ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗ୍ ବି’ ଅମିତାଭ ବଚ୍ଚନ ସଞ୍ଚାଳନ କରୁଥିବା ‘କୌନ୍ ବନେଗା କ୍ରୋରପତି’ର ଏହି ସଂସ୍କରଣ ପୁଣି ଥରେ ଟେଲିଭିଜନ ଦୁନିଆରେ ଚହଳ ପକାଇଦେଇଛି। ଲୋକପ୍ରିୟ କାର୍ଯ୍ୟକ୍ରମ ଭାବେ ଦର୍ଶକଙ୍କ ହୃଦୟ ଜିତିଛି ଏବଂ ଟିଆରପି(ଟେଲିଭିଜନ ରେଟିଂ ପଏଣ୍ଟ) ଆକାଶଛୁଆଁ ହୋଇଛି।
ଏହା ସହ କେବିସିର ନବମ ସଂସ୍କରଣକୁ ମିଳିଛି ପ୍ରଥମ କୋଟିପତି।
ଜାମଶେଦପୁରର ଅନାମିକା ମଜୁମଦାର ପ୍ରଥମ କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତେବେ ତାଙ୍କ ନିକଟରେ ୭ କୋଟି ଟଙ୍କା ଜିତିବା ସୁଯୋଗ ରହିଥିଲେ ବି ପରବର୍ତ୍ତୀ ପ୍ରଶ୍ନ ଜଟିଳ ଥିବାରୁ ସେ ଖେଳ ଛାଡିବା ପାଇଁ ନିଷ୍ପତି ନେଇଥିଲେ। ଏକ କୋଟି ଟଙ୍କାର ପ୍ରଶ୍ନ ମଧ୍ୟ ଜଟିଳ ଥିଲା। ଏହାର ଉତ୍ତର ଦେବା ପାଇଁ ଅନାମିକାଙ୍କ ପାଖରେ ଲାଇଫ୍ ଲାଇନ ମଧ୍ୟ ନଥିଲା। ହେଲେ ଅନାମିକା ନିଜର ବୁଦ୍ଧି ଓ ଆତ୍ମପ୍ରତ୍ୟୟର ପରିଚୟ ଦେଇ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ। ତାଙ୍କର ବୁଦ୍ଧିମତ୍ତା ଏବଂ ରିସ୍କ ନେବା ମନୋଭାବକୁ ବେଶ ତାରିଫ୍ କରିଛନ୍ତି ବିଗ୍ ବି’ ଅମିତାଭ ବଚ୍ଚନ।
ଜାମଶେଦପୁର ନିବାସୀ ଅନାମିକା, ବିବାହିତା ଓ ସେ ଦୁଇ ସନ୍ତାନର ଜନନୀ। ସେ ଜଣେ ସଙ୍ଗୀତ ପ୍ରେମୀ। ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ି ଗତ ତିନି ବର୍ଷ ଧରି ଝାଡଖଣ୍ଡରେ ମହିଳାଙ୍କ ବିକାଶ ଲାଗି ଅନାମିକା କାର୍ଯ୍ୟ କରୁଛନ୍ତି। ତେବେ କେବିସିରେ ଜିତିଥିବା ଟଙ୍କାକୁ ତାଙ୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାଇଁ ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି।
ଅନାମିକା ହଟ୍ ସିଟରେ ବସିଥିବା ବେଳେ ତାଙ୍କ ମାଆ ତାଙ୍କୁ ଉତ୍ସାହିତ କରିଥିଲେ। ହେଲେ ଏକ କୋଟି ଟଙ୍କାର ପ୍ରଶ୍ନ ପାଇଁ ରିସ୍କ ନେବାକୁ ଚାହୁଁନଥିଲେ ବି ଅନାମିକା ରିସ୍କ ନେଇ ସଫଳ ହୋଇଥିଲେ। ଏକ କୋଟି ଟଙ୍କା ଜିତିବା ପରେ ଦୁଇ ଜଣଙ୍କ ଆଖିରୁ ଖୁସିରେ ଲୁହ ଝରି ପଡିଥିଲା।
ଏହି ମେଗା ଏପିସୋଡ୍ ଏପର୍ଯ୍ୟନ୍ତ ପ୍ରସାରଣ ହୋଇନାହିଁ। ଆସନ୍ତା ମାସରେ ଯେକୌଣସି ଦିନ ଏହି କୋଟିପତି ଏପିସୋଡ୍ ପ୍ରସାରଣ ହେବ।

Comment