ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ପଛରେ ପଡିଯାଇଥିଲେ ହଲିଉଡ୍ ଟାଇକୁନ ହାର୍ଭେ ୱିନଷ୍ଟେନ୍। ହୋଟେଲ ଭିତରେ ଐଶ୍ୱର୍ଯ୍ୟାଙ୍କୁ ଏକୁଟିଆ ଚାହୁଁଥିଲେ ୱିନଷ୍ଟେନ୍।
ଅନେକ ଥର ଓସ୍କାର ପୁରସ୍କାର ପାଇଥିବା ହଲିଉଡ୍ ଫିଲ୍ମର ଖ୍ୟାତିସମ୍ପନ୍ନ ନିର୍ମାତା ହାର୍ଭେ ୱିନଷ୍ଟେନଙ୍କର ସୁନ୍ଦରୀ ମହିଳାଙ୍କ ପ୍ରତି ପ୍ରବଳ ଦୁର୍ବଳତା ଥିଲା। ହଲିଉଡରେ ବଡ଼ ଧରଣର କାଷ୍ଟି କାଉଚ ଅଭିଯୋଗ ହୋଇଛି ତାଙ୍କ ବିରୋଧରେ। ଏହି ପରିପ୍ରେକ୍ଷୀରେ ୧୫ ବର୍ଷ ତଳର ଏକ ଘଟଣା କହିଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ପୂର୍ବତନ ଏଜେଣ୍ଟ ସିମୋନ ସେଫିଲ୍ଡ। ସିମୋନ ସେଫିଲ୍ଡ ହେଉଛନ୍ତି, କାନ୍ୟୋନ ଏଣ୍ଟରଟେନମେଣ୍ଟର ସିଇଓ।
୨୦୦୩ ମସିହାର ଘଟଣା। ସେତେବେଳେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ଖ୍ୟାତି ବଲିଉଡରୁ ହଲିଉଡ ଯାଏଁ ବ୍ୟାପିଥିଲା। ବିଶ୍ୱବ୍ୟାପୀ ତାଙ୍କର ପ୍ରଶଂସକ ସୃଷ୍ଟି ହୋଇଥିଲେ। ଅନେକ ତାଙ୍କ ପାଇଁ ଦିୱାନା ବି ହୋଇଯାଇଥିଲେ।
ସେହିପରି ୱିନଷ୍ଟେନ ବି ତାଙ୍କୁ ପାଇବା ପାଇଁ ପାଗଳ ହୋଇଯାଇଥିଲେ। ତେବେ ଐଶ୍ୱର୍ଯ୍ୟାଙ୍କ ହଲିଉଡ୍ ଏଜେଣ୍ଟ ସିମୋନ ସେଫିଲ୍ଡ ତାଙ୍କୁ ଗୋଡ଼େଗୋଡ଼େ ଜଗି ରହିଥିଲେ। ସେ କହିଛନ୍ତି ଯେ ଆମେରିକାରେ ଐଶ୍ୱର୍ଯ୍ୟାଙ୍କୁ ଛୁଇଁବାକୁ କିମ୍ବା ଆଲିଙ୍ଗନ କରିବାକୁ ସେ କାହାରିକୁ ଅନୁମତି ଦେଉନଥିଲେ। ସିମୋନ କହୁଥିଲେ, “ଐଶ୍ୱର୍ଯ୍ୟା ହେଉଛନ୍ତି ଅତି ସ୍ପେଶାଲ, ତୁମକୁ ଆମୋଦିତ କରିବାକୁ ସେ ଏଠାକୁ ଆସିନାହାନ୍ତି”।
ସିମୋନ କହିଛନ୍ତି – “ନିର୍ମାତା ଗୁରିନ୍ଦର ଚଢ଼ାଙ୍କ ଫିଲ୍ମ ‘ବ୍ରାଇଡ୍ ଆଣ୍ଡ ପ୍ରିଜୁଡିସ୍’ରେ ଅଭିନୟ ପାଇଁ ଚୁକ୍ତି ସ୍ୱାକ୍ଷର କରିଥା’ନ୍ତି ଐଶ୍ୱର୍ଯ୍ୟା ରାୟ। ଆମେରିକାରେ ଏହି ଫିଲ୍ମର ବିତରଣ ଦାୟିତ୍ଵ ନେଇଥାନ୍ତି ଓ୍ୱିନଷ୍ଟେନଙ୍କ ମିରାମ୍ୟାକ୍ସ କମ୍ପାନୀ। ସୁଟିଂ ଆରମ୍ଭ ହୋଇନଥାଏ। ହାର୍ଭେ ୱିନଷ୍ଟେନଙ୍କ ନ୍ୟୁୟର୍କ ଅଫିସରେ ଆମେ ତାଙ୍କୁ ଭେଟିଥିଲୁ।  