ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ଗୁଜରାଟ ଗସ୍ତରେ ଆସିଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକାଠାରେ ସଧାରଣ ସଭାରେ ଯୋଗ ଦେଇ କହିଲେ ଯେ,୧୫ ଦିନ ଆଗରୁ ଦୀପାବଳି ଆସି ପହଞ୍ଚି ଯାଇଛି। ଭଲ ଭାଷଣ ଦେବାରେ ପାରଙ୍ଗମ ମୋଦିଙ୍କ କହିବା କଥା ଯେ, ଜିଏସ୍‌ଟି ପରିଷଦ ବୈଠକରେ ଶୁକ୍ରବାର ଯେଉଁସବୁ ନିଷ୍ପତ୍ତି ନିଆ ଯାଇଛି ତାହା ଦ୍ୱାରା ଦେଶରେ ଖୁସିର ଲହରୀ ଖେଳିଯାଇଛି।
ଖବରକାଗଜରେ ଏହି କଥା ଲେଖାଯାଇଛି ବୋଲି ମୋଦି କହିଛନ୍ତି। ମୋଦି କହିଲେ,”ମୁଁ ଆଗରୁ କହିଛି ଜିଏସ୍‌ଟି ଲାଗୁ କରିବାର ତିନି ମାସ ମଧ୍ୟରେ ଦେଖାଯିବ ଏଥିରେ କ’ଣ ସବୁ ସମସ୍ୟା ରହିଛି। ଏହି ସମସ୍ୟା ଦୂର କରିବାକୁ ଚେଷ୍ଟା କରାଯିବ। ଆମେ ଚାହୁଁ ନାହୁଁ ଯେ, ଦେଶର ବ୍ୟବସାୟିକ ପ୍ରତିଷ୍ଠାନ କୌଣସି ପ୍ରକାର କ୍ଷତି ସହନ୍ତୁ। ବ୍ୟବସାୟ ବଣିଜ ଫାଇଲ ତଳେ ଚାପି ହୋଇ ରହୁ ବୋଲି ଆମେ ଚାହୁଁ ନାହୁଁ।”
ପ୍ରଧାନମନ୍ତ୍ରୀଙ୍କ ଦୃଢ  ମତ ହେଉଛି ଯେ, ଜିଏସ୍‌ଟିକୁ ସମଗ୍ର ଦେଶରେ ସ୍ୱାଗତ କରାଯାଇଛି।
କ’ଣ ଶସ୍ତା ହେଲା?
ବସ୍ତୁ ଓ ସେବା କରକୁ ନେଇ ଲଗାତାର ସମାଲୋଚିତ ହେଉଥିବା ମୋଦି ସରକାର ଛୋଟ ବ୍ୟବସାୟୀ ଓ ରପ୍ତାନିକାରୀଙ୍କ ପାଇଁ କିଛି ରିହାତି ଘୋଷଣା କରିଛନ୍ତି। ଶୁକ୍ରବାର ରାତିରେ  ଜିଏସ୍‌ଟି ପରିଷଦ ପକ୍ଷରୁ ଯେଉଁ କେତୋଟି ପଦକ୍ଷେପ ନିଆଯାଇଛି ତାହାକୁ ଅର୍ଥ ମନ୍ତ୍ରୀ ଦୀପାବଳି ଭେଟି ବୋଲି କହିଛନ୍ତି।
ଖାଇବା ସାମଗ୍ରୀ: ରୁଟି,ଖାଖ୍ରା, ଅଣ ବ୍ରାଣ୍ଡ ନମକିନ ଓ ଶୁଖିଲା ଆମ୍ବକୁ ୧୨ ପ୍ରତିଶତ ସ୍ଲାବ୍‌ରୁ ହଟାଇ ଦିଆଯାଇଛି। ଏସବୁ ଉପରେ ବର୍ତ୍ତମାନ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ।
