ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘୋଷଣା ହୋଇନି ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ବିଜେପି ଏବଂ ନରେନ୍ଦ୍ର ମୋଦି। ଗୋଟିଏ ମାସରେ ଚାରି ଥର ଗୁଜୁରାଟ ଗସ୍ତରେ ଆସି ନିର୍ବାଚନ ବାତାବରଣକୁ ଉଷ୍ମ କରିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ ଅଗଷ୍ଟ ମାସରେ ଫୁଟିଲାନି ପଦ୍ମ। ରାଜ୍ୟ ସଭା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲ ବାଜିମାତ୍ କରିଥିଲେ। ଏହା ଏବେ ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁ ଥିବାରୁ ମୋଦି ଘନ ଘନ ଗୁଜୁରାଟ ଗସ୍ତରେ ଆସି ତାଙ୍କ ଗଡ଼ ଜଗୁଛନ୍ତି। ଆଉ କଂଗ୍ରେସ ଉପରେ ବର୍ଷୁଛନ୍ତି।
ଗତ ସପ୍ତାହରେ ଗୁଜୁରାଟର ଦ୍ବାରକା ଗସ୍ତରେ ଆସିଥିବା ମୋଦି ପୁଣି ଆଜି ଗାନ୍ଧିନଗରକୁ ଆସି କଂଗ୍ରେସ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି। ଯେଉଁ କଂଗ୍ରେସ ୨୦୧୪ ନିର୍ବାଚନ ପରଠୁ ଦେଶରେ ଏକ ପ୍ରକାର ନିଶ୍ଚିହ୍ନ ହୋଇ ଯାଇଛି ସେହି ଦଳର ପ୍ରଭାବକୁ ସମ୍ପୂର୍ଣ୍ଣ ଭାବେ ମୋଦି ଏବଂ ବିଜେପି ଏଡ଼ାଇ ପାରୁନାହିଁ ବୋଲି ଚର୍ଚ୍ଚା ହେଉଛି।
ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିଥିଲା ‘ଗୁଜୁରାଟ ଗୌରବ ଯାତ୍ରା’। ଏହି ଯାତ୍ରାର ଆଜି ଥିଲା ଉଦଯାପନୀ ସମାରୋହ। ଏହି ସମାରୋହରେ ମୋଦି ଯୋଗଦେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।
ମୋଦି କହିଛନ୍ତି,”ଗଣତନ୍ତ୍ର ପ୍ରକ୍ରିୟାରେ ନିର୍ବାଚନ ହେଉଛି ଯଜ୍ଞ। ଯେତେବେଳେ ବି ଯଜ୍ଞ ହୋଇଛି ସେତେବେଳେ ଏଥିରେ ବାଧା ଦେବା ପାଇଁ କେହି ନା କେହି ଆଗେଇ ଆସନ୍ତି। କଂଗ୍ରେସ କେବେ ବି ବିକାଶକୁ ଆଧାର କରି ନିର୍ବାଚନ ଲଢ଼ିନି। କଂଗ୍ରେସ ଶାସନ ବେଳେ ବିକାଶ ବାଟ ହୁଡ଼ି ଯାଇଥିଲା। ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିଥିଲା। ତାହାକୁ ଆମେ ଲୋକାର୍ପଣ କରୁଛୁ।”
ସିଧାଳସଳଖ ମୋଦି ପଣ୍ଡିତ ଜବାହରଲାଲ ନେହେରୁ ଏବଂ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗଟେ କରିଛନ୍ତି। ମୋଦି କହିଛନ୍ତି ଯେ, ନେହେରୁ ଯେତେବେଳେ ଗୁଜୁରାଟ ଆସୁଥିଲେ ସେତେବେଳେ ସେ ଜନସଂଘକୁ ବିରୋଧ କରୁଥିଲେ। ଗୁଜୁରାଟକୁ ହୀନ ଦୃଷ୍ଟିରେ ଦେଖୁଥିଲେ। ଏହି ପରମ୍ପରା ସେବେଠାରୁ ତାଙ୍କ ପରିବାର ଆପଣାଇ ନେଇଛନ୍ତି। ଏହି ଅବସରରେ ମୋଦି ‘ହୁଁ ବିକାଶ ଛୁଁ’ ନାରା ଦେଇ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛନ୍ତି।
ଗୋଟିଏ ମାସରେ ଚାରି ଥର
ନରେନ୍ଦ୍ର ମୋଦି ଗୋଟିଏ ମାସରେ ୪ ଥର ଗୁଜୁରାଟ ଗସ୍ତରେ ଆସିଲେଣି। ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଶିଳାନ୍ୟାସ କରିବା ଅବସରରେ ମୋଦି ଅହମ୍ମଦାବାଦ ଆସିଥିବା ବେଳେ ସେପ୍ଟେମ୍ବର ୧୭ରେ  ନର୍ମଦା ନଦୀରେ ନିର୍ମିତ ସରଦାର ସରୋବର ବନ୍ଧ ଲୋକାର୍ପଣ କରିବାକୁ ଆସିଥିଲେ। ଅକ୍ଟୋବର ୮ ତାରିଖରେ ଦ୍ବାରକା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ପରେ ଆଜି ପୁଣି ଗାନ୍ଧିନଗର ଆସିଛନ୍ତି। ଆଗାମୀ ୨୨ ତାରିଖରେ ମଧ୍ୟ ମୋଦି ପୁଣି ଗୁଜୁରାଟ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।
ଦୀପାବଳି ପରେ ଆସିବେ ରାହୁଲ
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦୀପାବଳି ପରେ ପୁଣି ଗୁଜୁରାଟ ଗସ୍ତରେ ଆସିବେ। ଦୁଇ ସପ୍ତାହ ତଳେ ରାହୁଲ ଦ୍ବରକା ମନ୍ଦିରରେ ପୂଜାର୍ଚ୍ଚନା କରି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ସେହିପରି ମଧ୍ୟ ଗୁଜୁରାଟ ଗସ୍ତ କରି ରାହୁଲ ନିର୍ବାଚନ ବାତାବରଣକୁ ଉଷ୍ମ କରିଛନ୍ତି।

 

Comment