ବାରମ୍ବାର ଐଶ୍ୱର୍ଯ୍ୟାଙ୍କ ସହ ନିରୋଳାରେ ସମୟ ବିତାଇବାକୁ ଚାହୁଁଥା’ନ୍ତି ୱିନଷ୍ଟେନ। ତେବେ ମୁଁ ତାଙ୍କୁ କେବେ ଏକୁଟିଆ ରହିବାକୁ ଦେଉନଥିଲି। ଐଶ୍ୱର୍ଯ୍ୟାକୁ ଏକୁଟିଆ ପାଇବାକୁ ବିଭିନ୍ନ ବାହାନା କରୁଥାନ୍ତି ଓ୍ୱିନଷ୍ଟେନ୍। ହେଲେ ତାଙ୍କର ଏହି ସବୁ ଯୋଜନାକୁ ମୁଁ ସଫଳ ହେବାକୁ ଦେଇନଥିଲି। ଶତ ପ୍ରତିଶତ ସୁରକ୍ଷା ଦେଇଥିଲି ଐଶ୍ୱର୍ଯ୍ୟାଙ୍କୁ।”
ସି​‌ମୋନ ଆହୁରି ଅନେକ ପୁରୁଣା କଥା ଉଖାରିଛନ୍ତି। ସେ କହିଛନ୍ତି, “ଐଶ୍ୱର୍ଯ୍ୟାଙ୍କୁ ଏକୁଟିଆ ଭେଟିବାକୁ ଓ୍ୱିନଷ୍ଟେନ୍ ତାଙ୍କୁ ଡାକୁଥିଲେ। ମତେ ମଧ୍ୟ ନିରୋଳାରେ ଐଶ୍ୱର୍ଯ୍ୟାଙ୍କ ସହ ହୋଟେଲରେ ଭେଟ କରାଇଦେବାକୁ ଅନୁରୋଧ କରିଥିଲେ। ମୁଁ ଥରେ କାହିଁକି ଏକୁଟିଆ ଭେଟିବାକୁ ଚାହୁଁଛନ୍ତି ବୋଲି ପରାରିଥିଲେ। ହେଲେ ସେ ମତେ ଉତ୍ତର ଦେଇନଥିଲେ।”

ୱିନଷ୍ଟେନ ହେଉଛନ୍ତି ହଲିଉଡର ଜଣେ ପ୍ରଭାବଶାଳୀ ବ୍ୟକ୍ତି। ‘ପଲ୍ପ ଫିକ୍ସନ୍’ ଓ ଗୁଡ୍ ୱିଲ୍ ହଣ୍ଟିଙ୍ଗ’ ଭଳି ଫିଲ୍ମ ନିର୍ମାଣ କରିଛନ୍ତି। ତାଙ୍କର ଚଳଚ୍ଚିତ୍ର ଅନେକ ବିଭାଗରେ ଓସ୍କାର ପୁରସ୍କାର ପାଇଛି। ଅଭିନୟ ଲାଗି ସୁଯୋଗ ଦେବା ଆଳରେ ଅନେକ ଅଭିନେତ୍ରୀଙ୍କୁ ଯୌନଶୋଷଣ ଦେଇଥିବା ନେଇ ଅଭିଯୋଗ ହେବା ପରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଏଥିରେ ହଲିଉଡର ବହୁ ନାଁ’କରା ନାୟିକା ମଧ୍ୟ ଅଛନ୍ତି। ଆସଲେ ଜୁଡ୍, ଆଂଜେଲିନା ଜୋଲି, ରୋଜ୍ ମାକ୍-ଗୋଆନ, ଇଭା ଗ୍ରୀନ ଭଳି ଆଗଧାଡ଼ିର ଅଭିନେତ୍ରୀ ବି ୱିନ​‌ଷ୍ଟେନଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡିନଥିଲେ।
ଯୌନଶୋଷଣ ଅଭିଯୋଗ ପରେ ହାର୍ଭେ ଓ୍ୱିନଷ୍ଟେନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ନିଜେ ଗଢିଥିବା ପ୍ରଯୋଜନା ସଂସ୍ଥା ‘ୱିନ​‌ଷ୍ଟେନ କମ୍ପାନି’ରୁ ବି ବାହାର କରିଦିଆଯାଇଛି।

Comment