ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳିଚାଲିଛି ଭାରତୀୟ ଡାକସେବା ବା ଇଣ୍ଡିଆ ପୋଷ୍ଟ। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍‌-ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ଭାରତୀୟ ଡାକସେବା”, କହିଛନ୍ତି ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟଡାକପାଳ ଡକ୍ଟର ସନ୍ତୋଷ କୁମାର କମିଳା|
ରବିବାର ସିପିଏମ୍‌ଜି ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଭାରତୀୟ ଡାକ ବିଭାଗର ବିଭିନ୍ନ ସେବା ସମ୍ପର୍କରେ ଆଲୋକପାତ କରିଛନ୍ତି। ଆଗାମୀ ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ଉପ-ଡାକଘରରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥା, ବିଦ୍ୟୁତ୍‍ ବିଲ୍‌, ପାଣି ବିଲ୍‌ ଜମା ଲାଗି ଡାକଘରରେ ପେମେଣ୍ଟ ସେବା, ଆଧାର ଅପ୍‌ଡେସନ୍‍, ପୋଷ୍ଟାଲ ପାସପୋର୍ଟ ସେବା କେନ୍ଦ୍ର ଜରିଆରେ ପାସପୋର୍ଟ ସେବା ସମ୍ପ୍ରସାରଣ ପରି ଅନେକ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ଡାକ ପରିମଣ୍ଡଳ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି|
ପ୍ରତିବର୍ଷ ଅକ୍ଟୋବର ୯ରୁ ୧୫ ତାରିଖ ଯାଏଁ ବିଶ୍ୱ ଡାକସେବା ସପ୍ତାହ ପାଳନ କରାଯାଇଥାଏ। ଏବର୍ଷ ମଧ୍ୟ ଓଡ଼ିଶାରେ ଓଡ଼ିଶା ଡାକ ପରିମଣ୍ଡଳ ତରଫରୁ ପାଳନ କରାଯିବ।ଏଥିରେ ରକ୍ତଦାନଠାରୁ ଆରମ୍ଭକରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୋମବାର ଦିନ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଏକ ସମ୍ମିଳନୀ କରାଯିବ, ଯେଉଁଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ ସୁବ୍ରତୋ ବାଗ୍‌ଚୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଓଡ଼ିଶା ଡାକ ପରିମଣ୍ଡଳ ତରଫରୁ ‘ମୋହ’ ନାମକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବ।

Comment