ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ ମିତାଲି ରାଜ ୧୦ହଜାର ରନ୍ ସଂଗ୍ରହ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ କରିଛନ୍ତି। ଏପରି ରେକର୍ଡ ହାସଲ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ଓ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ ମହିଳା କ୍ରିକେଟର। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓଡିଆଇ ସିରିଜର ତୃତୀୟ ମ୍ୟାଚ ଖେଳି ମିତାଲି ଏହି ସ୍ଥାନ ହାସଲ କରିଛନ୍ତି।

୩୮ ବର୍ଷୀୟା ମିତାଲି ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ରନ୍ ହାସଲକାରୀ କ୍ରିକେଟର। ମ୍ୟାଚରେ ୩୫ ସ୍କୋର କରିବାପରେ ତାଙ୍କୁ ଏହି ସଫଳତା ମିଳିଥିଲା। ତାଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ, ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ହଜାର ରନ୍ ପୂରଣ କରିଥିଲେ। ତାଙ୍କଠାରୁ ଆଗକୁ ଯିବା ପାଇଁ ମିତାଲିଙ୍କୁ ୨୯୯ରନ୍‌ର ଅବଶ୍ୟକତା ରହିଛି।

ତୃତୀୟ ଦିନିକିଆରେ ଭାରତ ପକ୍ଷରୁ ଖେଳି ୨୮ ଓଭରରେ ମିତାଲି ସଫଳତା ପାଇଛନ୍ତି। ସେ ୫୦ ବଲରେ ୩୬ ରନ୍ ଓ ୫ ଟି ଚୌକା ମଧ୍ୟ ମାରିଛନ୍ତି। ପୂର୍ବରୁ ସେ ୧୦ଟି ଟେଷ୍ଟ ମ୍ୟାଚରେ ୬୬୩ ରନ୍ ଓ ୮୯ ଟି ଟି-୨୦ ଇଣ୍ଟରନାସନାଲରେ ୨୩୬୪ ରନ୍ କରିସାରିଛନ୍ତି। ତାଙ୍କ ବେଷ୍ଟ ସ୍କୋର ଥିଲା ୨୧୪।

ମିତାଲିଙ୍କ ସଫଳତା ପରେ ତାଙ୍କୁ ଟୁଇଟ ଜରିଆରେ ସବୁ ଦିଗରୁ ପ୍ରଶଂସା ମିଳିଛି। ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ତା’ର ଟୁଇଟର ଆକାଉଣ୍ଟରେ ମିତାଲିଙ୍କୁ ଶୁଭେଚ୍ଛା ଜଣାଇଛି। ବଡ଼ ବଡ଼ କ୍ରିକେଟ ତାରକା ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।

୧୯୯୭ ମହିଳା କ୍ରିକେଟ ବିଶ୍ୱକପ୍‌ର ସମ୍ଭାବ୍ୟ ଦଳରେ ମାତ୍ର ୧୪ ବର୍ଷ ବୟସରେ ମିତାଲି ଖେଳିଥିଲେ। ୧୯୯୯ରେ ସେ ଆୟରଲ୍ୟାଣ୍ଡ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ୨୦୦୧-୦୨ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ।

Comment