ଓଡ଼ିଶାଲାଇଭ୍ ବ୍ୟୁରୋ

  • “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୋଷାମଦ କରି ଧର୍ମେନ୍ଦ୍ର ମନ୍ତ୍ରୀ ପଦ ପାଇଛନ୍ତି।”
  • “ଧର୍ମେନ୍ଦ୍ର ଓଡ଼ିଶା ସରକାରଙ୍କ ସଫଳତା ଉପରେ ପ୍ରଶ୍ନ ପଚାରିବା ଆଗରୁ ନିଜେ ପଢ଼ିବା ଦରକାର।”
  • “ଧର୍ମ ଓ ଜାତି ନାଁରେ ବିଜେପି ରାଜନୀତି କରି ଆସୁଛି।”
  • “ଆମେ ଦିଲ୍ଲୀ ଦଖଲ କରିବାକୁ ଚାହୁଁନୁ।”
ବିଜେପି-ବିଜେଡି ବୟାନବାଜି ଏବେ ବେଶ୍ ଜମୁଛି। କେତେବେଳେ ପ୍ରଶ୍ନକୁ ଉତ୍ତର ତ ପୁଣି କେତେବେଳେ ଉତ୍ତରକୁ ନୂଆ ପ୍ରଶ୍ନ। ପ୍ରତିଦିନ ମିଡ଼ିଆବାଲାଙ୍କ ଆଗରେ ଚାଲିଛି ରାଜନୈତିକ ଠିଆପାଲା। ଏଭଳି କଥା କଟାକଟି କ୍ରମରେ ଆଜି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବେଶ୍‌ ଢ଼ଳିଛନ୍ତି। ଦାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୋଷାମଦ କରି ଧର୍ମେନ୍ଦ୍ର ମନ୍ତ୍ରୀ ପଦ ପାଇଛନ୍ତି। ଧର୍ମେନ୍ଦ୍ର ପାର୍ଟି ନାଁରେ ମାଟିକୁ ସମ୍ପୂର୍ଣ୍ଣ ପାସୋରି ଯାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଦାମ।
ସୋମବାର ଦିନ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ ଶୁଭାରମ୍ଭ କରି ବିରୋଧୀ ବିରୋଧୀଙ୍କୁ ଟାର୍ଗଟେ କରିଥିଲେ ନବୀନ। ସେ କହିଥିଲେ ଯେ, ବିରୋଧୀମାନେ ସରକାରଙ୍କ ସଫଳତାକୁ ସହି ପାରୁ ନାହାନ୍ତି। ବିଜେଡି ସରକାରର ସଫଳତାକୁ ଆଡ଼ ଆକି କରି ବିରୋଧୀମାନେ ଅପପ୍ରଚାର କରୁଥିବାର ସେ ମନ୍ତବ୍ୟ ଦେଇଥିଲେ।
ନବୀନଙ୍କ ଏହି ମନ୍ତବ୍ୟର ଆଜି ଜବାବ ରଖିଥିଲା ବିଜେପି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଓଡ଼ିଶାରେ ଏବେ ଏକ ମିଛୁଆ ଲାଞ୍ଚୁଆ ସରକାର ଚାଲିଛି। ବିଜେପି ପକ୍ଷରୁ ବିଭିନ୍ନ ଘଟଣାରେ ପ୍ରଶ୍ନ ପଚରା ଯାଉଥିବାରୁ ବିଜେଡି ଏହାକୁ ଅପପ୍ରଚାର ବୋଲି କହୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା କରିଥିଲେ। ପ୍ରଜାତନ୍ତ୍ରରେ ସରକାର କାହାର ବ୍ୟକ୍ତିଗତ ଜାଗିର୍‌ ନୁହେଁ ବୋଲି ପ୍ରଶ୍ନ ଉଠାଇଥିଲେ ଧର୍ମେନ୍ଦ୍ର। ବିଜେଡି ସରକାର ଦୀର୍ଘ ଦିନ ଧରି କ୍ଷମତାରେ ରହିବା ଫଳରେ ଅହଙ୍କାରୀ ହୋଇଯାଇଛି ବୋଲି ସେ କହିଥିଲେ।
