ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ୍ ମିତାଲି ରାଜ ଏବେ ଷ୍ଟାର ପାଲଟି ଯାଇଛନ୍ତି। କେବଳ କ୍ରିକେଟ ପଡ଼ିଆରେ ନୁହେଁ, ଗ୍ଲାମର ଦୁନିଆରେ ବି ସେ ଏବେ ବଲିଉଡ୍ ଅଭିନେତ୍ରୀଙ୍କୁ ମାତ୍ ଦେଇଛନ୍ତି। ‘ଭୋଗ୍’ ଅନ୍ତର୍ଜାତୀୟ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛନ୍ତି ଏହି ମହିଳା କ୍ରିକେଟର।
‘ଭୋଗ୍ ଇଣ୍ଡିଆ’ର ଦଶମ ବାର୍ଷିକୀ ପୂର୍ତ୍ତି ଅବସରରେ ପ୍ରକାଶ ପାଇଥିବା କଭର ପେଜରେ ଦେଖିବାକୁ ମିଳିଛି ମିତାଲୀଙ୍କୁ। ଏହି ପ୍ରଚ୍ଛଦ ଚିତ୍ରରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ ଓ ନୀତା ଅମ୍ବାନୀଙ୍କ ସହ ମିତାଲୀ ଫଟୋ ପୋଜ୍ ଦେଇଛନ୍ତି। ଚଳିତ ବର୍ଷର ଭାରତର ଅନ୍ୟତମ ସଫଳ ମହିଳା ଭାବେ ମିତାଲୀ ଏହି ପତ୍ରିକାରେ ସ୍ଥାନ ପାଇଛନ୍ତି। ମିତାଲୀଙ୍କ ଛଡା ସୋନମ କାପୁର, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା ଆଦି ମଧ୍ୟ ଏହି ତାଲିକାରେ ଅଛନ୍ତି।
ତେବେ ମିତାଲୀ ରାଜଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା ହେବା ସହ  ଭାଇରାଲ ହେବାରେ ଲାଗିଛି। ମିତାଲୀଙ୍କ ନୂଆ ଗ୍ଲାମରସ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଛି। ଏହିପରି ମଡେଲ୍ ରୂପରେ ମିତାଲୀଙ୍କ ଫଟୋ ଦେଖି ତାଙ୍କ ଫ୍ୟାନ ସଂଖ୍ୟା ବଢିବାରେ ଲାଗିଛି।
ମହିଳା କ୍ରିକେଟର ଭାବେ ୬୦୦୦ ରନ୍ କରିଥିବା ମିତାଲୀ ରାଜ ଏବେ ଭାରତୀୟ ମହିଳାଙ୍କ ପାଇଁ ଏକ ଆଦର୍ଶ ଭାବେ ଗଣାଯାଉଛନ୍ତି। ଧୋନିଙ୍କ ପରି ଖୁବଶୀଘ୍ର ମିତାଲୀଙ୍କ ଉପରେ ଏକ ବଲିଉଡ୍ ସିନେମା ନିର୍ମାଣ ହେବାକୁ ଯାଉଛି। ଏହି ସିନେମା ଭାରତୀୟ ମହିଳାଙ୍କୁ କ୍ରୀଡା ​‌କ୍ଷେତ୍ରରେ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହି ଅପକମିଂ ଫିଲ୍ମକୁ ନେଇ ମିତାଲୀ ନିଜ ଖୁସି ଜାହିର କରିଛନ୍ତି।

LEAVE A REPLY

Please enter your comment!
Please enter your name here