ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଦାନ ଉତ୍ସବ’ ପାଳନ କରିଛନ୍ତି। ଯୁବପିଢିଙ୍କ ମଧ୍ୟରେ ସମାଜ ସେବାର ମନ୍ତ୍ର ବୁଣିବା ଲକ୍ଷ୍ୟରେ ଆୟୋଜିତ ଏହି ଦିବସ ବକୁଳ ପକ୍ଷରୁ ଅକ୍ଟୋବର ମାସ ୨ ତାରିଖ ଦିନ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି।
ଏହି ଦିନ ସ୍ୱେଚ୍ଛାସେବୀମାନେ ଅନାଥାଶ୍ରମ, ଶିଶୁଗୃହ, ବୃଦ୍ଧାଶ୍ରମ ଓ ବସ୍ତିମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏହି ସ୍ୱେଚ୍ଛାସେବାର ଅନୋଖା ପର୍ବ ‘ଦାନ ଉତ୍ସବ’ ପାଳନ କରାଯିବ।
ବକୁଳ ପାଠାଗାରରେ ସ୍ଥାନୀୟ ମଧୁରମୟୀ ଶିଶୁଗୃହରୁ ୬୦ ଜଣ ଶିଶୁ ବକୁଳରେ ସ୍ୱେଚ୍ଛାସେବୀଙ୍କ ସହ ମାଟି କଣ୍ଢେଇ ତିଆରି ଶିଖିବା ସହ ନିଜେ କଣ୍ଢେଇ ତଥା ଗଣେଶ, ହାତୀ, କ‍ଇଁଛ ଆଦି ତିଆରି କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ସ୍ମୃତିକାନ୍ତ ରାଉତ ପରିଚାଳନା କରିଥିଲେ।
ସେହିପରି ରୁଚିକା ସମାଜମଙ୍ଗଳ ଅନୁଷ୍ଠାନର ପିଲାମାନଙ୍କ ସହ ମିଶି ଅନ୍ୟତମ ଚିତ୍ରଶିଳ୍ପୀ ବିଦ୍ୟୁଶ ଜେନା ଅନୁଷ୍ଠାନ ବାରଣ୍ଡାରେ ଚିତ୍ର କରିଥିଲେ।
ସେହିପରି ନୀଳପଡ଼ିଆ ବସ୍ତିରେ ଓଡ଼ିଆ ସିନେତାରକା ତଥା ଡାନ୍ସର ହରିହର ଦାଶ ଓ ଅନୁଭା ସୌର୍ଯ୍ୟା ପିଲାମାନଙ୍କ ସହ କାହାଣୀ କହିବା ତଥା ବିଭିନ୍ନ ଖେଳ ଖେଳି ସମୟ ଅତିବାହିତ କରିଥିଲେ।
ସେହିପରି ନୀଳାଦ୍ରିବିହାରସ୍ଥିତ ‘ଆଶା କିରଣ’ ଅନ୍ୟଥାଶ୍ରମରେ ସାମ୍ବାଦିକ ତଥା ଉପସ୍ଥାପିକା ପ୍ରାଚୀତାରା ପିଲାମାନଙ୍କୁ ବକୁଳ ତରଫରୁ ପ୍ରକାଶିତ ବହି ‘ପିନାକି’ ଓ ‘କୁନି ମାଛର କାହାଣୀ’କୁ ବେଶ୍‌ ମନୋରଞ୍ଜନଧର୍ମୀ କରି ପିଲାମାନଙ୍କୁ ଶୁଣାଇଥିଲେ।

Comment