ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ପୁଣି ଆତତାୟୀଙ୍କ ଆତଙ୍କ। ଆମେରିକା ଲସ୍‌ ଭେଗାସର ମାଣ୍ଡେଲା ବେ କେସିନୋରେ ମ୍ୟୁଜିକ କନସର୍ଟ ଚାଲିଥିବା ବେଳେ ଗର୍ଜିଛି ବନ୍ଧୁକ। ବନ୍ଧୁକ ମୁନରେ ୫୮ରୁ ଅଧିକ ଜୀବନ ଚାଲି ଯାଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆତତାୟୀଙ୍କ ଅନ୍ଧାଧୁନ୍ ଗୁଳିମାଡ଼ରେ ପୁଣିଥରେ ବିଶ୍ୱର ଧନୀ ରାଷ୍ଟ୍ର ଆମେରିକା ଥରହର ହୋଇଛି। ଲସ୍‌ ଭେଗାସ୍‌ର ଏହି ଘଟଣା ସବୁଠୁ ବର୍ବରଚିତ ଆକ୍ରମଣ ବୋଲି କୁହାଯାଉଛି।
ସଙ୍ଗୀତ କାର୍ଯ୍ୟକ୍ରମରେ ସମସ୍ତେ ମସଗୁଲ୍‌ ହୋଇଯାଇଥିଲେ। ରାତି ପ୍ରାୟ ୧୦ଟା ବେଳେ ହଠାତ୍ ଶୁଭିଥିଲା ବନ୍ଧୁକର ଗର୍ଜନ। କେହି କିଛି ଭାବିକା ଆଗରୁ ଆତତାୟୀଙ୍କ ଗୁଳି ବର୍ଷାରେ ଏକାଧିକ ଲୋକ ଟଳି ପଡ଼ିଥିଲେ। ଆଉ ଏକାଧିକ ଲୋକ ଲହୁଲୁହାଣ ହୋଇ ଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍। ହୋଟେଲର ୩୨ ନମ୍ବର ଫ୍ଲୋରରୁ ଗୁଳି ଆସୁଥିବା ଜାଣିପାରି ପୋଲିସ୍ ପାଲଟା ଆକ୍ରମଣ କରିଥିଲା। ଫଳରେ ଆତତାୟୀର ମୃତ୍ୟୁ ଘଟିଥିଲା। ମୃତ ଆତତାୟୀର ନାମ ଷ୍ଟିଫେନ୍‌ ପୋଡାକ୍। ସେ ଗତ ମାସେ ତଳେ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିଥିବା ଜଣାପଡ଼ିଛି।
ପୂର୍ବରୁ ଓର୍ଲାଣ୍ଡ ନାଇଟ୍ କ୍ଳବରେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ରେ ୪୯ ଜଣ ପ୍ରାଣ ହରାଇଥିଲେ। ଏହି ନରସଂହାରକୁ ବଳି ଯାଇଛି ଲସ୍‌ ଭେଗାସ୍‌ର ଅଭାବନୀୟ ଘଟଣା। ଏହି ଗଣହତ୍ୟା ପରେ ପୋଲିସ୍‌ ସହରରେ ନାକାବନ୍ଦୀ କରିଛି। ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଘଟଣାସ୍ଥଳରେ ପୋଲିସ ଅନ୍ୟ ବିଲ୍ଡିଂର ତଲାସି କରୁଛି। ହତ୍ୟାକାରୀ ଗୁଳି ଚାଳନା କରୁଥିବା ରୁମ୍‌ରୁ ପୋଲିସ ୭ଟି ବନ୍ଧୁକ ଜବତ କରିଛି। ଏପଟେ ଏହି ଘଟଣା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି। ଲସ୍‌ ଭେଗାସ୍‌ର ମ୍ୟୁଜିକ କନସର୍ଟ ବେଳେ ୨୨ ହଜାର ଲୋକ ଉପସ୍ଥିତ ଥିଲେ। ତେବେ ମୃତକଙ୍କ ମଧ୍ୟରେ କୌଣସି ଭାରତୀୟ ନଥିବା ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ସ୍ପଷ୍ଟ କରିଛନ୍ତି।

Comment