ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ସିନେମା ‘ପାଗଳ ପ୍ରେମୀ’ରେ ନିଜର ଚମତ୍କାର ଅଭିନୟ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ପରେ ଲଭର ବୟ ସବ୍ୟସାଚୀ ମିଶ୍ର ଆଉ ପଛକୁ ଫେରି ଚାହିଁ ନାହାନ୍ତି।
‘ଏମିତି ବି ପ୍ରେମ ହୁଏ’ ପାଇଁ ପୁଣି ଥରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ‘ମୁଁ ଏକା ତୁମର’ ପାଇଁ ପୂର୍ବାଞ୍ଚଳ ଫିଲ୍ମଫେୟାର ପୁରସ୍କାର ପାଇ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ପ୍ରତ୍ୟେକଟି ସିନେମାରେ ଏକ ନୂଆ ପ୍ରକାର ଚରିତ୍ର କରିବାରେ ସେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି।
କ୍ୟାରିୟରର ଦ୍ୱିତୀୟ ସିନେମା ‘ମୁଁ ସପନର ସୌଦାଗର’ରେ ସେ ନକରାତ୍ମକ ଭୂମିକାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ। ତାଙ୍କ ଅଭିନୀତ ସିନେମାଗୁଡିକ ମଧ୍ୟରେ ‘ମତେ ଆଣି ଦେଲ ଲକ୍ଷେ ଫଗୁଣ’, ‘କେମିତି ଏ ବନ୍ଧନ’, ‘ପିଲାଟା ବିଗିଡିଗଲା’, ‘ହେଲା ମତେ ପ୍ରେମ ଜର’ ଆଦି ଅନ୍ୟତମ।
ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପାଦ ଜମାଇସାରିବା ପରେ ସେ ଏବେ ଦକ୍ଷିଣ ଭାରତୀୟ ସିନେମା କରିବାରେ ବ୍ୟସ୍ତ ରହୁଛନ୍ତି। ତାଙ୍କର ପ୍ରଥମ ତେଲୁଗୁ ସିନେମା ‘ନୀରଜନମ’ ରିଲିଜ ହେବା ପୂର୍ବରୁ ସେ ଆଉ ଏକ ଦକ୍ଷିଣ ଭାରତୀୟ ସିନେମା କରିବାରେ ବ୍ୟସ୍ତ। ଏଥର ରଜ ଓ ଦଶହରା ସମୟରେ ଦର୍ଶକ ତାଙ୍କୁ ପରଦା ଉପରେ ଦେଖିବାକୁ ପାଇଲେ ନାହିଁ। କିନ୍ତୁ ସେ ତାଙ୍କ ଦେଖଣାହାରୀଙ୍କ ପାଇଁ ନୂଆ ନୂଆ ଚରିତ୍ରରେ ଅବତୀର୍ଣ୍ଣ ହୋଇ ମନୋରଞ୍ଜନର ଖୋରାକ ଯୋଗାଇବାକୁ ବଦ୍ଧପରିକର। ଓଡ଼ିଶାଲାଇଭ୍‍ ସହ ସବ୍ୟସାଚୀଙ୍କ ସହ ବାର୍ତ୍ତାଳାପର ଅଂଶ:-
ଏତେଗୁଡିଏ ସିନେମାରେ ଅଭିନୟ କରିସାରିବା ପରେ କେଉଁ ଚରିତ୍ର ଆପଣଙ୍କର ସବୁଠାରୁ ପ୍ରିୟ?
ମୁଁ ନିଜକୁ ଭାଗ୍ୟବାନ ମନେ କରେ, ମତେ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି। ଲଭର ବୟ ଚରିତ୍ର ହେଉ ଅଥବା ଚୋର, ପୋଲିସ, ରାଉଡି, ଝିଅ ଚରିତ୍ର ସେସବୁ ମୋର ପ୍ରିୟ। ଏପରିକି ମୋର ଦ୍ୱିତୀୟ ସିନେମାରେ ଆଣ୍ଟି-ହିରୋ ଓ ପରେପରେ ଏବେ ପାଗଳ ପିଲାର ଭୂମିକାରେ ମଧ୍ୟ ଦର୍ଶକ ମତେ ପସନ୍ଦ କରିଛନ୍ତି। ଭବିଷ୍ୟତରେ ବାସ୍ତବିକଧର୍ମୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲେ ମଧ୍ୟ ମୁଁ ଖୁସିରେ କରିବି।
‘ନୀରଜନମ’ ପରେ ଆପଣ ଅଭିନୟ କରୁଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସମ୍ପର୍କରେ କୁହନ୍ତୁ
ମୁଁ ଏବେ ଯେଉଁ ଚଳଚ୍ଚିତ୍ରରେ ଅଭିନୟ କରୁଛି ତାହା ତେଲୁଗୁ, ତାମିଲ ଏବଂ ଓଡ଼ିଆ ତିନୋଟି ଭାଷାରେ ହେଉଛି। ତିନିଥର ତିନୋଟି ଭାଷା ପାଇଁ ଏକାଥରକେ ସୁଟିଂ କରାଯାଉଛି। ଏଥିରେ ମୋ ବିପକ୍ଷରେ ଦକ୍ଷିଣ ଭାରତୀୟ ହିରୋଇନ୍ ରାଧିକା କାମ କରୁଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶାରେ ଏହା ଓଡ଼ିଆ ଟାଇଟଲ୍‌ରେ ରିଲିଜ ହେବ,  ଯାହାର ନାମ ଫାଇନାଲ୍ ହେଇନାହିଁ।
ଓଡ଼ିଆ ସିନେଇଣ୍ଡଷ୍ଟ୍ରି ଓ ସେଠାକାର ଇଣ୍ଡଷ୍ଟ୍ରିରେ କାମ କରିବାରେ କ’ଣ ଭିନ୍ନତା ଅନୁଭବ କରିଲେ?