ଧର୍ମେନ୍ଦ୍ରଙ୍କ କଥାରେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ରାଗି ପାଚି ଲାଲ୍‌। ସେ କହିଛନ୍ତି ଯେ, ଧର୍ମେନ୍ଦ୍ର ଓଡ଼ିଶା ସରକାରଙ୍କ ସଫଳତା ଉପରେ ପ୍ରଶ୍ନ ପଚାରିବା ଆଗରୁ ନିଜେ ପଢ଼ିବା ଦରକାର। ୨୦୦୦ ମସିହାରେ ରାଜ୍ୟରେ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ ପରିମାଣ ୫୫ ଲକ୍ଷ ମେଟ୍ରିକ ଟନ୍‌ ରହିଥିଲା। ଗତବର୍ଷ ଏହା ୧ କୋଟି ୧୮ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ସେହିପରି ଗତ ୫ ବର୍ଷ ଧରି କେନ୍ଦ୍ର ସରକାର ଆମ ସଫଳତା ପାଇଁ ‘କୃଷି କର୍ମଣ’ ପୁରସ୍କାର ଦେଉଛନ୍ତି। ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କେନ୍ଦ୍ର ଓଡ଼ିଶାକୁ ପୁରସ୍କାର ଦେଇ ଆସୁଛି। ଏସବୁ କଥା କ’ଣ ଧର୍ମେନ୍ଦ୍ର ଜାଣି ନାହାନ୍ତି ବୋଲି ପଚାରିଛନ୍ତି ଡାକ୍ତର ରାଉତ।
ଭାରତୀୟ ଜନତା ପାର୍ଟିକୁ ଏକ ସାମ୍ପ୍ରଦାୟିକ ଦଳ ଭାବେ ବର୍ଣ୍ଣନା କରି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି ଯେ, ସେମାନେ ଧର୍ମ ଓ ଜାତି ନାଁରେ ରାଜନୀତି କରି ଆସୁଛନ୍ତି।
ବାଜପେୟୀଙ୍କ ଶାସନର ଉଦାହରଣ ଦେଇ ଦାମ କହିଥିଲେ ଯେ, ସେତେବେଳେ ବାଜପେୟୀ ପେଟ୍ରୋଲ୍ ସେସ୍‌ରୁ ଟଙ୍କା ନେଇ ବିଭିନ୍ନ ରାଜ୍ୟର ଜନସାଧାରଣଙ୍କ ହିତ ପାଇଁ ବ୍ୟୟ କରୁଥିଲେ। ହେଲେ ଆଜି ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲର ଦର କମିଥିବା ବେଳେ ଭାରତରେ କାହିଁକି ଏହାର ଦର କମୁନାହିଁ ବୋଲି ଧର୍ମନ୍ଦ୍ରେଙ୍କୁ ପାଲଟା ପ୍ରଶ୍ନ ପଚାରିଥିଲେ ସେ। ଡାକ୍ତର ରାଉତ ଅଭିଯୋଗ କରିଥିଲେ ଯେ, ଆଜି ପେଟ୍ରୋଲ ପଇସାରେ ଦଳର ପ୍ରଚାର କରାଯାଉଛି।
ଚାଷୀମାନଙ୍କୁ ଋଣ ଛାଡ଼ ପ୍ରସଙ୍ଗରେ ଧର୍ମେନ୍ଦ୍ର ଓଡ଼ିଶା ସରକାରଙ୍କୁ ଯେୁଁ ଚାଲେଞ୍ଜ ଦେଇଛନ୍ତି ତାର ଜବାବ ଦେଇଛନ୍ତି ଦାମବାବୁ। ସେ କହିଛନ୍ତି ଯେ, ମାତ୍ର ୧ ପ୍ରତିଶତ ସୁଧ ହାରରେ ଓଡ଼ିଶା ସରକାର ଚାଷୀମାନଙ୍କୁ ଋଣ ଯୋଗାଇ ଦେଉଛନ୍ତି। ଏଥିପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବିଜେପି ଶାସିତ ଛତିଶଗଡ କି ଗୁଜୁରାଟରେ ଏଭଳି ସୁବିଧା କରାଯାଇଛି କି ବୋଲି ପ୍ରଶ୍ନ ପଚାରିଥିଲେ। ସେ କହିଛନ୍ତି ଯେ, ଓଡ଼ିଶା ଚାଷୀଙ୍କ କଥା ସରକାର ବୁଝୁଛନ୍ତି। ବିଜେପି ସେଥିରେ ମାମଲତି କରିବାର ଆବଶ୍ୟକତା ନାହିଁ।
ଦୀର୍ଘଦିନ ସରକାରରେ ରହିଲେ ଅହଙ୍କାର ହୋଇଯାଏ ବୋଲି ଧର୍ମେନ୍ଦ୍ରଙ୍କ କଥାର ଉତ୍ତର ରଖିଛନ୍ତି ମନ୍ତ୍ରୀ ରାଉତ। ସେ କହିଛନ୍ତି ଯେ, ବିଜେଡି ଓଡ଼ିଶା ମାଟିର ଦଳ ଓ ଏହା ଲୋକଙ୍କ ସୁଖଦୁଃଖ କଥା ବୁଝେ। “ଆମେ ଦିଲ୍ଲୀ ଦଖଲ କରିବାକୁ ଚାହୁଁନୁ”- କଥା ପ୍ରସଙ୍ଗରେ ଏହା କହିଛନ୍ତି ମନ୍ତ୍ରୀ ଡାକ୍ତର ରାଉତ।

 

 

LEAVE A REPLY

Please enter your comment!
Please enter your name here