅପକମିଂ ମୁଭିପ୍ରେମ କୁମାରରେ ସୁପରଷ୍ଟାର ଅନୁଭବ ମହାନ୍ତି ଆସୁଛନ୍ତି ଡବଲ୍ ରୋଲରେ ଆସନ୍ତୁ ଜାଣିବା ସେ ପୂର୍ବରୁ କେଉଁ ସିନେମାରେ ଏଭଳି ଡବଲ ରୋଲ୍‌ ନିଭାଇଛନ୍ତି

ଓଲିଉଡର ଟପ୍ ହିରୋ ଅନୁଭବ ମହାନ୍ତି ୨୦୦୪ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର ସିନେମା ‘ଆଇ ଲଭ ୟୁ’ରୁ ହିରୋ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଇତିମଧ୍ୟରେ ବେଶ୍ କେତୋଟି ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିସାରିଲେଣି। ହେଲେ କେବଳ ତିନୋଟି ସିନେମାରେ ଅନୁଭବ ଡବଲ ରୋଲ୍‍ ନିଭାଇଛନ୍ତି। ଆସନ୍ତୁ ଜାଣିବା ସେହି ସିନେମା ବିଷୟରେ…

ପ୍ରେମ କୁମାର

ଦଶହରା ଅବସରରେ ରିଲିଜ ହେଉଛି ଓଡ଼ିଆ ସିନେମା ‘ପ୍ରେମ କୁମାର’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାର ସବୁଠାରୁ ରୋଚକ ତଥ୍ୟ ହେଲା ଯେ ଏଥିରେ ଦୀର୍ଘଦିନ ବ୍ୟବଧାନରେ ଅନୁଭବ ଡବଲ ରୋଲରେ ନଜର ଆସୁଛନ୍ତି।

‘ପ୍ରେମ କୁମାର’ରେ ଅନୁଭବଙ୍କର ଗୋଟିଏ ଚରିତ୍ରର ନାଁ ‘ପ୍ରେମ’ ଓ ଅନ୍ୟଟିର ନାଁ ‘କୁମାର’। ଏଥିମଧ୍ୟରୁ ଗୋଟିଏ ଭୂମିକାରେ ସେ ଧନୀ ପରିବାରର ପୁଅ ଓ ଅନ୍ୟଟିରେ ଏକ ମଧ୍ୟବିତ୍ତ ପରିବାରର ପୁଅ ଭୂମିକାରେ ଅଭିନୟ କରୁଛନ୍ତି। କାହାଣୀ ଅନୁଯାୟୀ ଉଭୟେ ନିଜ ନିଜର ଜୀବନଶୈଳୀକୁ ନେଇ ଆଦୌ ଖୁସ୍ ନୁହଁନ୍ତି।

ଧନୀ ଯୁବକ ଭାବୁଛି ଧନୀର ପ୍ରାଚୁର୍ଯ୍ୟ ତାଙ୍କୁ ଭଲ ଲାଗୁନି। ଏଣୁ ସେ ଜୀବନ ହାରିବାକୁ ଚାହେଁ। ଏଣେ ମଧ୍ୟବିତ୍ତ ପରିବାରର ଯୁବକ ଜଣକ ଚାକିରି ନ ପାଇ ହତାଶ ହୋ‍ଇ ମରିବାକୁ ଚାହେଁ। ଦୁହିଁଙ୍କର ଉଦ୍ଦେଶ୍ୟ ସମାନ। ହେଲେ ଉଭୟେ ମୃତ୍ୟୁମୁଖରୁ ବର୍ତ୍ତିଯାନ୍ତି। ଉଭୟେ ଦେଖିବାକୁ ଏକାଭଳି।

ଏହାପରେ ସେ ଦୁହେଁ ପରସ୍ପରର କାହାଣୀ ଶୁଣାନ୍ତି। ତା’ପରେ ନିଷ୍ପତ୍ତି ନିଅନ୍ତି ଯେ ଗରିବଟି ଧନୀ ଓ ଧନୀ ଯୁବକ ଗରିବ ହୋଇ ଜଣେ ଅନ୍ୟର ପରିବାରକୁ ଯାଉ। ତା’ପରେ କ’ଣ ଘଟେ ତାହା ହେଉଛି ଅନୁଭବଙ୍କ ସିନେମା ‘ପ୍ରେମ କୁମାର’ର ମୁଖ୍ୟ ପ୍ରସଙ୍ଗ।