ପିଲାଙ୍କ ସାମଗ୍ରୀ: ପିଲାଙ୍କ ପାଇଁ ପ୍ୟାକେଜ ଖାଦ୍ୟ ଓ ମନୋହରି ଜିନିଷପତ୍ର ଏଣିକି ଶସ୍ତା ହେବ। ଏଗୁଡ଼ିକ କ୍ଷେତ୍ରରେ ମଧ୍ୟ ୫ ପ୍ରତିଶତ ଟିକସ ଲାଗିବ।
କପଡ଼ା: ଆଗାମୀ ଦିନରେ ଲୁଗାପଟା ଶସ୍ତା ହେବ। ଲୁଗା ପାଇଁ ହାତରେ ତିଆରି କରୁଥିବା ସୂତା ଉପରୁ ମଧ୍ୟ ଜିଏସ୍‌ଟି କମ୍‌ କରାଯାଇଛି। ଆଗରୁ ଏହା ଉପରେ ୧୮% ଟ୍ୟାକ୍ସ ଲାଗୁଥିବା ବେଳେ ଏବେ ୧୨ ପ୍ରତିଶତ ଲାଗୁ ହେବ।
ସିନ୍ଥେଟିକ୍ ଫିଲା ମେଣ୍ଟ ମଧ୍ୟ ଏଣିକି ଶସ୍ତା ହେବ।
ଇମିଟେସନ: ଜରି କାମ କରୁଥିବା ମହିଳାମାନଙ୍କ ପାଇଁ ଓ ଇମିଟେସନ ଗହଣା ଉପରେ ଏବେ କମ ଟିକସ ଆଦାୟ କରାଯିବ। ଏହି ସାମଗ୍ରୀ ଉପରେ ଆଗରୁ ୧୨% ଟ୍ୟାକ୍ସ ଲାଗୁଥିଲା। ଏବେ ଏହା ୫ %କୁ ଖସିଛି।
ଔଷଧ: ଆୟୁର୍ବେଦ ଓ ହୋମିଓପାଥି ଔଷଧ ଏବେ ଶସ୍ତା ହେବ। ପୂର୍ବରୁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା। ଏବେ ଏହା ୫ ପ୍ରତିଶତ ହୋଇଛି।
ଘର ତିଆରି ସାମଗ୍ରୀ: ଗ୍ରାନାଇଟ ଭଳି କିଛି ସାମଗ୍ରୀକୁ ବାଦ୍‌ ଦେଇ ଅନ୍ୟ ଗୃହ ନିର୍ମାଣ ସାମଗ୍ରୀକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତ ସ୍ଲାବକୁ ଅଣାଯାଇଛି।
ବର୍ଜ୍ୟବସ୍ତୁ: ଇ-ବର୍ଜ୍ୟ ବସ୍ତୁ, ପ୍ଲାଷ୍ଟିକ ଓ ରବର କଚଡା ପାଇଁ ମଧ୍ୟ ଏଣିକି କମ୍‌ ଟ୍ୟାକ୍ସ ଦେବାକୁ ହେବ।
ରିଟର୍ଣ୍ଣରୁ ମୁକ୍ତି
ଜିଏସ୍‌ଟି ପରିଷଦ ଛୋଟଛୋଟ ବ୍ୟବସାୟୀଙ୍କୁ ରିହାତି ଦେଇଛି। ଏବେ ଏହି ବ୍ୟବସାୟୀଙ୍କୁ ପ୍ରତି ମାସରେ ଟ୍ୟାକ୍ସ ଦଲିଲ ଦାଖଲ କରିବାକୁ ପଡ଼ିବ ନାହିଁ। ଦେଢ଼ କୋଟି ଟଙ୍କା ଲେଖାଏଁ ବ୍ୟବସାୟ ପ୍ରତିଷ୍ଠାନକୁ ଏବେ ପ୍ରତି ୩ ମାସରେ ଥରେ ରିଟର୍ଣ୍ଣ ଦେବାକୁ ହେବ।
ବିଶ୍ୱରେ ଆର୍ଥିକ ମାନ୍ଦା ଅବସ୍ଥାକୁ ଚାହିଁ ରପ୍ତାନିକାରୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ପରିଷଦରେ ନିଷ୍ପତ୍ତି ନିଆଯାଇଛି।

 

Comment