ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭର୍ତ୍ତୃହରି ମହତାବ କହିଥିଲେ ଅଛୁଆଁ ନୁହେଁ କଂଗ୍ରେସ
  • ବିଜେଡି ସୁପ୍ରିମୋ ମାଗିଥିଲେ ଜବାବ
  • ଏବେ ଦାମ କହିଲେ, ବିଜେପି ଶତ୍ରୁ କଂଗ୍ରେସ ନୁହେଁ
  • ଅଣ ବିଜେପି ଦଳକୁ ଏକାଠି ହେବାକୁ ଆହ୍ବାନ
‘କଂଗ୍ରେସ ଆମ ପାଇଁ ଅଛୁଆଁ ନୁହେଁ। ବିହାର ଓ ଉତ୍ତରପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ’-୨୦୧୬ ନଭେମ୍ବର ମାସରେ ଏହା କହିଥିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ।
ଭର୍ତ୍ତୃହରିଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେବା ପରେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଖଣ୍ଡନ କରିଥିଲେ। କହିଥିଲେ କଂଗ୍ରେସ ଯେତେବେଳେ କେନ୍ଦ୍ରରେ କ୍ଷମତାକୁ ଆସିଛି ସେତେବେଳେ ଓଡ଼ିଶା ଅବହେଳିତ ହୋଇଛି। ଖାଲି ସେତିକିରେ କଥା ଅଟକି ନଥିଲା। ଏହି ମନ୍ତବ୍ୟ ପାଇଁ ଭର୍ତ୍ତୃହରିଙ୍କଠାରୁ ଜବାବ ଲୋଡ଼ିଥିଲେ ନବୀନ।
ନବୀନ ପଟ୍ଟନାୟକଙ୍କ ଜବାବ ତଲବ ଏବଂ ଖଣ୍ଡନ ପରେ ଏବେ ଏହି ପ୍ରସଙ୍ଗ ପୁଣି ଉଠିଛି। ଆଉ ଏହାକୁ ଉଠାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଡାକ୍ତର ଦମୋଦର ରାଉତ। ‘ବିଜେପି ଶତ୍ରୁ କଂଗ୍ରେସ ନୁହେଁ’ ବୋଲି ବିସ୍ଫୋରକ ମନ୍ତବ୍ୟ ଦେଇ ଦାମ କଂଗ୍ରେସ-ବିଜେଡି ମେଣ୍ଟ ଉପରେ ଇସାରା ଦେଇଛନ୍ତି। ଏହି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିକୁ ସରଗରମ୍ କରିଛି।
ଡାକ୍ତର ରାଉତ କହିଛନ୍ତି, “ଦଳମତ ନିର୍ବିଶେଷରେ ସବୁ ଅଣ ବିଜେପି ଦଳ ଏକାଠି ହେବା ଦରକାର। ବିଜେପି ଭଳି ସାମ୍ପ୍ରଦାୟିକ ଦଳକୁ ରୋକିବା ପାଇଁ ସବୁ ବିରୋଧୀ ଦଳ ଏକାଠି ହେବା ଉଚିତ୍। ବିଜେଡି ସହ କଂଗ୍ରେସ ମିଶିଲେ ସ୍ବାଗତ କରାଯିବ। ତେବେ ମେଣ୍ଟ ସମ୍ପର୍କରେ ଶେଷ ନିଷ୍ପତ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ।”
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିବା ବେଳେ ମନ୍ତ୍ରୀ ଡାକ୍ତର ରାଉତ ପୁଣି କାହିଁକି ଏହି ପ୍ରସଙ୍ଗ ଅସମୟରେ ଉଠାଇଛନ୍ତି ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ଓଡ଼ିଶାରେ ଆମେ ଉଭୟ ବିଜେପି ଏବଂ ବିଜେଡି ବିରୋଧରେ ଲଢ଼ୁଛୁ। ବିଜେଡିକୁ ସହଯୋଗ ନିଷ୍ପତ୍ତି ଆମ ହାତରେ ନାହିଁ। ଏ ସମ୍ପର୍କରେ ଏଆଇସିସି ନିଷ୍ପତ୍ତି ନେବ।”
ବିଜେଡି ଓ କଂଗ୍ରେସ ଓଡ଼ିଶାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଦଳ। ଗତ ୧୭ ବର୍ଷ ହେଲା ଉଭୟ ପରସ୍ପର ପରସ୍ପର ବିରୋଧରେ ଲଢ଼ି ଆସିଛନ୍ତି। ବିଧାନସଭା ଭିତରେ ହେଉ କି ବାହାରେ ସବୁବେଳେ କଂଗ୍ରେସ ଏବଂ ବିଜେଡି ନେତା ତୁତୁ ମେମେ ହୋଇଛନ୍ତି। ତେବେ ଏସବୁକୁ ଭୁଲି ଏହି ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଏକାଠି ହେବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିହାର, ଉତ୍ତରପ୍ରଦେଶରେ ହୋଇଥିଲା ମେଣ୍ଟ
ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବିହାର ଏବଂ ଉତ୍ତରପ୍ରଦେଶରେ ମେଣ୍ଟ ହୋଇଥିଲା। ବିହାର ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ-ଜେଡିୟୁ-ଆରଜେଡି ମଧ୍ୟରେ ମହାମେଣ୍ଟ ଗଠନ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଶାସକ ସମାଜବାଦୀ ପାର୍ଟି ସହ କଂଗ୍ରେସର ମେଣ୍ଟ ହୋଇଥିଲା। କାରଣ ଉଭୟ ରାଜ୍ୟରେ କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇ ଯାଇଥିବାରୁ ଏହି ଜାତୀୟ ଦଳ ସାହାରା ଖୋଜୁଥିଲା। ହେଲେ ବିହାରରେ ମହାମେଣ୍ଟ ବିଜୟୀ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ପରାଜୟର ମୁହଁ ଦେଖିଥିଲା ମେଣ୍ଟ।
ବିହାର ଓ ଉତ୍ତରପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସର ସମାନ ଅବସ୍ଥା। ୧୭ ବର୍ଷ ହେଲା ଏହି ଜାତୀୟ ଦଳ ବିରୋଧୀ ଆସନରେ ବସିଛି। ଦିନକୁ ଦିନ ସଙ୍ଗଠନ ମଜଭୁତ ହେବା ବଦଳରେ ଦୁର୍ବଳ ହୋଇ ଚାଲିଛି। ଏପଟେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବିଜେପିର ଶକ୍ତି ବୃଦ୍ଧିକୁ ଦେଖି ବିଜେଡି ଭୟଭୀତ ହୋଇଯାଇଥିବା କୁହାଯାଉଛି। ଏଣୁ ୨୦୧୯ରେ ବିଜେପିକୁ ମାତ୍ ଦେବା ପାଇଁ ଉଭୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଏକାଠି ହେବା କିଛି ଅସମ୍ଭବ ନୁହେଁ ବୋଲି ରାଜନୀତି ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି।

 

LEAVE A REPLY

Please enter your comment!
Please enter your name here