‘ପ୍ରେମ କୁମାର’ରେ ଅନୁଭବଙ୍କ ବିପକ୍ଷରେ ଦୁଇଜଣ ନାୟିକା ଅଛନ୍ତି। ସେ ଦୁହେଁ ହେଲେ ତମନ୍ନା ଓ ଶିବାନୀ। ଏହାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ। ଏଥିରେ ପ୍ରଦ୍ୟୁମ୍ନ ଲେଙ୍କା, ମନୋଜ ମିଶ୍ର, ଚାନ୍ଦିନୀ, କୁନା ତ୍ରିପାଠୀ ଓ ଚିତ୍ତ ତ୍ରିପାଠୀ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି।

ଜଗାକାଳିଆ

ଓଲିଉଡ ସୁପରଷ୍ଟାର ଅନୁଭବ ଗୋଟିଏ ସିନେମାରେ ‘ଜଗା’ ବି ବନିଥିଲେ ଆଉ ‘କାଳିଆ’ ବି। ଏଥିମଧ୍ୟରୁ ଗୋଟିଏ ଚରିତ୍ର ଥିଲା ନରମ ସ୍ୱଭାବର, ହେଲେ ଆରଟିର ଚରିତ୍ର ଥିଲା ଦୁଷ୍ଟ ସ୍ୱଭାବର। ଏ ଦୁହେଁ କିନ୍ତୁ ଯାଆଁଳା। ପିଲାକାଳରୁ ଦୁହେଁ ଅଲଗା ହୋଇଯାଆନ୍ତି। ତା’ ପରେ କିଭଳି ଦୁହେଁ ଭେଟ ହୁଅନ୍ତି ଓ ଖଳନାୟକର ଖେଳ ଶେଷ କରନ୍ତି, ତାହା ଦେଖିବାକୁ ମିଳିଥିଲା ‘ଥ୍ୟାଙ୍କ୍‌ ୟୁ ଭଗବାନ’ ସିନେମାରେ।

ଏହି ସିନେମାର ପ୍ରଯୋଜକ ଥିଲେ ବିଜୟ କନ୍ଦୋଇ ଓ ନିର୍ଦ୍ଦେଶକ ଥିଲେ ହର ପଟ୍ଟନାୟକ। ଏହି ଫିଲ୍ମରେ ଅନୁଭବଙ୍କ ସହ ବର୍ଷା ପ୍ରିୟଦର୍ଶିନୀ ଓ ନବାଗତା ଶାଲିନୀଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ହର ପଟ୍ଟନାୟକ, ଦେବୁ ବୋଷ ଓ ହରି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଏହା ୨୦୦୬ରେ ରିଲିଜ୍ ହୋଇଥିଲା।

ଜଗା ହାତରେ ପଘା

୨୦୧୫ରେ ରିଲିଜ୍ ହୋଇଥିବା ‘ଜଗା ହାତରେ ପଘା’ରେ ବି ଅନୁଭବଙ୍କୁ ଡବଲ୍ ରୋଲରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ଏକା ଦେଖାଯାଉଥିବା ଦୁଇଜଣ ଭିନ୍ନ ଭିନ୍ନ ଯୁବକ ଭୂମିକାରେ ଅଭିନୟ କରିଥିଲେ ଅନୁଭବ। ଏହି ସିନେମାରେ ଅନୁଭବଙ୍କ ଅଭିନୀତ ଗୋଟିଏ ଚରିତ୍ର ହେଲା ‘ଜଗା’ ଓ ଆରଟି ହେଲା ‘କ୍ରୀଷ୍ଣା’। ଏହା ଥିଲା ଏକ ଆକ୍‌ସନ୍ ଫିଲ୍ମ।

‘ଜଗା ହାତରେ ପଘା’ର ଅନ୍ୟ ପ୍ରମୁଖ କଳାକାର ହେଲେ ଏଲିନା, ଝିଲିକ୍‌, ବୁଦ୍ଧାଦିତ୍ୟ, ମୀନକେତନ, ଅଜିତ ଦାସ, ମହାଶ୍ୱେତା ଓ ଅସିତ ପତି। ଏହାର ନିର୍ଦ୍ଦେଶକ ହେଲେ କେ. ମୁରଲୀ କ୍ରୀଷ୍ଣା।

Comment