ସେଠାର ଲାଇଟମ୍ୟାନ୍ ଦିନକୁ ୨,୦୦୦ ଟଙ୍କା ପାଉଥିବା ବେଳେ ଆମର ଏଠାର ଲୋକ ୩୦୦ ଟଙ୍କା ପାଉଛନ୍ତି। କିନ୍ତୁ ଏଠାକାର ଲୋକଙ୍କ କାମର ପାରଦର୍ଶିତା କୌଣସି ମାତ୍ରାରେ କମ୍ ନୁହେଁ। ଏଠାରେ ଜଣେ ଆଉ ଜଣଙ୍କର କାମ ବିନା ଦ୍ୱିଧାରେ ମଧ୍ୟ କରିବାକୁ ଆଗଭର ହୋଇଯା’ନ୍ତି, ଯାହା ସେଠାକାର ଲୋକଙ୍କୁ ଆଚମ୍ବିତ କରେ। ସେଥିପାଇଁ ମୋର କୌଣସି ବି ତେଲୁଗୁ ସିନେମାର ଗୋଟେ ଭାଗ ସୁଟିଂ ସେଡ୍ୟୁଲ ମୁଁ ଓଡ଼ିଶାରେ ରଖିବାକୁ ପ୍ରାଧାନ୍ୟ ଦିଏ।
ଓଡ଼ିଶାରେ ଦର୍ଶକ ଏଥର ଆପଣଙ୍କୁ ରଜ ବା ଦଶହରାରେ ଦେଖିବାକୁ ପାଇଲେ ନାହିଁ ଭବିଷ୍ୟତରେ ଓଡ଼ିଆ ସିନେମା କରିବାର କ’ଣ ଯୋଜନା ଅଛି?
ଏଠାରେ ଦର୍ଶକମାନଙ୍କ ପାଖରେ ସେମାନଙ୍କ ଅଜସ୍ର ଶ୍ରଦ୍ଧା, ସୁମନାସ ଓ ଭଲପାଇବା ପାଇଁ ମୁଁ ସେମାନଙ୍କ ନିକଟରେ ୠଣୀ। ସେଥିପାଇଁ ସେମାନଙ୍କୁ ଭଲ ସିନେମାଟିଏ ଭେଟିଦେବାକୁ ପରିଶ୍ରମ କରୁଛି। ମୋର ପୂର୍ବ ସିନେମା ‘ସୀତାରାମଙ୍କ ବାହାଘର’ କଳିଯୁଗରେ ଲୋକଙ୍କୁ ବହୁତ ଭଲ ଲାଗିଥିଲା। ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ସିନେମା ପୁଣି ୨୦୧୮ରେ କରିବି।
ଅନେକ ଯୁବ ପ୍ରତିଭା ସିନେଜଗତ ମୁହାଁ ହେବାର ଦେଖାଗଲାଣି ଆମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ କ୍ୟାରିୟର ପାଇଁ ଆପଣ କ’ଣ କରିବେ?
ପ୍ରାୟ ଦଶ ବର୍ଷ ହେଲାଣି ମୁଁ ଏହି ଇଣ୍ଡଷ୍ଟ୍ରି ସହ ଜଡିତ ଅଛି। ବର୍ତ୍ତମାନ ସମୟ ବଦଳିଗଲାଣି। କେବଳ ସିନେମା ବା ଟେଲିଭିଜନ ନୁହେଁ, ଡିଜିଟାଲ ମିଡିଆ ମାଧ୍ୟମରେ ମଧ୍ୟ ପ୍ରତିଭାର ପରିପ୍ରକାଶ ହୋଇପାରୁଛି। ଫେସବୁକ୍, ୟ୍ୟୁଟ୍ୟୁବ୍‍ ମାଧ୍ୟମରେ ଅନେକ ଲୋକପ୍ରିୟତା ମଧ୍ୟ ଅର୍ଜନ କରିପାରୁଛନ୍ତି। ଏତଦବ୍ୟତୀତ ବିଭିନ୍ନ ଷ୍ଟେଜ୍ କାର୍ଯ୍ୟକ୍ରମରେ ଗାୟକ/ଗାୟିକା ଅଥବା ଅଭିନେତା/ ଅଭିନେତ୍ରୀମାନେ ନିଜ କଳାର ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି।
ଆମର ଏଠାରେ ଭଲ ସିନେମା ହେଉ ନାହିଁ ବୋଲି ଯେଉଁ ଅଭିଯୋଗ ଆସୁଛି, ସେ ସମ୍ପର୍କରେ ଆପଣ କ’ଣ କରିବେ?
ଏଠାରେ ମଧ୍ୟ ଭଲ ସିନେମା ତିଆରି ହୋଇଛି ଏବଂ ଆହୁରି ହେବ। କିନ୍ତୁ ତା’ ପୂର୍ବରୁ ସିନେମା ହଲ୍‌ଗୁଡ଼ିକରେ ସଂଖ୍ୟା ବଢ଼ିବା ଦରକାର। ଭବିଷ୍ୟତରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭକରିଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ସିନେମା କରିବାର ମୋର ମଧ୍ୟ ଇଛା ଅଛି।

 

Comment