ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ ଲେଉଟାଇଲେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ମଙ୍ଗଳବାର ସକାଳେ ସଭାପତି ଦାୟିତ୍ବରୁ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲେ। ଏନେଇ ମଧ୍ୟାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳରେ କିଏ ରହିଲା ନରହିଲା ବଡ଼କଥା ନୁହେଁ ବୋଲି କହିବାର ମାତ୍ର ୪ ଘଣ୍ଟା ମଧ୍ୟରେ ନାରାୟଣ ନିଜର ଆଭିମୁଖ୍ୟ ବଦଳାଇବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେପୁର ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ଦୁଆର ଦେଖାଇଥିଲେ। କହିଥିଲେ, “ବିଜେପି କାହାର ବ୍ୟକ୍ତିଗତ ମାଲିକାନାର ବିଷୟ ନୁହେଁ”। ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ଏଭଳି କଡ଼ା ଆଭିମୁଖ୍ୟ ଦେଖାଇବାର ମାତ୍ର ୪ ଘଣ୍ଟା ପରେ କଡ଼ ଲେଉଟାଇଛନ୍ତି ନାରାୟଣ। କହିଛନ୍ତି, “ମୁଁ ବିଜେପିରେ ରହିଛି ଏବଂ ଆଗକୁ ରହିବି”।
ନାରାୟଣଙ୍କ ମାନଭଞ୍ଜନ ପାଇଁ ମଙ୍ଗଳବାର ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଘରେ ଜରୁରୀ ବୈଠକ ବସିଥିଲା। ବୈଠକ ପରେ ନେତା ନାରାୟଣଙ୍କ ମାନ ଭଞ୍ଜନ କରିଥିଲେ। ଶେଷରେ ନାରାୟଣଙ୍କର ମାନଭଞ୍ଜନ ହୋଇଛି ଏବଂ ସେ ବିଜେପି ପାଇଁ କାମ କରିବେ ବୋଲି କହିଛନ୍ତି।
ନାରାୟଣ ସାହୁ କହିଛନ୍ତି, “ଆମ ଦଳରେ କୌଣସି ଅସନ୍ତୋଷ ନାହିଁ। ମୋତେ ଦାୟିତ୍ବମୁକ୍ତ କରିବାକୁ ରାଜ୍ୟ ସଭାପତିଙ୍କୁ କହିଥିଲି। ହେଲେ ସେ ଚାହିଁଲେ ନାହିଁ। ଦଳ ମୋ’ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ଧନ୍ୟବାଦ ଦେଉଛି। ବିଜେପୁରରେ ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ବୋର୍ଡ ଯାହା ନିଷ୍ପତ୍ତି ନେବ ଆମେ ତାକୁ ମାନିବୁ।”
ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,”ଆମ ଭିତରେ ଅସନ୍ତୋଷ ନାହିଁ। ଶରୀରିକ ଅସୁସ୍ଥତା ପାଇଁ ଜିଲ୍ଲା ସଭାପତି ଦାୟିତ୍ବରୁ ମୁକ୍ତ ହେବା ପାଇଁ ସେ କହିଥିଲେ। କିନ୍ତୁ ମୁଁ ମନା କରିଥିଲି।”
ବିଜେଡିର ଅସନ୍ତୁଷ୍ଟ ନେତା ଅଶୋକ ପାଣିଗ୍ରାହୀ ଦଳରେ ଯୋଗଦେବା ପ୍ରସଙ୍ଗରେ ଦଳର ବରଗଡ଼ ଜିଲ୍ଲା ସଭାପତି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ସିଧାସଳଖ ଭାବେ ଅଶୋକଙ୍କୁ ଆଗାମୀ ଉପ ନିର୍ବାଚନରେ ପ୍ରାର୍ଥୀ କରାଗଲେ ଜିଲ୍ଲାରେ ବିରୋଧ ହେବ ବୋଲି ଚେତାବନୀ ଦେଇଥିଲେ। ଦଳ ତାଙ୍କ କଥାକୁ ଗୁରୁତ୍ବ ନଦେବା ଫଳରେ ଗତ ତିନି ଦିନ ଧରି ନାରାୟଣ ଦଳ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।
ନାରାୟଣ ସାହୁଙ୍କ ଅସନ୍ତୋଷ ସମ୍ପର୍କରେ ଉତ୍ତର ରଖି ନଥିଲେ ମଧ୍ୟ ଧର୍ମେନ୍ଦ୍ର କହିଥିଲେ ଯେ, ବିଜେପୁରରେ ଓଡ଼ିଆ ଲୋକଙ୍କ ଲଢ଼େଇ ହେବ। ସେଠାରେ ଚାଷୀଙ୍କ ହକ୍‌ ପାଇଁ ଲଢ଼େଇ ହେବ। ତେଣୁ କିଏ ରହିଲା ନରହିଲା ସେ ବିଷୟ ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ।

 

LEAVE A REPLY

Please enter your comment!
Please enter your name here