ଭାସ୍କର ପରିଚ୍ଛା

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରୁ ଆଜି  ଇସ୍ତଫା ଦେଇଛନ୍ତି। ଡାକ୍ତର ରାଉତ କାହିଁକି ବିଜେପି ଛାଡ଼ିଲେ ସେଇଟା ଆଉ ବଡ଼ ପ୍ରଶ୍ନ ହୋଇ ରହିନାହିଁ। ବଡ଼ ପ୍ରଶ୍ନ ହେଉଛି ସେ ସେଠିକି  ଯାଉଥିଲେ କାହିଁକି? ସାତ ମାସ ତଳେ ଯେତେବେଳେ ସେ ବିଜେପିରେ ମିଶିଲେ ତାହା ଅନେକଙ୍କ ଭୃକୁଂଚନ କରିଥିଲା। ସମସ୍ତେ ପ୍ରାୟ ଗୋଟିଏ କଥା ପଚାରୁଥିଲେ ଦାମ ବାବୁଙ୍କୁ ସେଠି ଠିକ୍ ସମ୍ମାନ  ମିଳିବ ତ? ତାହାର ଉତ୍ତର ଏବେ ମିଳୁଛି।

ନିର୍ବାଚନ ପରେ ତାଙ୍କୁ ବିଜେପି ଭିତରେ କେହି ପଚାରୁନାହାନ୍ତି ବୋଲି ଦାମ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେପି ନେତାଙ୍କ ଏହି କୋଣଠେସା ଆଚରଣ  ତାଙ୍କୁ ବ୍ୟଥିତ କରିଛି ବୋଲି ଦାମ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ‘‘ଦଳରେ ମୋର ଆବଶ୍ୟକତା ଆଉ ନାହିଁ ବୋଲି ମୁଁ ଅନୁଭବ କରୁଛି ଏବଂ ଏଥିପାଇଁ ଘୋର ମାନସିକ ଅସନ୍ତୁଳନ ଦେଇ ମୁଁ ଗତି କରୁଛି’’ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ଲେଖିଥିବା ଇସ୍ତଫା ପତ୍ରରେ ଡାକ୍ତର ରାଉତ ଉଲ୍ଲେଖ କରିଛନ୍ତି।

ଖାଲି ସେତିକି ନୁହେଁ ସେ ଏକଥା ମଧ୍ୟ ସେହି ଚିଠିରେ ଲେଖିଛନ୍ତି ଯେ, ‘‘ଦୀର୍ଘ ୩୫ ବର୍ଷ ଧରି ବିଧାୟକ ଓ ଛଅ ଛଅ ଥର କ୍ୟାବିନେଟ ମନ୍ତ୍ରୀ ରହି ସାରିବା ପରେ ଦଳ ଭିତରେ ମୋ ଅପ୍ରାସଙ୍ଗିକତା ସକ୍ରିୟ ରାଜନୀତିରୁ  ଅବସର ଗ୍ରହଣ କରିବା ପାଇଁ ମୋତେ ବାଧ୍ୟ କରିଛି’। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ଜଣେ ପକ୍କା ବିଜୁପ୍ରେମୀ ଭାବରେ ସେ ତାଙ୍କ ଅବଶିଷ୍ଟ ସମୟ ରାଜ୍ୟ ଓ ରାଜ୍ୟର ଲୋକଙ୍କ ପାଇଁ ଦେବେ ଓ ବଞ୍ଚିଥିବା ଯାଏଁ ଜନସାଧାରଣଙ୍କ ସେବା କରି ଚାଲିବେ।

ଦାମ ରାଉତଙ୍କ ଇସ୍ତଫା ପତ୍ର ଓ ଏଥିରେ କରାଯାଇଥିବା ଅଭିଯୋଗର ଉତ୍ତର ମଧ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଦେଇଛନ୍ତି। ଜବାବରେ ସେ କହିଛନ୍ତି ଯେ, ‘‘ଆମ ଦଳରେ ସମସ୍ତେ ସମାନ ଓ କାହାକୁ ଆମେ ଅଣଦେଖା କରୁନା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତେ ବିଜେପିରେ ଜଣେ ଜଣେ ନେତା ଓ କର୍ମୀ ମଧ୍ୟ।’’

ଦାମ ବାବୁ ହଠାତ୍‌ ଫିଡିକି ଯିବାର କାରଣ ହେଉଛି ବିଜେପୁର ଉପନିର୍ବାଚନ। ଏହି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଯେଉଁ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି ସେଥିରେ ଦାମ ବାବୁଙ୍କ ନାମ ନାହିଁ। ଗତ ସାଧାରଣ ନିର୍ବାଚନରେ କିନ୍ତୁ ସେ ଦଳର ଷ୍ଟାର ପ୍ରଚାରକ ଥିଲେ ଓ ଗରମ ହାୱା ଓ ଧୂଳିରେ ନିଜକୁ ବେଶ୍ ସଂତୁଳେଇ ଥିଲେ। ଏହିକ୍ଷଣି ବିଜେପୁର ଭଳି ଗୁରୁତ୍ୱପୂର୍ଣ୍ଣ ଆସନ, ତାହା ପୁଣି ଥଣ୍ଡା ଦିନେ ନିର୍ବାଚନ ହେଉଛି ଅଥଚ ପ୍ରଚାର ତାଲିକାରେ ତାଙ୍କ ନାମ ନାହିଁ। ବୋଧହୁଏ ଏହା ଦାମଙ୍କ ପାଇଁ ଏହା ହଜମ ହେଲା ନାହିଁ ଯେଉଁ କଥା କି ପରୋକ୍ଷ ଭାବେ ସେ ଇସ୍ତଫା ପତ୍ରରେ ଲେଖିଛନ୍ତି।

ଭେଷଜ ବିଜ୍ଞାନରେ ଡିମେନ୍‌ସିଆ ଗୋଟିଏ ରୋଗ ଅଛି। ସାଧାରଣ ଭାବେ ବୟସ ଅଧିକ ହେଲେ ଏହି ରୋଗ ଦେଖାଯାଇଥାଏ। ଏହାକୁ ‘ମନୋଭ୍ରଂଶ ଓ ଜଡ଼ବୁଦ୍ଧିତା’ ବି କୁହାଯାଏ। ‘ସ୍ମୃତିଭ୍ରଂଶ’ ବି ଆଉ ଗୋଟିଏ ଉପଯୁକ୍ତ ପ୍ରତିଶବ୍ଦ ଏହି ରୋଗର। ବୟସ ବଢ଼ିଲେ ‘ସମ୍ଭ୍ରାନ୍ତି’ର ବିକାଶ ଆସ୍ତେ ଆସ୍ତେ ହ୍ରାସ ପାଏ ଓ ଏହାର କାରଣ ହେଉଛି ଡିମେନ୍‌ସିଆ। ଏହା ଏକ ବୟସର ରୋଗ ସତ, କିନ୍ତୁ ଯଦି ଆପଣ ରୋଗୀଙ୍କୁ ବାରମ୍ବାର ଆଶ୍ୱାସନା ଦେଇ ଚାଲନ୍ତି ରୋଗ ପୂରା ଭଲ ହୋଇଯିବାର ସମ୍ଭାବନା ବି ଥାଏ। ଆମ ବିଚାରରେ ଦାମ ରାଉତ ନିଶ୍ଚିତ ଭାବରେ ଡିମେନସିଆରେ ପୀଡିତ ନୁହନ୍ତି। କିନ୍ତୁ ତାଙ୍କର ଆଚରଣ ଓ ଚିନ୍ତାଧାରା ସେଭଳି କିଛି ସୂଚନା ଦେଉଛି।

ଏଇ ଅଳ୍ପ କିଛି ଦିନ ପୂର୍ବରୁ ଦାମ ବାବୁ କହିଥିଲେ ଯେ, ହାତଗୋଡ଼ ଚାଲିବା ପର୍ଯ୍ୟନ୍ତ ସେ ରାଜନୀତି କରିବେ। ଏବେ କହୁଛନ୍ତି ସେ ଆଉ ସକ୍ରିୟ ରାଜନୀତି କରିବେନି। ବିଜେପିରେ ଥାଇ ମଧ୍ୟ ଆତ୍ମା ଛାଡ଼ିଯାଇଥିବା ଦାମ ବାବୁ ଏବେ ସ୍ୱୀକାର କରିଛନ୍ତି ଯେ ବିଜେଡି ଛାଡ଼ିବା ତାଙ୍କର ଏକ ମସ୍ତବଡ଼ ଭୁଲ ଥିଲା। ଦାମ ବାବୁ ତାଙ୍କ ନିଜସ୍ୱ ଶୈଳୀରେ କିଛିଦିନ ତଳେ କହିଥିଲେ ବିଜେପିରେ ତାଙ୍କ ଅବସ୍ଥା ଠିକ୍ ସେହିଭଳି ଯେମିତିକି ‘ହାତରେ ଝାଡ଼ୁ ଧରାଇଦେବେ ଅଥଚ ଓଳେଇବାକୁ କହିବେ ନାହିଁ’।

ବିଜେପିରେ ସାମିଲ ହେବା ପରଠାରୁ ହିଁ ତାଙ୍କୁ ବିଶେଷ କେହି ଗୁରୁତ୍ୱ ଦେଉନଥିବା ଅଭିଯୋଗ ସେ କରିଥିଲେ ଯାହା ସ୍ୱାଭାବିକ ମଧ୍ୟ। ଏକକ ଦଳ ବିଶିଷ୍ଟ ଓଡ଼ିଶା ଭଳି ରାଜ୍ୟରେ ବିଜେପିର ମୂଳ ନେତାଙ୍କ ସ୍ଥିତି ଯେଉଁଠି ବିପର୍ଯ୍ୟସ୍ତ, ଆମଦାନୀ ହୋଇଥିବା ନେତାଙ୍କୁ ଅବା କିଏ ପଚାରିବ?

ସେ ଯାହାହେଉ, ବର୍ତ୍ତମାନ ଯେହେତୁ ଦାମ ରାଉତ ବିଜେପି ଛାଡ଼ି ସାରିଛନ୍ତି ,ଉଭୟ ପକ୍ଷ ପାଇଁ ଏହା ନିଶ୍ଚିତ ଭାବରେ ଶୁଭଙ୍କର। ଏବେ ଦେଖିବାକୁ ରହିଲା ବିଜେଡି ଓ ଦଳର ସୁପ୍ରିମୋ ଦାମଙ୍କୁ ପୁଣିଥରେ ଦଳ ଭିତରେ ସାମିଲ କରୁଛନ୍ତି କି ନା। ଯଦି ବା କରୁଛନ୍ତି ତାଙ୍କୁ କୋଉଭଳି ଥଇଥାନ କରାଯିବ। ତେବେ, ଅନେକ ଦିନରୁ ଇସ୍ତଫା ଦେବା ବିଷୟ  ଚିନ୍ତା କରି ଆସିଥିବା ଦାମବାବୁ ନବୀନଙ୍କ ଜନ୍ମ ଦିନରେ ହିଁ ବିଜେପିରୁ ଇସ୍ତଫା ଦେବା ତାଙ୍କ ରାଜନୈତିକ ବିଚକ୍ଷଣତାର ପୁନଃ-ପ୍ରମାଣ ଦେଉନାହିଁ କି?

(ଲେଖକ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment